ନନ୍ଦନକାନନରେ କେନ୍ଦ୍ର ଚିଡ଼ିଆଖାନା କର୍ତ୍ତୃପକ୍ଷ: ହାତୀ ମୃତ୍ୟୁ ନେଇ କହିଲେ- ଏହା ଚିଡିଆଖାନା ଇତିହାସରେ ପ୍ରଥମ ଘଟଣା

ହାତୀ ମୃତ୍ୟୁ ନେଇ ସ୍ଥିତି କଲେ ଅନୁଧ୍ୟାନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବୁଧବାର କେନ୍ଦ୍ର ଚିଡ଼ିଆଖାନା କର୍ତ୍ତୃପକ୍ଷ ପହଂଚି ହାତୀ ମୃତ୍ୟୁ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। କେନ୍ଦ୍ର ଚିଡିଆଖାନା କର୍ତ୍ତୃପକ୍ଷର ସଚିବ ଏସ୍‌ ପି ଯାଦବ ଓ ଜାତୀୟ ହରପିସ୍‌ ପ୍ରକଳ୍ପ ମୁଖ୍ୟ ଗୌରାଙ୍ଗ ମହାତୋ ହାତୀ ମୃତ୍ୟୁ ସଂପର୍କରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

ବୈଠକ ପରେ କେନ୍ଦ୍ର ଚିଡ଼ିଆଖାନା କର୍ତ୍ତୃପକ୍ଷ କହିଛନ୍ତି, ହରପିସ୍‌ ରୋଗରେ ୫ ପ୍ରତିଶତ ହାତୀଙ୍କର ମୃତ୍ୟୁ ଘଟିଥାଏ। ଏହା ହେଉଛି ଚିଡ଼ିଆଖାନା ଇତିହାସରେ ପ୍ରଥମ ଘଟଣା। ହରପିସ୍‌ ଭାଇରସ୍‌ ମାଈ ହାତୀମାନଙ୍କ ଠାରେ ଦେଖାଯାଇଥାଏ। ସଂକ୍ରମଣ ଯୋଗୁଁ ହାତୀମାନଙ୍କର ମୃତ୍ୟୁ ଘଟିଛି। ନନ୍ଦନକାନନ କର୍ତ୍ତୃପକ୍ଷ ନିୟମିତ ଭାବେ ଆମ ସହିତ ଯୋଗାଯୋଗ ରଖିଥିଲା। ତେଣୁ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ରୂପେ ନିର୍ଦ୍ଦୋଷ।

ସମୀକ୍ଷା ବୈଠକରେ ନନ୍ଦନକାନନର ଉପ-ନିର୍ଦ୍ଦେଶକ ଜୟନ୍ତ ଦାସ, ପିସିସିଏଫ୍‌ ହରିଶଙ୍କର ଉପାଧ୍ୟାୟ, ଓୟୁଏଟି (ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ)ର ପାଥୋଲୋଜି ମୁଖ୍ୟ ଡ. ସୁଶେନ ପଣ୍ଡା ଉପସ୍ଥିତ ଥିଲେ।

ରାଜଧାନୀ ଭୁବନେଶ୍ୱରରେ ପର୍ଯ୍ୟଟକଙ୍କ ପାଇଁ ଥିବା ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ‘ନନ୍ଦନକାନନ’ରେ ଏକ ମାସ ମଧ୍ୟରେ ୪ଟି ହାତୀର ମୃତ୍ୟୁ ହୋଇଛି। ୪ଟି ହାତୀ ମୃତ୍ୟୁ ପରେ ଆରମ୍ଭ ହୋଇଛି ସମୀକ୍ଷା। ହାତୀଙ୍କ ମୃତ୍ୟୁର ବିଭୀଷିକା ପରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି।

ସମ୍ବନ୍ଧିତ ଖବର