କରୋନା ଭୟରେ ଟ୍ରେନ୍‌ରେ ଯାତ୍ରୀ ହେଉନାହାନ୍ତି

ବାହାର ରାଜ୍ୟକୁ ଯାଉଥିବା ଟ୍ରେନ୍‌ରେ ଅଧା ସିଟ୍‌ ଫାଙ୍କା ପଡ଼ୁଛି
ରାଜ୍ୟ ଭିତରେ ବହୁ ଟ୍ରେନ୍‌ରେ ୨୦% ସିଟ୍‌ ପୂରଣ ହେଉନି

ଭୁବନେଶ୍ବର : କରୋନା ସଂକ୍ରମଣ ଭୟରେ ସାଧାରଣ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଥିବାବେଳେ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ଡରୁଛନ୍ତି। ଏପରିକି ସଂକ୍ରମଣ ଭୟରେ ବହୁ ଯାତ୍ରୀ ରେଳ ଯାତ୍ରା କରୁନାହାନ୍ତି। ତେଣୁ ଟ୍ରେନ୍‌ରେ ଯେତିକି ସଂରକ୍ଷିତ ସିଟ୍‌ ରହୁଛି, ତାହା ବି ପୂରଣ ହେଉନି ବୋଲି ପୂର୍ବତଟ ରେଳପଥ ସୂତ୍ରରୁ ଜାଣିବାକୁ ମିଳିଛି।

କରୋନା କଟକଣା କୋହଳ ପରେ ଲୋକଙ୍କୁ ଯାତାୟାତ ଜନିତ ସୁବିଧା ଯୋଗାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ମେ’ ୧୩ରୁ ୬ ଯୋଡ଼ା ଆନ୍ତଃରାଜ୍ୟ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଏହାସହ ମେ’ ପହିଲାରୁ ରାଜଧାନୀ ସ୍ପେସାଲ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ସେହିପରି ଜୁନ୍ ପହିଲାରୁ ଓଡ଼ିଶା ଭିତରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। କିନ୍ତୁ ରାଜଧାନୀ ସ୍ପେସାଲ ଟ୍ରେନ୍‌ରେ ମେ’ ୧୩ରୁ ଜୁନ୍ ୨୪ ମଧ୍ୟରେ ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ୪୫.୪୭% ଯାତ୍ରୀ ଯାଇଥିବା ବେଳେ ନୂଆଦିଲ୍ଲୀରୁ ଭୁବନେଶ୍ୱରକୁ ୧୦୪ ପ୍ରତିଶତ ଯାତ୍ରୀ ଆସିଛନ୍ତି। ଭୁବନେଶ୍ୱର-ନୂଆଦିଲ୍ଲୀ ପୁରୁଷୋତ୍ତମ ସ୍ପେସାଲ୍ ଟ୍ରେନ୍‌ରେ ୭୪.୧୧% ଯାତ୍ରୀ ଯାଇଥିବା ବେଳେ ୮୭.୨୫ % ଯାତ୍ରୀ ଫେରିଛନ୍ତି। ପୁରୀ-ସିଆଲଦା ସ୍ପେସାଲ୍ ଟ୍ରେନ୍‌ରେ ୧୩.୬୮% ଯାତ୍ରୀ ଆସିଥିବା ବେଳେ ୧୫.୭୧ ପ୍ରତିଶତ ଯାତ୍ରୀ ଯାଇଛନ୍ତି। ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସ୍‌ରେ ୯୫.୩୭ ପ୍ରତିଶତ ଯାତ୍ରୀ ଆସିଥିବା ବେଳେ ୫୨.୬୯% ଯାତ୍ରୀ ଯାଇଛନ୍ତି। ଭୁବନେଶ୍ୱର-ହାୱଡ଼ା ସ୍ପେସାଲ ଜନଶତାବ୍ଦୀ ଏକ୍ସପ୍ରେସ୍‌ରେ ୫୧ % ଯାତ୍ରୀ ଆସିଥିବା ବେଳେ ୩୪.୦୭ ପ୍ରତିଶତ ଯାତ୍ରୀ ଯାଇଛନ୍ତି।

ସେହିପରି ଓଡ଼ିଶା ଭିତରେ ଯାତାୟାତ କରୁଥିବା ଟ୍ରେନ୍ ମଧ୍ୟରେ ସମ୍ବଲପୁର-ଖୋର୍ଦ୍ଧା ରୋଡ୍‌ ଇଣ୍ଟରସିଟି ସ୍ପେସାଲ ଟ୍ରେନ୍‌ରେ ୧୭.୭୭% ଯାତ୍ରୀ ଆସୁଛନ୍ତି ଓ ୯.୭୬% ଯାତ୍ରୀ ଯାଉଛନ୍ତି। ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ସ୍ପେସାଲ୍ ଟ୍ରେନ୍‌ରେ ୨୦.୮୯% ଯାତ୍ରୀ ଯାଉଥିବା ବେଳେ ୧୭.୬୪% ଯାତ୍ରୀ ଆସୁଛନ୍ତି। ଭଦ୍ରକ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ରେ ୪.୧% ଯାତ୍ରୀ ଯାଇଥିବା ବେଳେ ୮.୫୨% ଯାତ୍ରୀ ଆସିଛନ୍ତି। ଭୁବନେଶ୍ୱର-ବ୍ରହ୍ମପୁର ସ୍ୱତନ୍ତ୍ର ଟ୍ରେନ୍‌ରେ ୧୦.୪୮ % ଯାତ୍ରୀ ଯାଇଥିବା ବେଳେ ୨୫.୭୬% ଯାତ୍ରୀ ଆସିଛନ୍ତି। ଭୁବନେଶ୍ୱର-କୋରାପୁଟ ସ୍ୱତନ୍ତ୍ର ଟ୍ରେନ୍‌ରେ ୪୨.୬୭% ଯାତ୍ରୀ ଯାଇଛନ୍ତି ଏବଂ ୪୧.୫୮ %ଯାତ୍ରୀ ଆସିଛନ୍ତି। ସେହିପରି ଭୁବନେଶ୍ୱର-ରାଉରକେଲା ସ୍ୱତନ୍ତ୍ର ଟ୍ରେନ୍‌ରେ ୨୩.୦୫% ଯାତ୍ରୀ ଯାଇଥିବା ବେଳେ ୨୦.୪୯% ଯାତ୍ରୀ ଆସିଥିବା ପୂର୍ବତଟ ରେଳପଥର ତଥ୍ୟରୁ ଜଣାପଡ଼ିଛି। ଅପରପକ୍ଷେ ପୂର୍ବତଟ ରେଳପଥ ପକ୍ଷରୁ ଷ୍ଟେସନ୍‌ରେ ନିୟମିତ ବିଶୋଧନ ହେଉଥିବା ବେଳେ ଯାତ୍ରୀଙ୍କ ଥର୍ମାଲ୍‌ ସ୍କ୍ରିନିଂ ହେଉନି। କିନ୍ତୁ ଯାତ୍ରୀ ଭୟ କରୁଥିବାରୁ ଯାତ୍ରା କରୁନଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର