ଜମନକିରା : କ‌ରୋନା ସଂକ୍ରମଣ ରୋକିବାକୁ ଗାଁ ଗାଁ ବୁଲି ସଚେତନ କରାଉଛନ୍ତି ଦୁଇ ଭଉଣୀ

ଜମନକିରା : କ‌ରୋନା ସଂକ୍ରମଣ ରୋକିବାକୁ ସରକାରୀ ସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାବେଳେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍‌ ବଡ଼ମାଳ ପଞ୍ଚାୟତର ୨ ଭଉଣୀ ନିଜ ଉଦ୍ୟମରେ ଲୋକଙ୍କୁ ସଚେତନତା କରାଉଥିବା ଦେଖାଯାଇଛି। ଦୁଇ ଭଉଣୀଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ବଡ଼ମାଳର ଅଙ୍କିତା ନାୟକ (୧୮) ଓ ଅର୍ପିତା ନାୟକ(୧୬) ପ୍ରଚାରପତ୍ର ଏବଂ ‘ସମ୍ବାଦ’ ଖବରକାଗଜ ଧରି କରୋନା ସଚେତନତା ପାଇଁ ଗାଁ ଗାଁ ବୁଲୁଛନ୍ତି। ଲୋକମାନଙ୍କୁ ପରିଷ୍କାର ପରିଚ୍ଛନ୍ନ ରହିବାର ବାର୍ତ୍ତା ଦେଉଛନ୍ତି। ଉଭୟ ଲୋକଙ୍କୁ କରୋନା ସଂକ୍ରମଣର ଲକ୍ଷଣ ଓ ଏହାଠାରୁ ଦୂରେଇ ରହିବାର ଉପାୟ ବିଷୟରେ ଅବଗତ କରାଉଛନ୍ତି। ଏ ସଂପର୍କରେ ଦୁଇ ଭଉଣୀଙ୍କ ମତ ହେଲା; ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କରୋନା ଭୂତାଣୁ ସଂକ୍ରମଣକୁ ରୋକିବାକୁ ଅନେକ ପଦକ୍ଷେପ ନେଉଛନ୍ତି। ତେବେ ଅନେକ ଗ୍ରାମବାସୀ ଏ ବାବଦରେ ଭଲ ଭାବରେ ଜାଣି ପାରୁନାହାନ୍ତି। ସେଇମାନଙ୍କ ନିକଟରେ ସରାକାରଙ୍କ ଏହି ବାର୍ତ୍ତା ପହଞ୍ଚାଇବା ଆମର ଉଦ୍ଦେଶ୍ୟ। ଉଭୟଙ୍କ ଏହି ଉଦ୍ୟମ ସହିତ ଗ୍ରାମର ସିପନ ନାଏକ, ଅଭିଜିତ ନାଏକ, ଅଭିଷେକ ନାଏକ ମଧ୍ୟ ଯୋଡ଼ି ହୋଇଛନ୍ତି।

ସମ୍ବନ୍ଧିତ ଖବର