ବଲାଙ୍ଗୀରରେ କରୋନା: ଛଅ ଦିନରେ ୬ଶହ ପାର; ଶୂନଶାନ ସହର, ରାସ୍ତାଘାଟ ଖାଁଖାଁ

ବଲାଙ୍ଗୀର : ବଲାଙ୍ଗୀରରେ ଧୀରେ ଧୀରେ ଜଟିଳ ହେଉଛି କରୋନା ପରିସ୍ଥିତି। କରୋନା ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଛି। ଗତ ମାର୍ଚ୍ଚ ୧୧ ତାରିଖରେ ମାତ୍ର ଜଣେ ସକ୍ରିୟ ସଂକ୍ରମିତ ବଲାଙ୍ଗୀର ଜିଲ୍ଲାରେ ରହିଥିଲେ। ଏବେ ଏପ୍ରିଲ ୧୬ରେ ସାତଶହ ପାର। ଗତ ୬ ଦିନର ସଂକ୍ରମିତଙ୍କ ସଂଖ୍ୟା ୬ ଶହ ପାର ହୋଇଛି। ତେଣୁ କଡ଼ାକଡ଼ି କୋଭିଡ କଟକଣା।

ସରକାରଙ୍କ ନିୟମ ଅନୁଯାୟୀ, ଶନିବାରଠାରୁ ଆରମ୍ଭ ହୋଇଛି ସପ୍ତାହାନ୍ତ ସଟ୍‌ଡାଉନ୍‌। ଅନିର୍ଦ୍ଦିଷ୍ଟ କାଳ ପାଇଁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ପୂରା ଜିଲ୍ଲାରେ ସବୁଦିନ ନାଇଟ୍ କର୍ଫ୍ୟୁ। ଆଜି ଆରମ୍ଭ ହୋଇଥିବା ସପ୍ତାହାନ୍ତ ସଟ୍‌ଡାଉନ୍‌ରେ ଶୂନଶାନ ଥିଲା ସହର। ରାସ୍ତାଘାଟ ସବୁ ଖାଁଖାଁ ଲାଗୁଥିଲା। ଜାଗା ଜାଗାରେ ପୁଲିସ ଯାଞ୍ଚ କରୁଥିଲା। ଜରୁରୀ କାମରେ ଯାଉଥିବା ଲୋକଙ୍କୁ ଛାଡ଼ି ଦେଉଥିଲା ପୁଲିସ। ହେଲେ ବିଗତ ଦିନରୁ ଲୋକେ ଟିକିଏ ଅଧିକ ସଚେତନ ହୋଇଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଶନିବାର ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୧୯। ପ୍ରତିଦିନ ୧୫ ଶହ ଲୋକଙ୍କ ପରୀକ୍ଷା ହେଉଛି। ଆଣ୍ଟିଜେନ ଟେଷ୍ଟ ଅପେକ୍ଷା ଆର୍‌ଟିପିସିଆର୍‌ ଟେଷ୍ଟକୁ ଗୁରୁତ୍ୱ ଦିଆଯାଉଛି। ଆଉ ଏକ ଆର୍‌ଟିପିସିଆର୍‌ ମେସିନ ଭୀମଭୋଇ ମେଡିକାଲ କଲେଜରେ କାର୍ଯ୍ୟ କରିବ। ବର୍ତ୍ତମାନ ବଲାଙ୍ଗୀରରେ ପଜିଟିଭ ହାର ହେଉଛି ୫.୩ ପ୍ରତିଶତ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧ଲକ୍ଷ ୨୦ ହଜାର ଲୋକଙ୍କୁ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଛି। କିନ୍ତୁ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଥିବା ଜିଲ୍ଲାପାଳ କହିଛନ୍ତି।

ପରୀକ୍ଷା କେନ୍ଦ୍ରରେ ଭିଡ଼
ବଲାଙ୍ଗୀର ହସପିଟାଲର ପରୀକ୍ଷା କେନ୍ଦ୍ରରେ ବହୁତ ଭିଡ଼ ହେବାକୁ ଲାଗିଛି। ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ଲୋକେ। ତେଣୁ ଲୋକଙ୍କ କହିବା ହେଲା ଅଧିକ ଟେଷ୍ଟିଂ ସେଣ୍ଟର ଖୋଲାଯାଉ। ସମସ୍ତେ ସୁବିଧାରେ ପରୀକ୍ଷା କରାଇପାରିବ‌େ। ଅନ୍ୟପଟେ ବହୁ ରୋଗୀ ଏବେ ବାହାର ଜିଲ୍ଲା ଓ ରାଜ୍ୟର ଡାକ୍ତରଖାନାକୁ ଭରସା କରୁଛନ୍ତି। ଏପଟେ ଅନେକ ଦିନ ହେଲା ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ପରୀକ୍ଷା କେନ୍ଦ୍ର ସାମ୍ନାରେ ଟେଷ୍ଟିଂ କ୍ୟାବିନ ଆସିଛି। ତାହା ମଧ୍ୟ ବ୍ୟବହାର ହେଉ ନାହିଁ। ଏହାକୁ ଧ୍ୟାନ ଦେବାକୁ ଦାବି ହେଉଛି।

