ରାଜ୍ୟରେ କୋଭିଡ୍‌ ମୃତ୍ୟୁ ଅଡିଟ୍‌ କେବେ ସରିବ କହିହେବ ନାହିଁ: ଡିଏମ୍‌ଇଟି

ଭୁବନେଶ୍ବର: ରାଜ୍ୟରେ ବଳକା କୋଭିଡ ମୃତ୍ୟୁ ଅଡିଟ୍‌ ଜାରି ରହିଛି। ଏବେ ବି ମେଡିକାଲ କଲେଜଗୁଡ଼ିକରୁ ବଳକା କୋଭିଡ ମୃତ୍ୟୁ ରିପୋର୍ଟ ରାଜ୍ୟସ୍ତରରେ ପହଞ୍ଚୁଛି। ମାତ୍ର ଜିଲ୍ଲାସ୍ତରରେ ରିପୋର୍ଟ ଆସିବାରେ ସାମାନ୍ୟ ବିଳମ୍ବ ହେଉଛି। ସେହିପରି ଦୀର୍ଘଦିନ ହେବ ଆଇସିୟୁ ଓ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିବା ରୋଗୀଙ୍କର ମଧ୍ୟ ଏହା ଭିତରେ ମୃତ୍ୟୁ ହେଉଛି। ତେଣୁ ବଳକା କୋଭିଡ ମୃତ୍ୟୁର ଅଡିଟ ରିପୋର୍ଟ କେବେ ସରିବ ତାହା ନିର୍ଦ୍ଦିଷ୍ଟ ଭାବେ କହିବା ଅସମ୍ଭବ। ତେବେ ଏହା ଖୁବଶୀଘ୍ର ସରିବା ଆଶା କରାଯାଉଛି ବୋଲି କହିଛନ୍ତି ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି।

ରାଜ୍ୟରେ ଗତମାସ ଆରମ୍ଭରୁ ବଳକା କୋଭିଡ୍‌ ମୃତ୍ୟୁର ଅଡିଟ ରିପୋର୍ଟ ଘୋଷଣା ଜାରି ରହିଛି। ସେହିଦିନଠାରୁ ଲଗାତାର ଭାବେ ରାଜ୍ୟରେ ଦୈନିକ ୬୦ରୁ ଅଧିକ ଲୋକଙ୍କ କୋଭିଡ ମୃତ୍ୟୁ ଘୋଷଣା‌ ହେଉଛି। ପୂର୍ବରୁ ରାଜ୍ୟ ସରକାର ଜୁଲାଇ ମାସ ଶେଷ ସୁଦ୍ଧା ବଳକା କୋଭିଡ ମୃତ୍ୟୁ ଅଡିଟ ଶେଷ ହେବ ବୋଲି କହିଥିଲେ। ଏପରିକି ଗତମାସରେ ଡିଏମ୍‌ଇଟି ମଧ୍ୟ ୧୦/୧୫ଦିନରେ ଏହା ଶେଷ ହୋଇଯିବ ବୋଲି ଗଣମାଧ୍ୟମକୁ କହିଥିଲେ। ହେଲେ ଏହି ସମୟ ଭିତରେ ଅଡିଟ୍‌ ରିପୋର୍ଟ ଶେଷ ହୋଇପାରି ନାହିଁ। ଏବେ ଅଗଷ୍ଟ ମାସର ଅଧା ହେବାକୁ ବସିଥିବା ବେଳେ ବଳକା କୋଭିଡ ମୃତ୍ୟୁର ଘୋଷଣା କେବେ ସରିବ ତାହା ସଂପର୍କରେ ଡିଏମ୍‌ଇଟି ଏକପ୍ରକାର ଦ୍ବନ୍ଦ୍ବାତ୍ମକ ସୂଚନା ଦେଇଛନ୍ତି। ପ୍ରଫେସର ମହାନ୍ତି କହିଛନ୍ତି ଯେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ଅନୁସାରେ ଗୋଟିଏ ମହାମାରୀ ଶେଷ ହେବା ପରେ ଏହାର କେସ୍ ଫାଟାଲିଟି ରେଟ୍ ବା ସିଏଫ୍‌ଆର୍‌ର ତର୍ଜମା କରାଯାଇଥାଏ। ରାଜ୍ୟ‌ରେ କରୋନାର ଦ୍ବିତୀୟ ଲହର ଆସିବା ଲାଗି ମାସେରୁ ଦେଢ଼ ମାସ ସମୟ ନେଇଥିଲା। ଏହି ସମୟରେ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସାରେ ବ୍ୟସ୍ତ ରହିଥିଲେ। ଏବେ ସଂକ୍ରମଣ କମିବା ଯୋଗୁଁ ଅଡିଟ୍‌ ରିପୋର୍ଟ ଜାରି ରହିଛି। ଏହି ସମୟରେ ତୃତୀୟ ଲହର ପାଇଁ ଡାକ୍ତରଙ୍କ ତାଲିମ, ଆର୍‌ଟିଆଇ ଓ କୋର୍ଟ ଭଳି ମାମଲା ପାଇଁ ଅଡିଟ୍‌ ପ୍ରକ୍ରିୟା ବିଳମ୍ବିତ ହେଉଛି।

କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ ରୋଗୀ କରୋନାରେ ପ୍ରାଣ ହରାଇ ନାହାନ୍ତି। କରୋନାରେ ପ୍ରାଣ ହରାଇଥିବା କୌଣସି ରୋଗୀ ଯେପରି କୌଣସି ପ୍ରକାର ସୁବିଧା ସୁଯୋଗରୁ ବଞ୍ଚିତ ନ ହୁଅନ୍ତି; ତାହାକୁ ଧ୍ୟାନରେ ରଖି ଅଡିଟ୍‌ ପରେ ଘୋଷଣା କରାଯାଉଛି। ତେବେ ବଳକା ଥିବା କୋଭିଡ ମୃତକଙ୍କ ସଂଖ୍ୟା‌ କେତେ ଓ ପ୍ରତ୍ୟେକ ଦିନ ହେଉଥିବା ଅଡିଟ୍‌ରେ ଚିହ୍ନଟ ହେଉଥିବା ଅଣ କୋଭିଡ ରୋଗୀଙ୍କ ସଂଖ୍ୟା କେତେ ପ୍ରତିଶତ, ତାହା କହିବା ଲାଗି ସେ ମନା କରିଥିଲେ।

ଅପରପକ୍ଷରେ ରାଜ୍ୟରେ ଦୈନିକ ସଂକ୍ରମଣ ହଜାରେ ତଳକୁ ଖସିବାର ଗୋଟିଏ ଦିନ ପରେ ଆଜି ପୁଣିଥରେ ହଜାରେକୁ ଟପି ଯାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ୫୬,୮୫୯ ନମୁନା ପରୀକ୍ଷା ହେବା କାରଣରୁ ସଂକ୍ରମଣ ହାର ୧.୮୩ ପ୍ରତିଶତକୁ ବୃଦ୍ଧି ପାଇଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୬.୨, କଟକ ୪.୫, ଜଗତସିଂହପୁର ୩.୯ ଓ ପୁରୀରେ ୨ ପ୍ରତିଶତ ରହିଛି। ଦୈନିକ ସଂକ୍ରମଣରେ ଖୋର୍ଧା ଜିଲ୍ଲା ପୁଣିଥରେ ଆଗରେ ରହିଛି। ଜିଲ୍ଲାରୁ ୩୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ କଟକ ୧୩୨, ଜଗତସିଂହପୁର ୮୧, ଅନୁଗୁଳ ୫୭, ଯାଜପୁର ୩୬, ପୁରୀ ୩୪, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନୟାଗଡ଼ରେ ୨୮ ଲେଖାଏଁ ଓ ଷ୍ଟେଟ୍‌ ପୁଲରୁ ୮୧ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ୧୪ ଜିଲ୍ଲାରେ ସଂକ୍ରମଣ ଏକ ଅଙ୍କରେ ସୀମିତ ରହିଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୮୮ହଜାର ୯୯୭କୁ ବୃଦ୍ଧି ପାଇଛି।

ଆଉ ୬୪ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ଖୋର୍ଧା ୨୦, ସୁନ୍ଦରଗଡ଼ ୮, ବାଲେଶ୍ବର ୬, କନ୍ଧମାଳ ୪, ପୁରୀ, ନୟାଗଡ଼, ମୟୂରଭଞ୍ଜ, ଯାଜପୁର, କଟକରେ ୩ ଲେଖାଏ, ଦେବଗଡ଼, ଝାରସୁଗୁଡ଼ା, ଅନୁଗୁଳ‌ରେ ୨ ଲେଖାଏ, ବଲାଙ୍ଗୀର, ଢେଙ୍କାନାଳ, ଗଞ୍ଜାମ, ସମ୍ବଲପୁରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୫୬୫ରେ ପହଞ୍ଚିଛି। ରାଜ୍ୟରେ ଆଜି ୧୩୧୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୯୬୬୯କୁ ଖସି ଆସିଛି। ଅପରପକ୍ଷରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୭୨ହଜାର ୭୧୦କୁ ବୃଦ୍ଧି ପାଇଛି। ଏକମାତ୍ର ଜିଲ୍ଲାଭାବେ ଖୋର୍ଧାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଅଢ଼େଇ ହଜାରରୁ ଅଧିକ ରହିଛି।

ସମ୍ବନ୍ଧିତ ଖବର