ଡାକ୍ତରଙ୍କୁ ମନେଇବାକୁ ଏପ୍ରିଲ ଶେଷ ସୁଦ୍ଧା ଡିଏସିପି; ଗୋଟିଏ ଥର ବ୍ୟବସ୍ଥା କୋହଳ ହେବ, ମିଳିବ ପଦୋନ୍ନତି

ଭୁବନେଶ୍ବର : ମାରାତ୍ମକ କରୋନା ମୁକାବିଲା କ୍ଷେତ୍ରରେ ଡାକ୍ତରଙ୍କ ଭୂମିକା ଏବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। କରୋନା ସ୍ଥିତି ଯେତିକି ଗମ୍ଭୀର ହେଉଛି, ସରକାର ସେମାନଙ୍କ ଉପରେ ସେତିକି ଅଧିକ ନିର୍ଭରଶୀଳ ହେବାରେ ଲାଗିଛନ୍ତି। ଏପରି ପରିସ୍ଥିତିରେ ଡାକ୍ତରଙ୍କୁ ମନାଇବା ପରେ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ମନୋବଳ ବୃଦ୍ଧି ପାଇଁ ଆଗୁଆ ୪ମାସର ଦରମା ଦେବାକୁ ଘୋଷଣା କରାଯାଇଥିଲା। ଆଜି ଆଉ ପାଦେ ଆଗକୁ ଯାଇଛନ୍ତି। ଏପ୍ରିଲ ୩୦ତାରିଖ ସୁଦ୍ଧା ଡାକ୍ତରଙ୍କ ପଦୋନ୍ନତି ସମସ୍ୟାର ସମାଧାନ କରିବେ ବୋଲି ସରକାରୀ ନିଷ୍ପତ୍ତି ହୋଇଛି। ଯଦିଓ ଡାକ୍ତରଙ୍କ ପଦୋନ୍ନତି ନିମନ୍ତେ ଡିଏସିପି ଲାଗୁ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଷେ ପୂର୍ବରୁ ଘୋଷଣା କରିଥିଲେ, ତାହା କିନ୍ତୁ ଏଯାଏ ଘୋଷଣାରେ ଅଟକି ଯାଇଥିଲା। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସଂକ୍ରାନ୍ତ ସମୟ ଧରି ଘୋଷଣା କରିଥିଲେ, କିନ୍ତୁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା। ପିଏଆର(ପରଫରମାନ୍ସ ଆପ୍ରାଇଜାଲ ରିପୋର୍ଟ) ଆବଶ୍ୟକ ଥିବାରୁ ଡାକ୍ତରମାନେ ପଦୋନ୍ନତି ପାଇପାରୁନଥିବା କୁହାଯାଉଥିଲା।

ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ଓଡ଼ିଶା ମେଡିକାଲ ଓ ସ୍ୱାସ୍ଥ୍ୟ ସେବା କ୍ୟାଡ଼ରର ମେଡିକାଲ ଅଫିସରମାନଙ୍କ ପାଇଁ ଡାଇନାମିକ ଆସ୍ୟୁଏଡ୍ କ୍ୟାରିୟର ପ୍ରୋଗ୍ରେସନ(ଡିଏସିପି)କୁ ତତ୍କାଳ ଲାଗୁ କରାଯିବ। କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣକୁ ରୋକିବା ଓ ଏହାର ପରିଚାଳନା ଦିଗରେ ଓଡ଼ିଶା ମେଡିକାଲ ଓ ସ୍ୱାସ୍ଥ୍ୟ ସେବା କ୍ୟାଡ଼ରର ମେଡିକାଲ ଅଫିସରମାନେ ଏବେ ଆମ ସ୍ୱାସ୍ଥ୍ୟ କ୍ଷେତ୍ରର ଅଗ୍ରଣୀ ଭୂମିକା ତୁଲାଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡିଏସିପି ଯୋଜନା ଅନ୍ତର୍ଗତ ସେମାନଙ୍କର ପଦୋନ୍ନତିକୁ ତ୍ୱରାନ୍ୱିତ କରିବା ନିମନ୍ତେ ନିୟମରେ ଗୋଟିଏ ଥର କୋହଳ କରିବେ। ଅର୍ଥାତ୍ ପିଏଆରକୁ ଗୋଟିଏ ଥର ପାଇଁ କୋହଳ କରାଯାଇ ୭ବର୍ଷ ପରିବର୍ତ୍ତେ ୩ ବର୍ଷ କରାଯାଇଛି। ଡାକ୍ତରଙ୍କ ସୁବିଧା ନିମନ୍ତେ ଏହି ସମସ୍ତ ପ୍ରକ୍ରିୟା ଏପ୍ରିଲ ୩୦ତାରିଖ ସୁଦ୍ଧା ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗକୁ କଣ୍ଟ ଦେଇଛନ୍ତି।

ଡିଏସିପି ପାଇଁ ଡାକ୍ତରମାନେ ବର୍ଷବର୍ଷ ଧରି ଦାବି କରି ଆସୁଥିଲେ। ସରକାର କିନ୍ତୁ ଏହାକୁ କର୍ଣ୍ଣପାତ କରୁନଥିଲେ। ଗତ ୨୦୧୯ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ସମସ୍ତଙ୍କ ଦାବି ପୂରଣ କରିବା ବେଳେ ସରକାରଙ୍କ ପକ୍ଷରୁ ଡାକ୍ତରଙ୍କ ଦାବି ଉପରେ ବି ପଦକ୍ଷେପ ନିଆଯାଇଥିଲା ଓ ସରକାର ଡିଏସିପି ଦାବି ଉପରେ ହଁ ମାରିଥିଲେ।

ସମ୍ବନ୍ଧିତ ଖବର