ଡଙ୍କାରୀରେ ଜିଲ୍ଲା ପରିବେଶ ଟିମ୍‌ର ଛାନ୍‌ଭିନ୍‌

ରାଜନୈତିକ ଚାପ ନା ଭିତିରି ବୁଝାମଣା!

ଯାଜପୁର/ଚଢ଼େଇଧରା : ଡଙ୍କାରୀ ପାହାଡ଼ାରେ ପହଞ୍ଚିଛନ୍ତି ଜିଲ୍ଲାସ୍ତରୀୟ ପରିବେଶ ପ୍ରଭାବ ମୂଲ୍ୟାୟନ ପ୍ରାଧିକରଣ(ଡିଇଆଇଏ)ର ଏକ ପ୍ରତିନିଧିଦଳ। କାହାରିକୁ ଖବର ନଦେଇ ଡିଆ(ଡିଇଆଇଏଏ) ଦଳ ସେଠାରେ ପହଞ୍ଚି ପାହାଡ଼ ପରଖ କରିଛି। ଏହି ପ୍ରତିନିଧି ଦଳ ଆଜି ପାହାଡ଼ରେ ଛାନଭିନ୍‌ କରିଛନ୍ତି। ତେବେ, ଅଚାନକ ଏହି ପ୍ରତିନିଧି ଦଳର ଗସ୍ତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବେଆଇନ୍‌ ଭାବେ କଳାପଥର ଖନନ ଚାଲିଥିବା କେତେକ ଖାଦାନକୁ ଆଇନ୍‌ ଅନୁଯାୟୀ ସ୍ୱୀକୃତି ପ୍ରଦାନ କରିବାକୁ ଏକପ୍ରକାର ଯୋଜନାବଦ୍ଧ ଉଦ୍ୟମ ଆରମ୍ଭ ହୋଇଥିବା ବିଭିନ୍ନ ମହଲରେ ଶୁଣିବାକୁ ମିଳୁଛି।

ମିଳିଥିବା ସୂଚନା ଅନୁସାରେ, ପରିବେଶ ମଞ୍ଜୁରୀ ଆବେଦନପତ୍ରକୁ ସ୍ୱୀକୃତି ଦେବା ନିମନ୍ତେ ଡିଆ ଆଜି ପୁଣି ସର୍‌ଜମିନ ତଦନ୍ତ ପାଇଁ ଡଙ୍କାରି ପାହାଡ଼କୁ ଗୁପ୍ତ ଗସ୍ତ କରିଥିଲା। ମାତ୍ର ଗଣମାଧ୍ୟମ ଦୃଷ୍ଟିରୁ ବର୍ତ୍ତିିଯାଇ ପାରିନଥିଲା। ଏହା ପୂର୍ବରୁ ଜାନୁଆରି ୯ ତାରିଖରେ ଡିଆର ପ୍ରତିନିଧି ଦଳ ଡଙ୍କାରି ଗସ୍ତ କରିଥିଲା। ସେତେବେଳେ କମିଟି ଗସ୍ତକୁ ଗୁପ୍ତ ରଖାଯାଇଥିଲା। ଫଳରେ ତୀବ୍ର ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା। ଡଙ୍କାରି ପାହାଡ଼ ଦକ୍ଷିଣ ପାର୍ଶ୍ୱ ଓ ରାହାଡ଼ପୁର ପାହାଡ଼ରେ ଖଣି ଖନନ ଲାଗି ପରିବେଶ ମଞ୍ଜୁରୀ ପ୍ରଦାନ କଲେ ସ୍ଥାନୀୟ ଅଂଚଳରେ ଚାଷୀ କ୍ଷତିଗ୍ରସ୍ତ ହେବେ। ପାହାଡ଼ ନିକଟରେ ଥିବା କ୍ଷୁଦ୍ର ଜଳସେଚନ ଦ୍ଵାରା ପରିଚାଳିତ ରାଣୀବଂଧ, ପାଇକରାପୁର ଓ ଭାଲୁଚୁଆ ଡ୍ୟାମ୍‌ କ୍ଷତିଗ୍ରସ୍ତ ହେବ । ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରି ଆସୁଛନ୍ତି।

ଏପରିସ୍ଥଳେ ଡିଆ ପ୍ରତିନିଧି ଦଳର ଗସ୍ତକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ବହୁ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ, ଡିଆ ପ୍ରତିନିଧି ଲିଜ୍‌ଧାରୀମାନଙ୍କୁ ପରିବେଶ ମଞ୍ଜୁରୀ ପ୍ରଦାନ କରିବାକୁ ପୂର୍ଣ୍ଣ ସହଯୋଗ କରିବାକୁ ଯୋଜନା ପ୍ରସ୍ତୁତି ଚଳାଇଛନ୍ତି। କ୍ଷୁଦ୍ର ଜଳସେଚନ ବିଭାଗ ଅଧିକାରୀ ଏବେ ଡ୍ୟାମ୍‌ ଓ ଶହ ଶହଚାଷୀଙ୍କ ସୁରକ୍ଷା ଅପେକ୍ଷା ଲିଜ୍‌ଧାରୀଙ୍କ ପାଇଁ ଅଧିକ ବ୍ୟଗ୍ରତା ପ୍ରକାଶ କରୁଛନ୍ତି।

ସମ୍ବନ୍ଧିତ ଖବର