୨୯ରେ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତନ ଉତ୍ସବ

ଭୁବନେଶ୍ବର : ସମାବର୍ତନ ଉତ୍ସବ କରିବା ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ନିଦ ଭାଙ୍ଗିଛି। ୨୦୧୭-୧୮ ଶିକ୍ଷାବର୍ଷ ପାଇଁ ମାର୍ଚ୍ଚ ୨୯ରେ ସମାବର୍ତନ ଉତ୍ସବ ଅନୁଷ୍ଠିତ ହେବ। ବିଶ୍ବବିଦ୍ୟାଳୟ ପରିସରରେ ହେବାକୁ ଥିବା ଏହି ଉତ୍ସବରେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅଧ୍ୟକ୍ଷତା କରିବାକୁ ସହମତି ପ୍ରକାଶ କରିଛନ୍ତି। ଉତ୍ସବ ଅବସରରେ ୨୦୧୭-୧୮ ପାଇଁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯିବ। ଏଥିସହ କୃତୀ ଛାତ୍ରଛାତ୍ରୀଙ୍କୁ ଡିଗ୍ରି, ମେଡାଲ, ଆୱାର୍ଡ ଆଦି ଦିଆଯିବ। ଉତ୍ସବରେ କେଉଁମାନଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯିବ ତାହା ସ୍ଥିର ହୋଇନି। ସମାବର୍ତନ ଉତ୍ସବର ସ୍ମାରକୀ ବକ୍ତୃତା ଦେବାକୁ କିଏ ଆସିବେ ସେ ସଂପର୍କରେ ନିଷ୍ପତ୍ତି ହୋଇ ନଥିବା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କହିଛନ୍ତି।

୨୦୧୭ ଫେବ୍ରୁଆରି ୩ରେ ଶେଷ ଥର ପାଇଁ ସମାବର୍ତ୍ତନ ଉତ୍ସବ ଆୟୋଜିତ ହୋଇଥିଲା। ଉକ୍ତ ଉତ୍ସବରେ ୨୦୧୫-୧୬ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କୁ ମେଡାଲ, ଡିଗ୍ରି ଓ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା। ଏହାପରେ ୨୦୧୬-୧୭ ଓ ୨୦୧୭-୧୮ ଶିକ୍ଷାବର୍ଷରେ ବିଶ୍ୱବିଦ୍ୟାଳୟ ଅଧୀନରେ ଲକ୍ଷାଧିକ ଛାତ୍ରଛାତ୍ରୀ ଯୁକ୍ତ ୩, ପିଜି, ଏମ୍‌.ଫିଲ୍‌, ପିଏଚ୍‌ଡି ଡିଗ୍ରି ହାସଲ କରିଥିଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ ସାର୍ଟିଫିକେଟ୍‌ ମିଳିନି। ଏହାଦ୍ବାରା ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ହଇରାଣ ହେବାକୁ ପଡ଼ୁଛି। ଏନେଇ ବିଭିନ୍ନ ଆଡ଼ୁ ସମାଲୋଚନାର ଶିକାର ହେବା ପରେ ଏବେ ୨୦୧୭-୧୮ ଶିକ୍ଷାବର୍ଷ ପାଇଁ ଉତ୍ସବ ଆୟୋଜିତ ହେବ। ହେଲେ ୨୦୧୬-୧୭ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କ ଉତ୍ସବ କେବେ ହେବ ସେନେଇ କୌଣସି ସୂଚନା ଦିଆଯାଇନି। ତେବେ ବିଶ୍ବବିଦ୍ୟାଳୟ ନିୟମ ଅନୁଯାୟୀ ୨୦୧୭-୧୮ ଶିକ୍ଷାବର୍ଷର ସମାବର୍ତ୍ତନ ଉତ୍ସବ ପୂର୍ବରୁ ଏକ ସ୍ବତନ୍ତ୍ର ଉତ୍ସବ ଆୟୋଜନ କରାଯାଇ ୨୦୧୬-୧୭ ଶିକ୍ଷାବର୍ଷରେ ଡିଗ୍ରି ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌, ମେଡାଲ, ଆୱାର୍ଡ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର