ସଟ୍‌ଡାଉନ୍‌ରେ ଭାଙ୍ଗିଲେ ୭ ଦୋକାନ, ଶିବତୀର୍ଥ ମଠ ମହନ୍ତଙ୍କ ସମାଧି କଡ଼ରୁ ଉଚ୍ଛେଦ

ପୁରୁଣା ଭୁବନେଶ୍ବର : ସଟ୍‌ଡାଉନ୍‌ ସମୟରେ ବି ବିଏମ୍‌ସି ଶ୍ରୀଲିଙ୍ଗରାଜ ମନ୍ଦିର ଅଞ୍ଚଳରରେ ଉଚ୍ଛେଦ କାର୍ଯ୍ୟ ଜାରି ରଖିଛି। ଶନିବାର ତଳ ବଜାରର ୭ଟି ପୁରୁଣା ଦୋକାନ ଘରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ଶିବତୀର୍ଥ ମଠ ମହନ୍ତଙ୍କ ସମାଧି କଡ଼ରେ ଥିବା ଏହି ଦୋକାନ ଘରକୁ ଭାଙ୍ଗି ଉଚ୍ଛେଦ କରାଯାଇଛି। ସଟ୍‌ଡାଉନ୍‌ ବେ‌ଳେ ବିଏମ୍‌ସି ଏହି ଉଚ୍ଛେଦ କାର୍ଯ୍ୟ ଜାରି ରଖି ନିଜେ ନିୟମ ଉଲ୍ଲଘଂନ କରିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଭୁବନେଶ୍ବରରେ କରୋନା ସଂକ୍ରମଣ ବୃଦ୍ଧି ପା‌ଉଥିବା ସମୟରେ ଉଚ୍ଛେଦ ପ୍ରକ୍ରିୟା କେତେ ଦୂର ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରଶାସନକୁ ହସ୍ତାନ୍ତର ହୋଇଥିବା ଜମିରୁ ଉଚ୍ଛେଦ କାର୍ଯ୍ୟ ଚାଲିଛି। ମହାମାରୀ କରୋନା ଯୋଗୁଁ ଉଚ୍ଛେଦ ପ୍ରକ୍ରିୟାରେ ଲୋକଙ୍କୁ ଭୟଭୀତ କରାଯିବ ନାହିଁ କୁହାଯାଇଥିଲା। କିନ୍ତୁ ଏବେ ଶୀଘ୍ର ଖାଲି କର ବୋଲି ଧମକ ଦିଆଯାଉଛି ଓ ଘର ଭଙ୍ଗା ଯାଉଛି। ଫଳରେ ଭଙ୍ଗା ଯାଇଥିବା ଦୋକାନ ଉପରେ ନିର୍ଭର କରୁଥିବା ଲୋକେ ଏବେ ପୂରା ବେକାର ହୋଇଗଲେ। ଗତ ୩ ମାସ ହେଲା ମହାମାରୀ କରୋନା ସେମାନଙ୍କ ରୋଜଗାର ବାଟ ବନ୍ଦ କରି ଦେଇଥିଲା। କିନ୍ତୁ କଟକଣା କୋହଳ ହେବା ପରେ ଉକ୍ତ ଦୋକାନରୁ କିଛି କିଛି ଘର ଚଳିବା ଭଳି ଖର୍ଚ୍ଚ ଉଠୁଥିଲା। କିନ୍ତୁ ଆଜି ଉଚ୍ଛେଦ ହେବା ପରେ ରୋଜଗାର ବାଟ ପୁରା ବନ୍ଦ। ଏକାମ୍ର ମୁରବି ମଞ୍ଚର ଉପସଭାପତି ରବୀନ୍ଦ୍ର ମହାରଣାଙ୍କ ଅଭିଯୋଗ ଅନୁସାରେ କରୋନା ସମୟରେ ଲୋକଙ୍କୁ ରୋଜଗାର ଦେବା କଥା‌, କିନ୍ତୁ ବିଏମ୍‌ସି ରୋଜଗାର ଉଜାଡ଼ୁଛି। ସଟ୍‌ଡାଉନ୍‌ ବେଳେ କେହି ବାହାରକୁ ବାହରିବେନି ବୋଲି କଟକଣା ଲାଗୁ କରିଥିବାବେଳେ ବିଏମ୍‌ସି ନିଜେ ଏହାର ଉଲଂଘନ କରୁଛି। ନିର୍ବାଚିତ ଲୋକ ପ୍ରତିନିଧି ନଥିବାରୁ ଅଧିକାରୀମାନେ ମନଇଚ୍ଛା କାର୍ଯ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅଙ୍କୁଶ ଅନୁଷ୍ଠାନର ସମ୍ପାଦକ ଆଇନଜୀବୀ ଅରୁଣ କୁମାର ନାୟକଙ୍କ କହିବା କଥା ବିଏମ୍‌ସି, ପୂର୍ତ୍ତ ବିଭାଗ ଓ ଓଡ଼ିଶା ବ୍ରିଜ୍‌ ଆଣ୍ଡ କନ୍‌ଷ୍ଟ୍ରକସନ୍‌ ଲିମିଟେଡ ପରି ସଂସ୍ଥାର ଠିକାଦାର ଓ ଅଫିସରଙ୍କ ମନମାନୀ ପାଇଁ ଲୋକଙ୍କୁ ଏଭଳି ହଇରାଣ କରାଯାଉଛି। ଏଏସ୍ଆଇର ଅନୁମତି ବିନା ଐତିହ୍ୟସ୍ଥଳରୁ ୧୦୦ ମିଟର ଦୂରରେ କୌଣସି ଭଙ୍ଗା ଗଢ଼ା କରିବା ନିୟମ ନଥିଲେ ମଧ୍ୟ ଏହା ଚାଲିଛି। ଏହା ଦ୍ବାରା ଶ୍ରୀଲିଙ୍ଗରାଜ କ୍ଷେତ୍ରର କୀର୍ତ୍ତିରାଜି ପ୍ରତି ବିପଦ ସୃଷ୍ଟି ହେବା ସହ ଐତିହ୍ୟସ୍ଥଳର ସୌନ୍ଦର୍ଯ୍ୟହାନି ହେଉଛି ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର