ଭିଜିଲାନ୍ସ ଜାଲରେ ତହସିଲଦାର : ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଡାଟା ଏଣ୍ଟ୍ରି ଅପରେଟର୍‌, ୧ଲକ୍ଷ ୨୦ ହଜାର ଟଙ୍କା ଜବତ

ବାଲିଅନ୍ତା : ଜମିର କିସମ ବଦଳାଇବା ପାଇଁ ଜଣେ ବିଲଡର୍‌ଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଧରାପଡ଼ିଛନ୍ତି ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ। ତାଙ୍କ ସହିତ ତହସିଲ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର୍‌ ଧନେଶ୍ବର ସାହୁ ମଧ୍ୟ ଧରାପଡ଼ିଛନ୍ତି। ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଉଭୟଙ୍କୁ ଗିରଫ କରିବା ସହ ଛାନ୍‌ଭିନ୍‌ ଜାରି ରଖିଛି। ଚଢ଼ଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ଧନେଶ୍ବରଙ୍କଠାରୁ କେମିକାଲ ବୋଳା ଲକ୍ଷେ ୨୦ ହଜାର ଟଙ୍କା ଜବତ କରିଛନ୍ତି। ଅପରପକ୍ଷେ ତହସିଲଦାର ଶ୍ରୀମତୀ ପ୍ରଧାନଙ୍କ ଭଡ଼ାଘର ଓ ପୈତୃକ ଘରେ ମଧ୍ୟ ଚଢ଼ଉ କରାଯାଇଥିଲା।

ଭଡ଼ାଘରୁ କିଛି ସୁନାଗହଣା ସମେତ ୧୦ଟି ବ୍ୟାଙ୍କ ପାସବୁକ୍‌ ଏବଂ କିଛି ଆପତ୍ତିଜନକ ଅଫିସ୍‌ କାଗଜପତ୍ର ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି।

ରାଜ୍ୟ ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର ଖାରବେଳନଗର ଥାନା ଅଧୀନ ଶାସ୍ତ୍ରୀନଗର ଅଞ୍ଚଳର କୈଳାସ ରଥ ନାମକ ଜଣେ ବିଲ୍ଡର୍‌ ଏ ଅଞ୍ଚଳରେ କିଣିଥିବା ୧ ଏକର ୨୨୫ ପରିମିତ ଜମିକୁ ଘରବାଡ଼ି କରିବା ଲାଗି ବାଲିଅନ୍ତା ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏଥିପାଇଁ ଡାଟା ଏଣ୍ଟ୍ରି ଅପରେଟର୍‌ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥି‌ଲେ। ତେବେ ତହସିଲଦାରଙ୍କ ପ୍ରରୋଚନାରେ ସେ ଏହି ଲାଞ୍ଚ ମାଗିଥିବା ଶ୍ରୀ ରଥ ଭୁବନେଶ୍ବର ଭିଜିଲାନ୍ସ‌ରେ ଅଭିଯୋଗ କରିଥିଲେ। ରଥ ଅଭି‌ଯୋଗ କରିଥିଲେ, ସେ ତହସିଲଦାର ଶ୍ରୀମତୀ ପ୍ରଧାନଙ୍କୁ ଭେଟିଥିଲେ। କିନ୍ତୁ ଶ୍ରୀମତୀ ପ୍ରଧାନ ତାଙ୍କୁ କହିଥିଲେ ଯେ ଧନେଶ୍ବର ଯାହା କହୁଛନ୍ତି ସେ ତାହା କରନ୍ତୁ। ଅନ୍ୟ ଉପାୟ ନପାଇ ସେ ଭିଜିଲାନ୍ସକୁ ଜଣାଇଥିଲେ। ଅଭିଯୋଗକୁ ଭିତ୍ତି କରି ଉଭୟଙ୍କୁ ଧରିବା ପାଇଁ ଭିଜିଲାନ୍ସ ପକ୍ଷରୁ ଜାଲ ବିଛା ଯାଇଥିଲା।

ପୂର୍ବ ଯୋଜନା ଅନୁସା‌‌ରେ ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଡାଟା ଏଣ୍ଟ୍ରି ଅପରେଟର୍‌ ଶ୍ରୀ ସାହୁ ଅଫିସ୍‌ଠାରୁ କିଛି ଦୂରରେ ଜମିର କ୍ରେତା ଶ୍ରୀ ରଥଙ୍କଠାରୁ ଲାଞ୍ଚ ଟଙ୍କା ନେବାବେଳେ ପୂର୍ବରୁ ସେଠାରେ ପ୍ରସ୍ତୁତ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରି ନେଇଥିଲେ। ତାଙ୍କ ହାତରୁ ରସାୟନିକ ଦ୍ରବ୍ୟ ବୋଳା ଏହି ଟଙ୍କା ମଧ୍ୟ ଜବତ କରିଥିଲା। ଡାଟାଏଣ୍ଟ୍ରି ଅପରେଟର୍‌ ଶ୍ରୀ ସାହୁଙ୍କୁ ଗିରଫ କରିବା ବେଳେ ତହସିଲଦାର ନିଜ ଭଡ଼ା ଘରେ ଥିଲେ।

ଏ ସଂପର୍କରେ ତହସିଲଦାରଙ୍କୁ ଯୋଗାଯାଗ କରାଯିବାରେ ସେ ଆଦୌ କିଛି ଜାଣି ନଥିବା କହିଛନ୍ତି। ଅନ୍ୟପକ୍ଷରେ ଡାଟା ଏଣ୍ଟ୍ରି ଅପରେଟର୍‌ ଶ୍ରୀ ସାହୁ ଅନୁରୂପ ଭାବେ ତହସିଲଦାର ଘଟଣା ସଂପର୍କରେ କିଛି ଜାଣି ନଥିବା କହିବା ସହ ଉକ୍ତ ଟଙ୍କା ବିଲ୍ଡର ଜଣକ କାଗଜପତ୍ର ଏବଂ ଅଫିସ ଖର୍ଚ୍ଚ ବାବଦରେ ପୈଠ କରିବା ପାଇଁ ପ୍ରଦାନ କରିଥିବା ସଫେଇ ଦେଇଛନ୍ତି। ତହସିଲ କାର୍ଯ୍ୟାଳୟ ସାନିଟାଇଜ୍‌ କାମ ଚାଲିଥିବାରୁ ଅଫିସ୍‌ ବାହାରୁ ଟଙ୍କା ନେଇଥିବା ସେ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର