ସ୍ନାତକ, ସ୍ନାତକୋତ୍ତର ପରୀକ୍ଷା ନେଇ ବିବାଦ ତୁଟୁନି: ସୁପ୍ରିମ‌େକାର୍ଟରେ ପରବର୍ତ୍ତୀ ଶୁଣାଣି ୧୦ରେ

ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତି ଜାରି ରଖନ୍ତୁ: ୟୁଜିସି

ଭୁବନେଶ୍ବର : ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାକୁ ନେଇ ଚାଲିଥିବା ବିବାଦ ତୁଟୁ ନାହିଁ। ଏହି ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟକୁ ଯାଇଛି। ଗତକାଲି ସୁପ୍ରିମକୋର୍ଟରେ ଏହାର ଶୁଣାଣି ହୋଇଥିଲାବେଳେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦ ତାରିଖରେ ହେବ। ପରୀକ୍ଷା ବାତିଲ୍‌ ପାଇଁ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲାବେଳେ ପରୀକ୍ଷା ସପକ୍ଷରେ ୟୁଜିସି ତା’ର ଯୁକ୍ତିରେ ଅଟଳ ରହିଛି। କୋର୍ଟରେ ମାମଲାର ଶୁଣାଣି ଚାଲିଛି ବୋଲି ପରୀକ୍ଷା ବନ୍ଦ ହୋଇଗଲା, ଏ କଥା ଛାତ୍ରଛାତ୍ରୀମାନେ ଭାବନ୍ତୁ ନାହିଁ। ବରଂ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ ବୋଲି ୟୁଜିସି ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି।

ଗତ ଜୁଲାଇ ୬ ତାରିଖରେ ୟୁଜିସି ପକ୍ଷରୁ ଦେଶର ସମସ୍ତ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଚିଠି ଲେଖାଯାଇ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଶେଷ କରିବା ପାଇଁ କୁହାଯାଇଥିଲା। କିନ୍ତୁ ଓଡ଼ିଶା ସମେତ ଦିଲ୍ଲୀ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଞ୍ଜାବ, ତାମିଲନାଡ଼ୁ ପ୍ରମୁଖ ରାଜ୍ୟ ଏହାର ବିରୋଧ କରିଥିଲେ। ୟୁଜିସି ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ଏହା ବିରୋଧ କରୁଛି ବୋଲି କୁହାଯାଇଥିଲା। ଏପ୍ରିଲ୍‌ ୨୯ ତାରିଖରେ ୟୁଜିସି ପକ୍ଷରୁ କୁହାଯାଇଥିଲା ଯେ ରାଜ୍ୟ ସରକାର କୋଭିଡ୍‌ ସ୍ଥିତି ଅନୁଧ୍ୟାନ କରି ବିଶ୍ବବିଦ୍ୟାଳୟ ପରୀକ୍ଷା ସମ୍ପର୍କରେ ନିଜେ ନିଷ୍ପତ୍ତି ନେଇପାରିବେ। ସେହି ଅନୁଯାୟୀ ଓଡ଼ିଶା ସମେତ କିଛି ରାଜ୍ୟ ‌ଶେଷ ବର୍ଷ ସେମିଷ୍ଟର୍‌ ପରୀକ୍ଷାକୁ ବାତିଲ୍‌ କରି ପୂର୍ବ ସେମିଷ୍ଟର୍‌ରେ ପାଇଥିବା ନମ୍ବରକୁ ଆଧାର କରି ଫଳ ପ୍ରକାଶ ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ୟୁଜିସିର ଜୁଲାଇ ୬ ତାରିଖ ଚିଠି ସରକାରଙ୍କୁ ଅଡ଼ୁଆରେ ପକାଇଥିଲା। ୟୁଜିସି ତା’ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରାଯାଇଥିଲା। ଓଡ଼ିଶା ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟକୁ ଚିଠି ଲେଖି ନିଷ୍ପତ୍ତିର ପୁନର୍ବିଚାର କରିବାକୁ କହିଥିଲେ।

ୟୁଜିସିର ମାର୍ଗଦର୍ଶିକାକୁ ବିରୋଧ‌ କରି ସୁପ୍ରିମ‌େକାର୍ଟରେ ମାମଲା ହୋଇଥିଲା। ଗତକାଲି ଏହାର ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ ୟୁଜିସିର ନିର୍ଦ୍ଦେଶାବଳୀ ସମ୍ପୂର୍ଣ୍ଣ ଏକପାଖିଆ ଓ ଅଯୌକ୍ତିକ। କୋଭିଡ୍‌ ମହାମାରୀ ସମୟରେ ପରୀକ୍ଷା କରିବା ସମ୍ଭବ ନୁହେଁ। ବିଭିନ୍ନ ରାଜ୍ୟ ମଧ୍ୟ ଏହାକୁ ଦୃଢ଼ ବିରୋଧ କରିଛନ୍ତି। କିଛି ବିଶ୍ବବିଦ୍ୟାଳୟରେ ଆଇଟି ଭିତ୍ତିଭୂମି ଠିକ୍ ନ ଥିବାରୁ ଅନ୍‌ଲାଇନ୍ ପରୀକ୍ଷା କରିବା ସମ୍ଭବ ନୁହେଁ। ଏହି ମାମଲାରେ ରାଜ୍ୟକୁ ନିଷ୍ପତ୍ତି ନେବାର କ୍ଷମତା ଦିଆଯାଉ।

ୟୁଜିସି ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ଏହି ନିଷ୍ପତ୍ତି ଏକପାଖିଆ ନୁହେଁ। ପରୀକ୍ଷା ବାତିଲ୍‌ ହେଲେ ଉଚ୍ଚଶିକ୍ଷାର ମାନ ଉପରେ ତାହାର ପ୍ରଭାବ ପଡ଼ିବ। ସେପ୍ଟେମ୍ବର ଭିତରେ ପରୀକ୍ଷା କରାଯାଉ। ଏଥିପାଇଁ ବିଶ୍ବବିଦ୍ୟାଳୟଗୁଡ଼ିକୁ ଯଥେଷ୍ଟ ସମୟ ମଧ୍ୟ ଦିଆଯାଇଛି। ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ନାହିଁ, ସେମାନଙ୍କ ପାଇଁ ପରବର୍ତ୍ତୀ ସମୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଶେଷ ବନ୍ଦୋବସ୍ତ କରାଯାଇପାରିବ। ‌

ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦ ତାରିଖକୁ ରଖିଥିଲା ବେଳେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ଏହି ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ‌ସଲିସିଟର୍‌ ଜେନେରାଲ୍‌ କହିଥିଲେ ଯେ ୩ ତାରିଖ ସୁଦ୍ଧା ସ୍ବରାଷ୍ଟ୍ର ମନ୍ତ୍ରାଳୟ ତାହାର ମତ ରଖିବ। କିନ୍ତୁ ଛାତ୍ରଛାତ୍ରୀମାନେ ପରୀକ୍ଷା ହେବ ନାହିଁ ଓ ଏଥିପାଇଁ ପ୍ରସ୍ତୁତିର ଆବଶ୍ୟକ ନାହିଁ ବୋଲି ଧାରଣା ନ ରଖନ୍ତୁ। ପରୀକ୍ଷା ପାଇଁ ଆବଶ୍ୟକ ପ୍ରସ୍ତୁତି ସେମାନେ ଜାରି ରଖନ୍ତୁ।

ସମ୍ବନ୍ଧିତ ଖବର