ଘରେ ଭୋକ, ବାହାରେ ରୋଗ
ତାଲାବନ୍ଦରେ ବି କାମ ଖୋଜୁଛନ୍ତି ଗରିବ ଖଟିଖିଆ। ସବୁଦିନ ଭଳି ଆଜି ମଧ୍ୟ ସକାଳୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗକୁ ଦିନମଜୁରିଆମାନେ ଆସିଥିଲେ। ସଟ୍‌ଡାଉନ୍‌ରେ ବି କାମ ଖୋଜିବାକୁ ବାଧ୍ୟ ହୋଇ ଆସିଛନ୍ତି ବୋଲି ସେମାନେ କହିଥିଲେ। ସଟ୍‌ଡାଉନ୍‌ ଯୋଗୁଁ କିନ୍ତୁ କାମ ମିଳିନଥିଲା। ବିଗତ ଦିନର ସଟ୍‌ଡାଉନ୍‌ର ଅଭିଜ୍ଞତା ମନରୁ ଯାଇନଥିବା ବେଳେ ଏବେ ପୁଣିଥରେ ତାଲାବନ୍ଦ ଯୋଗୁଁ ବିକଳ ହେଲେଣି ଅଭାବୀ ମଣିଷ। ଖୋଲାଖୋଲି ସେମାନେ କହୁଛନ୍ତି, ଘରେ ରହିଲେ ଭୋକରେ ମରିବୁ…। ବାହାରକୁ ଆସିଲେ ରୋଗରେ ମରିବୁ…। ଏଣୁ ଶ୍ରମିକମାନଙ୍କ ଅବସ୍ଥା ପୁଣି ଥରେ ବେହାଲ ହେବାକୁ ବସିଲାଣି।

ଖାଲିଖାଲି ଚାଲିଲା ବସ୍‌
ସପ୍ତାହାନ୍ତ ସଟ୍‌ଡାଉନ୍‌ରେ ବି ଜରୁରୀକାଳୀନ କାମ ପାଇଁ ଯିବାଆସିବା କରିବାକୁ ଯାତ୍ରୀମାନଙ୍କ ପାଇଁ ବସ୍‌ ସବୁ ରହିଥିଲା। କିନ୍ତୁ ବସ୍‌ଗୁଡ଼ିକରେ ପାସେଞ୍ଜର ନଥିଲେ। ନବରଙ୍ଗପୁର ଭାୟା ବଲାଙ୍ଗୀର ଦେଓଗାଁ, ସଇନ୍ତଳା, ବେଲଗାଁ, ଭବାନୀପାଟଣା ବସ୍‌ରେ ମାତ୍ର ଜଣେ ଯାତ୍ରୀ ଥିଲେ। ଠିକ ସେହିପରି ସମ୍ବଲପୁର ଯିବାକୁ ଥିବା ସରକାରୀ ବସ୍‌ରେ ହାତଗଣତି ସାତ ଆଠ ଜଣ ଯାତ୍ରୀ ବସିଥିଲେ। ଅନେକ ସରକାରୀ ବସ୍‌ ଖାଲିଖାଲି ଚାଲିଲା ଭଳି ଚାଲିଥିଲା। ବସ୍‌ କର୍ମଚାରୀ ମହେଶ୍ୱର ମଟାରୀ, ହେମନ୍ତ ବରାଡ଼ କହିଥିଲେ, ସବୁ ବସ୍‌ରେ ଯାତ୍ରୀ ହେଉ ନାହାନ୍ତି। ଲୋକ ଘରୁ କୁଆଡ଼େ ଜରୁରୀ କାମରେ ଯାଉନଥିବାରୁ ଏଭଳି ଖାଲିଖାଲି ବସ୍‌ ଯାଉଛି ବୋଲି କହିଥିଲେ।
ଖବରକାଗଜର ଚାହିଦା
କରୋନା ସଂକ୍ରମଣର ଭୟ ରହୁଛି। ଏଭଳି ସ୍ଥିତିରେ ଖବରକାଗଜ ବିତରକ ଘରଘର ଖବର ସବୁ ପହଞ୍ଚାଇବାରେ ଆଗଧାଡ଼ିରେ କାମ କରୁଛନ୍ତି। ସକାଳୁ ସବୁଦିନ ଭଳି ଖବରକାଗଜର ବି ଚାହିଦା ରହିଥିଲା। ବିତରକମାନେ ମଧ୍ୟ ମାସ୍କ ପିନ୍ଧି ଘରଘର ବୁଲି କମ୍‌ ସମୟରେ ନିଜ କାମ ସାରିଥିଲେ। ବସଷ୍ଟାଣ୍ଡରେ ବିତରକମାନେ ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟ କରିଥିବା ଦେଖାଯାଇଥିଲା।

ଗତ ଛଅ ଦିନର କରୋନା ସଂକ୍ରମିତଙ୍କ ସଂଖ୍ୟା
୧୨ ଏପ୍ରିଲ-୯୩
୧୩ ଏପ୍ରିଲ-୯୧
୧୪ ଏପ୍ରିଲ-୯୩
୧୫ ଏପ୍ରିଲ-୧୧୦
୧୬ ଏପ୍ରିଲ-୧୩୩
୧୭ ଏପ୍ରିଲ- ୯୨

ସମ୍ବନ୍ଧିତ ଖବର