ସୁନ୍ଦରଗଡ ଜିଲ୍ଲାରେ ବଢ଼ୁଛି ସଂକ୍ରମଣ, ମିଳୁନି ବେଡ

କାର୍ଯ୍ୟକ୍ଷମ ହେଉନି ବିପିୟୁଟି, ଏନ୍ଆଇଟି କୋଭିଡ୍‌ କେୟାର ସେଣ୍ଟର

ସପ୍ତାହରେ ଜିଲ୍ଲାରେ ଆକ୍ରାନ୍ତ ଛୁଇଁଲା ୪,୫୪୫
ମାସକରେ ଗଲାଣି ୧୦ ଆର୍‌ଏସ୍‌ପି କର୍ମଚାରୀଙ୍କ ଜୀବନ
ଇପିଏଫ୍‌ ଅଫିସ୍‌କୁ ୩ ଦିନ ବନ୍ଦ କଲା ଆର୍‌ଏମ୍‌ସି

ରାଉରକେଲା : ସୁନ୍ଦରଗଡ ଜିଲ୍ଲାରେ ଅଣାୟତ୍ତ ହେଉଛି କରୋନାର ଦ୍ବିତୀୟ ଲହର। ଗତ କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଗତକାଲି ଆକ୍ରାନ୍ତ ସଂଖ୍ୟା ଥିଲା ୭୮୮। ଆଜି ଏହି ସଂଖ୍ୟା ରହିଛି ୭୮୫। ଏମିତି ଭାବେ ଗତ ସପ୍ତାହ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର୍‌ କରିଛି। ମୋଟ ଆକ୍ରାନ୍ତ ହୋଇଛନ୍ତି ୪ ହଜାର ୫୪୫। ଅନେକଙ୍କ ଜୀବନ ଯାଇଛି। ବେଦବ୍ୟାସ ଘାଟରେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଲିଭୁନି ଜୁଇ। ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଅଫିସକୁ ଲମ୍ଫ ଡ଼ିଆଁ ମାରୁଛି କରୋନା।

ଆୟକର ଅଫିସ୍‌ ବନ୍ଦ କରାଯିବା ସହ କଲୋନିକୁ କଣ୍ଟେନମେଣ୍ଟ ‌ଜୋନ୍‌ ଘୋଷଣା କରାଯାଇଥିଲା। ସେହି ସମାନ ସ୍ଥିତି ଉପୁଜିଛି ଇପିଏଫ୍‌ ଅଫିସ୍‌ ଓ କଲୋନିରେ। ପ୍ରାୟ ୮ରୁ ଅଧିକ କର୍ମଚାରୀ ଆକ୍ରାନ୍ତ ହେବା ସହ ଆଜି ଜଣେ କର୍ମଚାରୀଙ୍କ ଜୀବନ ଯାଇଛି। ସଂକ୍ରମଣ ଭୟ ଥିବାରୁ ଆର୍‌ଏମ୍‌ସି ପକ୍ଷରୁ ଇପିଏଫ୍‌ ଅଫିସକୁ କଣ୍ଟେନମେଣ୍ଟ ଜୋନ୍‌ ଓ ସିଭିଲଟାଉନସିପ୍‌ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଆଗାମି ୩ ଦିନ ପାଇଁ ବନ୍ଦ କରି ଦିଆଯାଇଛି। ସେମିତି ଆର୍‌ଏସ୍‌ପିର ଗୋଟିଏ ପରେ ଗୋଟିଏ ବିଭାଗକୁ ବ୍ୟାପି ଚାଲିଛି କରୋନା। ଗତ ମାସକ ମଧ୍ୟରେ ୯ ଜଣ ଅଧିକାରୀ ଓ କର୍ମଚାରୀଙ୍କ ଜୀବନ ଯାଇଛି। ପ୍ରାୟ ୩୦୦ରୁ ଅଧିକ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି।

ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ, କୋଭିଡ୍‌ ହସ୍ପିଟାଲରେ ବେଡ ମିଳୁନି। ଅଧିକାଂଶ ରୋଗୀ ଏ କୋଭିଡ ହସ୍ପିଟାଲରୁ ସେ କୋଭିଡ୍‌ ହସ୍ପିଟାଲକୁ ଦୌଡୁଛନ୍ତି। ବେଡ୍‌ ଅଭାବରୁ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ବାଧ୍ୟ ହେଉଛନ୍ତି। ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ ବସୁଛି। ନିକଟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସହରର କୋଭିଡ୍‌ ସ୍ଥିତିର ସମୀକ୍ଷା କରାଯାଇଥିଲା। ଖୁବ୍‌ଶୀଘ୍ର ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍ଆଇଟି)ରେ ପ୍ରାୟ ୮୦୦ ଏବଂ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି)ରେ ୪୦୦ ଏମିତି ମୋଟ ୧୨୦୦ ବେଡ୍‌ର କୋଭିଡ୍‌ କେୟାର ସେଣ୍ଟର (ସିସିସି) ଖୋଲାଯିବାକୁ କୁହାଯାଇଥିଲା। ଅଦ୍ୟାବଧି ଦୁଇଟି ସିସିସି କାର୍ଯ୍ୟକ୍ଷମ ହୋଇ ପାରିନି। ସେମିତି ଆଇଜିଏଚ୍ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ୬୦ ବେଡ୍‌ର ଆଇସିୟୁ ବ୍ୟବସ୍ଥା କରାଯାଇଛି। ଖୁବଶୀଘ୍ର ୧୦୦ ଭେଣ୍ଟିଲେଟର ବ୍ୟବସ୍ଥା କରାଯିବ ବୋଲି ଆର୍‌ଏସ୍‌ପି ପକ୍ଷରୁ କୁହାଯାଇଛି। ତାହା ବି ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇନି। ଆବଶ୍ୟକ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ କର୍ମଚାରୀ ଅଭାବରୁ ଦୁଇଟି ସିସିସି ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇ ପାରୁ ନଥିବା କୁହାଯାଉଛି।

ସୁପର ସ୍ପେଶିଆଲିଟି ହସ୍ପିଟାଲରେ ଆର୍‌ଏସ୍‌ପି ନା ଜିଲ୍ଲା ପ୍ରଶାସନ କିଏ ଆବଶ୍ୟକ ସ୍ବାସ୍ଥ୍ୟକର୍ମୀ ଯୋଗାଇ ଦେବ, ତାହା ସ୍ଥିର ହୋଇନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ସେପଟେ ତିନିଟି କୋଭିଡ୍‌ ହସ୍ପିଟାଲ ହାଇଟେକ୍‌, ଶାନ୍ତି ମେମୋରିଆଲ ଓ ବେଦବ୍ୟାସ ଜୟ ପ୍ରକାଶ ହସ୍ପିଟାରେ ଆଇସିୟୁରେ ରୋଗୀ ଭର୍ତ୍ତି ହୋଇଛନ୍ତି। ଜିଲ୍ଲା ପ୍ରଶାସନ ବେଡ୍‌ ସଂଖ୍ୟା ବୃଦ୍ଧି ସହ କୋଭିଡ୍‌ର ସୁପରିଚାଳନା ଠିକ୍‌ ଭାବେ ତଦାରଖ କରିବାକୁ ରାଜନୈତିକ ଦଳର ନେତା ଓ ବିଭିନ୍ନ ମହଲରୁ ଦାବି ହେଉଛି।

India Whispers

ସୂଚନାଯୋଗ୍ୟ, ସୁନ୍ଦରଗଡ ଏନ୍‌ଟିପିସି ‌କୋଭିଡ୍‌ ହସ୍ପିଟାଲରେ ୪୦୦ ବେଡ୍‌ ରହିଛି। ଶାନ୍ତି ମେମୋରିଆଲ ହସ୍ପିଟାଲରେ ୧୦୫ ଜେନେରାଲ, ୨୦ଟି ଆଇସିୟୁ, ୧୦ଟି ହାଇ ଡେଭିନେସନ୍‌ ୟୁନିଟ୍‌ (ଏଚ୍‌ଡିୟୁ) ବେଡ୍‌ ରହିଛି। ଜୟ ପ୍ରକାଶ ହସ୍ପିଟାଲରେ ୮୦ଟି ସାଧାରଣ, ୧୨୦ଟି ଆଇସିୟୁ ଏମିତି ମୋଟ ୧୨୦ ବେଡ୍‌ ରହିଛି। ହାଇଟେକ୍‌ କୋଭିଡ୍ ହସ୍ପିଟାଲରେ୧୨୫ ଟି ସାଧାରଣ, ୨୫ଟି ଆଇସି୍ରୁ ଏମିତି ‌ମୋଟ ୨୦୦ ବେଡ୍‌ ରହିଛି। ଏନ୍‌ଟିପିସି କୋଭିଡ୍‌ ହସ୍ପିଟାଲରେ ୩୧ଟି ଅକ୍ସିଜେନ୍‌ ସିଲିଣ୍ଡର ଉପଲବ୍ଧ ଥିବାବେଳେ ଶାନ୍ତି ମେମୋରିଆଲ ହସ୍ପିଟାଲରେ ୨୨୫ ଅକ୍ସିଜେନ୍‌ ସିଲିଣ୍ଡର ମହଜୁଦ ରହିଛି। ଜୟ ପ୍ରକାଶ କୋଭିଡ ହସ୍ପିଟାଲରେ ୩୭ଟି ଜମ୍ବୋ, ୪୫ଟି ବି ଟାଇପ୍‌ ସହ ୬୦୦୦ ଲିଟର ଅକ୍ସିଜେନ୍ ସେଣ୍ଟ୍ରାଲ ଯୋଗାଣର ସୁବିଧା ରହିଛି।

ସମ୍ବନ୍ଧିତ ଖବର