ଘୋଡ଼ାଗାଡ଼ିରୁ ପଡ଼ି ସର୍ଜରି ବିଶେଷଜ୍ଞ ଡାକ୍ତର ଶିଶିର କୁମାର ପ୍ରଧାନଙ୍କ ମୃତ୍ୟୁ, ହୃଦଘାତ ସନ୍ଦେହ

ଫୁଲବାଣୀ: ମାତା ବୈଷ୍ଣୋଦେବୀଙ୍କ ଦର୍ଶନ କରିବାକୁ ଯାଇଥିବା ବେଳେ ଜଣେ ବିଶିଷ୍ଟ ଚିକିତ୍ସକଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସର୍ଜରି ବିଶେଷଜ୍ଞ ଭାବେ କାର୍ଯ୍ୟରତ ଡାକ୍ତର ଶିଶିର କୁମାର ପ୍ରଧାନ ନିଜର ପତ୍ନୀ ଏବଂ ପୁଅଙ୍କ ସହ ଗତ ୫ ତାରିଖରେ ଫୁଲବାଣୀରୁ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ଲାଗି ଯାତ୍ରା ଆରମ୍ଭ କରିଥିଲେ।
ଗତକାଲି ଅପରାହ୍ନରେ ସେ ସେଠାରେ ପହଞ୍ଚି ପତ୍ନୀ ଓ ପୁଅ ସହ ଏକ ଘୋଡ଼ାଗାଡ଼ିରେ ଯାଉଥିଲେ। ହଠାତ୍ ଡାକ୍ତର ଶିଶିର କୁମାର ପ୍ରଧାନ ଘୋଡ଼ାଗାଡ଼ିରୁ ତଳକୁ ପଡ଼ିଯାଇଥିଲେ। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁ ଡାକ୍ତର ଶିଶିର କୁମାର ପ୍ରଧାନଙ୍କର ମୃତ୍ୟୁ ଘଟିଥିବାର ସନ୍ଦେହ କରାଯାଉଛି।

image source-oneindia

ଡାକ୍ତର ଶିଶିର କୁମାର ପ୍ରଧାନଙ୍କ ଘର ବ୍ରହ୍ମପୁରରେ ବୋଲି ଜଣାଯାଇଛି। ତେବେ ସେ ବହୁ ବର୍ଷ ଧରି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସର୍ଜରି ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିଲେ। ସେ ସପରିବାର ଫୁଲବାଣୀରେ ରହୁଥିଲେ। ତାଙ୍କର ଅକାଳ ବିୟୋଗରେ ସେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏବେ ତାଙ୍କ ମୃତ ଦେହକୁ ପୁରୀ ଆଣି ସ୍ୱର୍ଗଦ୍ୱାରରେ  ଅନ୍ତିମ ସଂସ୍କାର କରିବା ପାଇଁ ବ୍ୟବସ୍ଥା ଚାଲିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର