ଟ୍ରଲିରେ ବୁହା ହୋଇ ଜଙ୍ଗଲରେ ପୋତିବାକୁ ନେଉଥିଲେ ମୃତଦେହ, ମୃତ୍ୟୁ ପରେ କାନ୍ଧ ଦେବାକୁ ନଥିଲେ ଆତ୍ମୀୟ ପରିଜନ

ମିଡ଼ିଆ ହସ୍ତକ୍ଷେପ ପରେ ଘରୋଇ ଆମ୍ବୁଲାନ୍‌ସରେ ଶ୍ମଶାନକୁ ଦାହ ପାଇଁ ଗଲା ମୃତଦେହ

ବାରିପଦା: ସାଧାରଣତଃ କୌଣସି ବ୍ୟକ୍ତିର ମୃତ୍ୟୁ ହେଲେ ଅନ୍ତିମ ସଂସ୍କାର ପାଇଁ ପରିବାରର ସଦସ୍ୟ, ବନ୍ଧୁବାନ୍ଧବ, ଆତ୍ମୀୟ ପରିଜନ ଅଥବା ସହିପଡ଼ିଶା କାନ୍ଧ ଦେଇ ଶ୍ମଶାନକୁ ଦାହ ନିମନ୍ତେ ନେଇଥାନ୍ତି। ମାତ୍ର ବାରିପଦା ସହରରେ ଏହାର ବିପରୀତ ଦେଖିବାକୁ ମିଳଛିା।ଆଜି ୩ ଜଣ ଲୋକ ଏକ ଟ୍ରେଲିରେ ଏକ ମୃତଦେହକୁ ବୋହି ମେଞ୍ଚାବନ୍ଧା ଜଙ୍ଗଲରେ ପୋତିବାକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ବାଧା ଦେଇଥିଲେ। ଫଳରେ ସେମାନେ ପୁଣି ଟ୍ରଲିରେ ଶବକୁ ପକାଇ ଫେରି ଆସୁଥିବା ବେଳେ ୧୮ ନମ୍ବର ଜାତୀୟ ରାଜପଥରେ କେତେକ ସ୍ଥାନୀୟ ଜନତା ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କ ନଜରକୁ ଆସିଥିଲା। ପରେ ବାରିପଦା ଟାଉନ ଥାନାକୁ ଏବାବଦରେ ସୂଚନା ମିଳିଥିଲା। ଟାଉନ ଥାନା ଅଧିକାରୀ ଏକ ଘରୋଇ ଆମ୍ବୁଲାନସ ପଠାଇ ଶବକୁ ଦାହ ନିମନ୍ତେ ଶ୍ମଶାନକୁ ପଠାଇଥିଲେ।

ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାରିପଦା ସହରର ପାଲବଣି ଅଞ୍ଚଳରେ। ସୂଚନା ମୁତାବକ, ମୃତ ବ୍ୟକ୍ତି ଜଣକ ଭୂତ ଓରଫ ଧନୁ ସିଂ ବୋଲି ଜଣାପଡ଼ିଥିବା ବେଳେ ତାର ଠିକଣା ବିଷୟରେ କାହାକୁ ଜଣା ନ ଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଧନୁ ସିଂ ଆଜକୁ ୬/୭ ବର୍ଷ ହେବ ପାଲବଣି ଅଞ୍ଚଳରେ ରହି ମୁଟିଆ କାମ କରୁଥିଲେ। ତେଣୁ ତାଙ୍କର ଘର ଓ ପରିବାର ସମ୍ପର୍କରେ କାହାକୁ କିଛି ଜଣା ନ ଥିଲା। ଏପରିକି ଧନୁ ସିଂ ମଧ୍ୟ ନିଜର ଘର ପରିବାର ବାବଦରେ କାହାକୁ କେବେ କିଛି କହିନଥିଲେ। ଭୂତ ଓରଫ ଧନୁ ପାଲବଣି ଶୀତଳ ଭଣ୍ଡାର ନିକଟ ଏକ ବ୍ୟବାସାୟୀଙ୍କ ନିକଟରେ ଲେବର ଭାବେ କାର୍ଯ୍ୟ କରୁଥିଲେ।

ଘରଦ୍ୱାର ନଥିବାରୁ ପାଲବଣି ଅଞ୍ଚଳର ସୁରଜ ସୋରେନ ଧନୁ ସିଂଙ୍କୁ ରାତିରେ ଶୋଇବା ପାଇଁ ନିଜ ଘର ବାରଣ୍ଡାରେ ଆଶ୍ରା ଦେଇଥିଲେ। ସେହିପରି ସୁରଜ ସୋରେନଙ୍କ କହିବା ଅନୁସାରେ ଧନୁ ୪-୫ ଦିନ ହେବ ଅସୁସ୍ଥ ରହିଥିଲେ। ଗତକାଲି ବିଳମ୍ବିତ ରାତିରେ ବାହାରକୁ ଉଠିଥିବା ସମୟରେ ଧନୁକୁ ଡାକ ପକାଇଥିଲେ ମଧ୍ୟ କୌଣସି ଉତ୍ତର ଆସିନଥିଲା। ନିକଟକୁ ଯିବା ପରେ ଧନୁର ମୃତ୍ୟୁ ହୋଇଥିବାର ଜାଣିବାକୁ ପାଇଥିଲେ।

ଆଜି ସକାଳେ ଏ ବାବଦରେ ବାରିପଦା ଟାଉନ ଥାନାରେ ଲିଖିତ ଜଣାବା ସହ ଶବ ସତ୍କାର ବ୍ୟବସ୍ଥା କରାଇବାକୁ ନିବେଦନ କରିଥିଲେ। ବାରିପଦା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ପୋତି ଦେବାକୁ କହିଥିଲେ ବୋଲି ସୁରଜ କହିଛନ୍ତି। ସେହିପରି ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ ନଂ ଜାତୀୟ ରାଜପଥରେ ଟ୍ରଲିରେ ଏକ ଶବ ବୁହାଯାଉଥିବାର ଦୃଶ୍ୟ ଦେଖି ଏକ ଗଣମାଧ୍ୟମର ପ୍ରତିନିଧି ପୋଲିସକୁ ଫୋନ କରିଥିଲେ। ତେଣୁ ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ନିଜ ଖର୍ଚ୍ଚରେ ଏକ ଆମ୍ବୁଲାନ୍‌ସ ପଠାଇ ମୃତଦେହକୁ ମଶାଣିକୁ ନେବାରେ ସାହାଯ୍ୟ କରିଥିବାର କହିଥିଲେ।

ସମ୍ବନ୍ଧିତ ଖବର