ଜୁଲାଇରେ ରାଜ୍ୟରେ ଶିଖର ଛୁଇଁବ କରୋନା : ଜନସ୍ବାସ୍ଥ୍ୟ ନିର୍ଦେଶକ

ପୁଣି ହେବ ଆଣ୍ଟିବଡି ପରୀକ୍ଷା

ଭୁବନେଶ୍ବର : ଆସନ୍ତା ଜୁଲାଇ ମାସରେ ରାଜ୍ୟରେ କରୋନା ସଂକ୍ରମଣ ଶିଖର ଛୁଇଁପାରେ। ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ନବନିଯୁକ୍ତ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର। ଜୁଲାଇ ମାସ ପରେ ସଂକ୍ରମଣ କମିବ। ତେଣୁ ଲୋକମାନଙ୍କୁ ଏଥିପାଇଁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ହେବ। ଡା. ମିଶ୍ର କହିଛନ୍ତି ଯେ କେବଳ ଓଡ଼ିଶା ନୁହେଁ ଦେଶବ୍ୟାପୀ ଜୁଲାଇ ମାସରେ କରୋନା ସଂକ୍ରମଣ ଶିଖର ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି। ପୃଥିବୀର ଅନେକ ଦେଶଗୁଡ଼ିକରେ ଭୂତାଣରୁ ଯେଉଁ ଟ୍ରେଣ୍ଡ ବା ଧାରା ରହିଛି ତାହା ଅନୁଯାୟୀ ଏଭଳି ଆକଳନ କରାଯାଉଛି।

ରାଜ୍ୟରେ ଏବେ କୋଭିଡ୍‌ ନମୁନା ପରୀକ୍ଷା ସଂଖ୍ୟା ବଢ଼ୁଥିବାରୁ ପଜିଟିଭ୍ ସଂଖ୍ୟା ମଧ୍ୟ ବଢ଼ୁଛି। ରାଜ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ପ୍ରାୟ ୮୦ ପ୍ରତିଶତଙ୍କର କୌଣସି ଲକ୍ଷଣ ନାହିଁ। ଯାହାଫଳରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ବଢ଼ିଥିଲେ ମଧ୍ୟ ତାହା କୌଣସି ପ୍ରକାର ସମସ୍ୟା ସୃଷ୍ଟି କରିବ ନାହିଁ। ସବୁ ଲୋକଙ୍କ ପରୀକ୍ଷା କରିବା ସମ୍ଭବ ନୁହେଁ। ଆଇସିଏମ୍‌ଆର ପକ୍ଷରୁ ଏଥିପାଇଁ କେଉଁ ଲୋକଙ୍କ ପରୀକ୍ଷା କରାଯିବ ସେ ସଂପର୍କରେ ସୂଚନା ଦିଆଯାଇଛି। ତେଣୁ ବାହାର ରାଜ୍ୟରୁ ଫେରିଥିବା, ହଟସ୍ପଟ୍ ଅଞ୍ଚଳ ଓ ଲକ୍ଷଣ ଥିବା ଲୋକଙ୍କ ପରୀକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି।

MSN.com

ରାଜ୍ୟରେ ଏବେ ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢ଼ିଥିବା ବେଳେ ଟେଷ୍ଟିଂ କିଟ୍ ସଂଖ୍ୟା ଯଥେଷ୍ଟ ରହିଛି। ତେଣୁ ଆଗାମୀ ଦିନରେ ଅଧିକ ସଂଖ୍ୟାରେ ଲୋକମାନଙ୍କ ପରୀକ୍ଷା କରାଯିବ। ସ୍ବାବ୍ ପରୀକ୍ଷା, ସର୍ଭେଲାନ୍‌ସ ଭଳି କ୍ଷେତ୍ରରେ ଓଡ଼ିଶା ଜାତୀୟ ହାରଠାରୁ ଆଗରେ ରହିଛି। ତେଣୁ ରାଜ୍ୟରେ କରୋନା ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ନାହିଁ ବୋଲି ଡା.ମିଶ୍ର ସୂଚନା ଦେଇଛନ୍ତି।

ପୁଣି ହେବ ଆଣ୍ଟିବଡି ପରୀକ୍ଷା
ଭୁବନେଶ୍ବର: ରାଜ୍ୟରେ ପୁଣିଥରେ ଆରମ୍ଭ ହେବ ଆଣ୍ଟିବଡି ପରୀକ୍ଷା। ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଘରକୁ ଘର ବୁଲି କରୋନା ସର୍ବେକ୍ଷଣ ଚାଲିଥିବା ବେଳେ ଏହି ପରୀକ୍ଷାକୁ ବ୍ୟବହାର କରାଯାଇପାରେ। ଆସନ୍ତା ସପ୍ତାହରେ ଯଥେଷ୍ଟ ସଂଖ୍ୟାରେ ଏହି କିଟ୍ ପହଞ୍ଚିବା ପରେ ହିଁ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ଆଇସିଏମ୍‌ଆର ଅନୁମୋଦିତ କିଟ୍ ପହଞ୍ଚିବା ପରେ ଏହାକୁ କିଭଳି ବ୍ୟବହାର କରାଯିବ ତାହା ସଂପର୍କରେ ଯୋଜନା ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର