ବିଲରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ଠାରୁ ମାତ୍ର ଏକ କିଲୋମିଟର ଦୂରରେ ରହିଥିବା ଗୁଣ୍ଠାଗୁଡା ନିକଟସ୍ଥ ବିଲରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳୁ ଗ୍ରାମର କିଛି ଲୋକ ଶୈଚ ହେବାପାଇଁ ପୋଖରୀକୁ ଯାଉଥିବା ବେଳେ ପରଜା ଶ୍ମଶାନ ପାଖ ବିଲରେ ନବଜାତ ଶିଶୁର ମୃତଦେହ ଦେଖିବାକୁ ପାଇଥିଲେ। ସେମାନେ ଏସଂପର୍କରେ ସରପଞ୍ଚଙ୍କୁ ଖବର ଦେଇଥିଲେ। ବୈପାରିଗୁଡା ସରପଞ୍ଚ ଭାଗିରଥି ମୁର୍ଜିଆ ତୁରନ୍ତ ସେହି ସ୍ଥାନରେ ପହଞ୍ଚିଥିଲେ ଏବଂ ପୁଲିସକୁ ଜଣାଇଥିଲେ।

ଆଇଆଇସି ରଘୁନାଥ ମାଝୀ ଏବଂ ଏସ୍ଆଇ ଅସିତ କୁମାର ବଳବନ୍ତରାୟ ଘଟଣାସ୍ଥଳରେ ପହଂଚି ମୃତ ଶିଶୁର ଶବକୁ ଜବତ କରିଥିଲେ। ଘଟଣାସ୍ଥଳରେ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଅଧିରାଜ ସାହୁ ଶବଟିକୁ ତନଖି କରି ଶିଶୁଟି ମୃତ ଅବସ୍ଥାରେ ଜନ୍ମ ନେଇଥିବାରୁ ତାଙ୍କୁ ଫୋପାଡି ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି।

ତେବେ ଗ୍ରାମବାସୀମାନେ ଶିଶୁଟିର ମୃତଦେହକୁ ବାହାରୁ କେହି ଆଣି ବିଲରେ ଫୋପାଡି ଦେଇଛନ୍ତି ବୋଲି କହିଛନ୍ତି। ଡ଼ା ସାହୁ ଏବଂ ସ୍ଥାନୀୟ ଅଂଗନବାଡି କର୍ମୀ ଗୁଣ୍ଠାଗୁଡା ତଥା ଆଖପାଖ ଗ୍ରାମର କୌଣସି ଗର୍ଭବତୀ ମହିଳା ଗତ ଦୁଇ ତିନି ମଧ୍ୟରେ ପ୍ରସବ କରିନଥିବା ପ୍ରକାଶ କରିଛନ୍ତି। ପୁଲିସ ଏବଂ ଡାକ୍ତର ଉପସ୍ଥିତିରେ ସରପଞ୍ଚ ଶ୍ରୀ ମୁର୍ଜିଆ ସ୍ଥାନୀୟ ଯୁବକ ଧନପତି ଜାନୀ ସହ ନିଜେ ଗାତ ଖୋଳି ନିକଟରେ ଥିବା ପରଜା ଶ୍ମଶାନରେ ପୋତି ଦେଇଥିଲେ।

ସମ୍ବନ୍ଧିତ ଖବର