ବହୁଚର୍ଚ୍ଚିତ ସମବାୟ ବ୍ୟାଙ୍କ ଦୁର୍ନୀତି: ଆଇଏଏସ୍ ବିଷ୍ଣୁପଦଙ୍କ ବିରୋଧରେ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦେଶ

ମାର୍ଚ୍ଚ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି

ଭୁବନେଶ୍ବର: ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିବା ରାଜ୍ୟ ସମବାୟ ବ୍ୟାଙ୍କର ପୂର୍ବତନ ଭାରପ୍ରାପ୍ତ ଅଧିକାରୀ ତଥା ବର୍ତମାନର ରାଜସ୍ବ ସଚିବ ଆଇଏଏସ୍‌ ବିଷ୍ଣୁପଦ ସେଠୀ ଲୋକାୟୁକ୍ତଙ୍କ ତଦନ୍ତର ସମ୍ମୁଖୀନ ହେବେ। ଓଡ଼ିଶା ସମବାୟ ବ୍ୟାଙ୍କରେ ବିଭିନ୍ନ ପ୍ରକାର ବିଲ୍‌ ପରିଶୋଧରେ ଅନିୟମିତତା ଅଭିଯୋଗ ଘଟଣାରେ ବ୍ୟାଙ୍କର ପୂର୍ବତନ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସେଠୀଙ୍କ ବିରୋଧରେ ହୋଇଥିବା ଅନିୟମିତତାର ପ୍ରାଥମିକ ତଦନ୍ତ କରିବା ଲାଗି ଲୋକାୟୁକ୍ତ ନିର୍ଦେଶ ଦେଇଛନ୍ତି। ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦେଶାଳୟ ଘଟଣାର ତଦନ୍ତ କରିବା ସହିତ ୬୦ଦିନ ଭିତରେ
ଏ ସଂପର୍କିତ ପ୍ରାଥମିକ ରିପୋର୍ଟ ପ୍ରଦାନ କରିବା ଲାଗି କୁହାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୮ ତାରିଖରେ ହେବ ବୋଲି ଜଣାପଡ଼ିଛି। ୨୦୧୩ରୁ ୧୬ ମସିହା ମଧ୍ୟରେ ଶ୍ରୀ ସେଠୀ ରାଜ୍ୟ ସମବାୟ ବ୍ୟାଙ୍କର ଭାରପ୍ରାପ୍ତ ଅଧିକାରୀ ଥିବା ସମୟରେ ପଦବିର ଅପବ୍ୟବହାର କରି ୩ଟି ପର୍ଯ୍ୟାୟରେ ୯ଲକ୍ଷ ୪୬ହଜାର ଟଙ୍କାର ଔଷଧ ବିଲ୍‌ ପରିଶୋଧରେ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା। ଶ୍ରୀ ସେଠୀ ସମବାୟ ବ୍ୟାଙ୍କର କର୍ମଚାରୀ ନ ଥିବା ବେଳେ ଭାରତୀୟ ପ୍ରଶାସନିକ ସେବାରେ ରହି କିଭଳି ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ନେଲେ ତାହାକୁ ନେଇ ଗତବର୍ଷ ଜୁଲାଇ ୧ରେ ସୂଚନାଧିକାର କର୍ମୀ ଶ୍ରୀକାନ୍ତ ପାକଳ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ନାବାର୍ଡ ପକ୍ଷରୁ ହୋଇଥିବା ତଦନ୍ତ ରିପୋର୍ଟକୁ ମଧ୍ୟ ସେ ପିଟିସନରେ ଦାଖଲ କରିଥିଲେ।

ଲୋକାୟୁକ୍ତ ମାମଲାକୁ ଗ୍ରହଣ କରିବା ସହିତ ଗତବର୍ଷ ଜୁଲାଇ ମାସରେ ତାଙ୍କୁ ନୋଟିସ୍ କରିଥିଲେ। ରାଜ୍ୟରେ ଲୋକାୟୁକ୍ତ କାର୍ଯ୍ୟକ୍ଷମ ହେବା ପରେ ପ୍ରଥମ ପ୍ରଶାସନିକ ଅଧିକାରୀ ଭାବେ ଶ୍ରୀ ସେଠୀଙ୍କୁ ନୋଟିସ୍ କରାଯାଇଥିଲା। ଏକାଧିକ ବାର ଏହି ମାମଲାର ଶୁଣାଣି ହେବା ପରେ ‌ଶେଷରେ ଲୋକାୟୁକ୍ତ ମାମଲାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଲୋକାୟୁକ୍ତ ୩ଟି ଦିଗ ଉପରେ ପ୍ରାଥମିକ ତଦନ୍ତ ପାଇଁ କହିଛନ୍ତି। ସମବାୟ ବ୍ୟାଙ୍କର ପରିଚାଳନା ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଥିବା ବେଳେ ନିଜ ପିତା ଓ ପତ୍ନୀଙ୍କ ଚିକିତ୍ସା ଖର୍ଚ ପାଇଁ ବ୍ୟାଙ୍କରୁ ମେଡିକାଲ ବିଲ ଆଇନତଃ ନେଇପାରିବେ କି ନାହିଁ। ବ୍ୟାଙ୍କର ନେଟ୍‌ ଲାଭରୁ ପାରିଶ୍ରମିକ ନେବାକୁ ହକଦାର କି ନୁହନ୍ତି ଓ ମେଡିକାଲ ବିଲ୍‌ ଓ ପାରିଶ୍ରମିକ ବାବଦରେ ତ୍ରୁଟିପୂର୍ଣ୍ଣ ଭାବେ ଅର୍ଥ ନେଇ ନିଜର କ୍ଷମତାର ଅପବ୍ୟବହାର କରିଛନ୍ତି କି ନାହିଁ ତାହାର ତଦନ୍ତ କରାଯିବ।

ସମ୍ବନ୍ଧିତ ଖବର