ଶ୍ରୀମନ୍ଦିରକୁ ବିପଦ : ନାଟମଣ୍ଡପ ବିମ୍‌ ଦବୁଛି

ପୁରୀ : ଶ୍ରୀମନ୍ଦିର ନାଟ୍ୟମଣ୍ଡପର ଗରୁଡସ୍ତମ୍ଭ ନିକଟରେ ବିମ୍‌ ଦବୁଛି। ଏଭଳି ଅଭିଯୋଗ ଆସିବା ପରେ ଆସନ୍ତା ୧୬ ତାରିଖରେ ଶ୍ରୀମନ୍ଦିରର ଗର୍ଭଗୃହ ଓ ଜଗମୋହନର ସ୍ଥିତି ଯାଞ୍ଚ ହେବ। ଏଥିପାଇଁ ରଥଯାତ୍ରା ପରଦିନ ଅର୍ଥାତ ୧୫ ତାରିଖରେ ଜଗମୋହନ ଓ ଗର୍ଭଗୃହରେ ଭାର ବନ୍ଧା ହେବ। ଶ୍ରୀମନ୍ଦିର ପ୍ରଶାସନ, ଏଏସ୍‌ଆଇ କୋର୍‌ କମିଟି ଏବଂ ଯୁଗ୍ମ କମିଟିର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହାର ଯାଞ୍ଚ ହେବ।

ବୁଧବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଆୟୋଜିତ ଏକ ବୈଠକରେ ଏହା ସ୍ଥିର ହୋଇଛି। ମିଳିଥିବା ସୂଚନା ମୁତାବକ, ଯାଞ୍ଚ ପରେ ୧୬ରୁ ୨୩ ତାରିଖ ମଧ୍ୟରେ ଗର୍ଭଗୃହର ସଂରକ୍ଷଣ କାର୍ଯ୍ୟ ଶେଷ ହେବ। ଚଳିତ ବର୍ଷ ଜଗମୋହନ ମରାମତି କାମ ଶେଷ ହୋଇଥିବା ବେଳେ ଏହି କମିଟି ଜଗମୋହନର ସ୍ଥିତି ମଧ୍ୟ ଯାଞ୍ଚ କରିବ। ୧୬ ତାରିଖରେ ରୁର୍‌କିସ୍ଥିତ ସିବିଆର୍‌ଆଇର ବିଶେଷଜ୍ଞ ଦଳ ପହଞ୍ଚିବେ। ଏହି ଟିମ୍‌ ଜରିଆର ଜଗମୋହନରେ ଲୋଡ୍‌ସେଲ୍‌ ସ୍ଥାପନ କରାଯିବ। ଲୋଡସେଲ୍‌ ସ୍ଥାପନକୁ ଏଏସ୍‌ଆଇ ଡିଜିଙ୍କ ପକ୍ଷରୁ ମଂଜୁରି ମିଳି ସାରିଛି। ଜଗମୋହନରେ ପୋର୍ଟାଲ ଫ୍ରେମ୍‌ ଲଗାଯାଇଛି। ପଥରକୁ ଭାରା ଦେଇ ରହିଛି ପୋଟାଲ ଫ୍ରେମ୍‌। ପୋଟାଲ ଫ୍ରେମ୍‌ ଉପରେ ପଥର ଚାପ କେତେ ରହୁଛି, କେତେ ପରିମାଣର ଚାପ ବଢୁଛି ଓ ଜଗମୋହନକୁ ପୋର୍ଟାଲ ଫ୍ରେମ୍‌ କେତେ ଦୂର ସୁରକ୍ଷା ଦେଇପାରୁଛି ଏ ସବୁର ଆକଳନ ଲୋଡ୍‌ସେଲ୍‌ କରିବ। ସେହିଭଳି ୧୬ରୁ ୨୩ ତାରିଖ ପର୍ଯ୍ୟନ୍ତ ନାଟମଣ୍ଡପର ସ୍ଥିତି ଯାଞ୍ଚ ହେବ। ଜଗମୋହନ ଓ ନାଟମଣ୍ଡପର ସଂଯୋଗ ସ୍ଥଳ ମରାମତି କାମ ୧୬ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ମଧ୍ୟରେ ସରିବ। ସେଠାରେ ୩ଟି ବିମ୍‌ ସ୍ଥାପନ ହେବ। ଏହି ସମୟ ମଧ୍ୟରେ ଜଗମୋହନରେ ଏସି ଲାଗିବ। ଏହା ସହିତ ଗର୍ଭଗୃହ ଓ ଜଗମୋହନର ବାୟୁ ନିଷ୍କାସନ ବ୍ୟବସ୍ଥା ଯାଞ୍ଚ କରାଯିବ। ବୈଠକରେ ପୂର୍ତ୍ତ ସଚିବ, ଏଏସ୍‌ଆଇ ଅଧୀକ୍ଷକ, କୋର୍‌ କମିଟି ସଦସ୍ୟ ଓ ଯୁଗ୍ମ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର