ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ : ବନ୍ଦ ହେବନି ଠାକୁରାଣୀ ଖଣିରୁ ଉତ୍ତୋଳନ, ପରବର୍ତ୍ତୀ ଶୁଣାଣି ୨୧ରେ

କେନ୍ଦୁଝର : ଶାରଦା ମାଇନସ୍‌ ମାଲିକାନାରେ ଥିବା ଠାକୁରାଣୀ ଲୁହାପଥର ଖଣିରୁ ଖଣିଜ ଉତ୍ତୋଳନ ବନ୍ଦ ହେବନାହିଁ। ପୂର୍ବପରି ଏହି ଉତ୍ତୋଳନ କାର୍ଯ୍ୟ ଚାଲୁ ରହିବ। ଏନେଇ ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ କରି ନିର୍ଦେଶ ଦେଇଛନ୍ତି। କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ଆସିଥିବା ନିଦେର୍ଶନାମା ପରିପ୍ରେକ୍ଷୀରେ ଦିଲ୍ଲୀ ହାଇକୋର୍ଟ ରହିତାଦେଶ ଜାରି ଉତ୍ତୋଳନ ଜାରି ରଖିବାକୁ କହିଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୧ତାରିଖକୁ ଧାର୍ଯ୍ୟ କରାଯାଇଛି। ତେବେ ସେପର୍ଯ୍ୟନ୍ତ କୌଣସି ମତେ ଉତ୍ତୋଳନକୁ ବନ୍ଦ କରାଯାଇ ପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ରହିଛି ଠାକୁରାଣୀ ଲୁହାପଥର ଖଣି। ଏହି ଲୁହାପଥର ଖଣିର ଲିଜ୍‌ଧାରୀ ହେଉଛନ୍ତି ସାରଦା ମାଇନସ ପ୍ରାଇଭେଟ ଲିମିଟେଡ୍‌। ଦୀର୍ଘବର୍ଷ ଧରି ଠାକୁରାଣୀ ଲୁହାପଥର ଖଣି ବନ୍ଦ ରହିବା ପରେ ଗତ ଜାନୁଆରି ମାସରେ ସୁପ୍ରିମକୋର୍ଟ ଏହି ଖଣି ଚାଲୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରିବେଶ ପ୍ରଦୂଷଣ ପାଇଁ ରାଜ୍ୟ ସରକାରଙ୍କୁ ୯୩୩ କୋଟି ଟଙ୍କା କ୍ଷତିପୂରଣ ଦେବା ସହିତ ସବୁ ନିୟମକାନୁନ ମାନି ଖଣି ଖନନ କରିବାକୁ ଏକ ଅଣ୍ଡରଟେକିଂ ଦେବାକୁ ନିର୍ଦ୍ଦେଶ ରହିଥିଲା। ପରବର୍ତ୍ତୀ ସମୟରେ ଶାରଦା ମାଇନସ୍‌ କ୍ଷତିପୂରଣ ଦାଖଲ କରି ଖଣିଖନନ କାର୍ଯ୍ୟ ଜାରି ରଖିଥିଲା। ଜାନୁଆରି ମାସରେ ଅନୁମତି ପାଇବା ପରେ ଖଣି ଖନନ ବିରୋଧରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଏକାଧିକ ଅଭିଯୋଗ ପହଞ୍ଚିଥିଲା। ଅଭିଯୋଗଗୁଡିକ ହସ୍ତଗତ ହେବାପରେ ଖଣି ଖନନ ବେଆଇନ ବୋଲି କେନ୍ଦ୍ର ଆଇନ ମନ୍ତ୍ରାଳୟ ମତ ପ୍ରକାଶ କରିଥିଲା। ଆଇନ ମନ୍ତ୍ରାଳୟ ଦର୍ଶାଇଥିଲା ଯେ, ଶାରଦା ମାଇନସ୍‌କୁ ୨୦୦୮ ମସିହାରେ ମିଳିଥିବା ପରିବେଶ ମଞ୍ଜୁରି ୨୦୧୩-୧୪ରେ ଶେଷ ହୋଇଛି। ଆଉଥରେଖଣି ଖନନ କରିବା ଅର୍ଥ ଆଇନର ବିରୁଦ୍ଧାଚରଣ କରିବା। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ମଧ୍ୟ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଇନ ମନ୍ତ୍ରାଳୟ କହିଥିଲା। ଏହାପରେ ଗତ ମେ ୨୯ ତାରିଖରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ଏକ୍ସପର୍ଟ ଆପ୍ରାଇଜାଲ କମିଟି(ଇଏସି) ବୈଠକର ନିଷ୍ପତ୍ତିକୁ ଆଧାର କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗକୁ ଏହି ଠାକୁରାଣୀ ଖଣିରୁ ଲୁହାପଥର ଖନନ ବନ୍ଦ ପାଇଁ ନିର୍ଦ୍ଦେଶ ଆସିଥିଲା। ବୈଠକରେ ଶାରଦା ମାଇନସ୍‌ର ଖଣି ଖନନ ବେଆଇନ ବୋଲି ମତ ପ୍ରକାଶ ପାଇଥିଲା। କୌଣସିମତେ ଆଉ ଖନନ ପାଇଁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଏମିତିକି ୧୯୮୬ ପରିବେଶ ଏବଂ ପ୍ରଦୂଷଣ ନିୟମର ଧାରା ୧୫/୧୯ ଅନୁସାରେ, ଶାରଦା ମାଇନସ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବାକୁ କୁହାଯାଇଥିଲା। ମାତ୍ର ଇତିମଧ୍ୟରେ ଦିଲ୍ଲୀ ହାଇକୋର୍ଟ ଖଣି ଖନନ ବନ୍ଦ ଉପରେ ରହିତାଦେଶ ଦେବା ସହିତ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଖଣି ଖନନ ପୂର୍ବପରି ଚାଲୁ ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଶାରଦା ମାଇନସ୍‌ର ମାଲିକାନାରେ ଥିବା ଠାକୁରାଣୀ ଲୁହାପଥର ଖଣିର ଲୁହାପଥର ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ(ଜେଏସ୍‌ପିଏଲ)ର ଉତ୍ପାଦନ ନିର୍ଭରଶୀଳ। ଠାକୁରାଣୀ ଖଣି ବନ୍ଦ ହେଲେ ଜେଏସ୍‌ପିଏଲର ଉତ୍ପାଦନ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର