ଓଡ଼ିଶା ସରକାରୀ କଲେଜ ଶିକ୍ଷକ ସଂଘ ନିର୍ବାଚନ କରିବାକୁ ଦାବି

ଭୁବନେଶ୍ୱର : ସ୍ୱାଧୀନତା ପୂର୍ବରୁ ଅନୁମୋଦିତ ହୋଇଥିବା ଓଡ଼ିଶା ସରକାରୀ କଲେଜ ଶିକ୍ଷକ ସଂଘକୁ ନେଇ ସୃଷ୍ଟି ହୋଇଛି ବିବାଦ। ୨୦୧୪ ଡିସେମ୍ବର ୧୦ ତାରିଖରେ ଶେଷ ଥର ଲାଗି ଏହି ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହି ବର୍ଷ ଡିସେମ୍ବର ୨୮ରେ ନିର୍ବାଚିତ କାର୍ଯ୍ୟକାରୀ ସଭ୍ୟମାନେ ଶପଥ ଗ୍ରହଣ କରିଥିଲେ। ପ୍ରତ୍ୟେକ ନିର୍ବାଚିତ ସଭ୍ୟମାନଙ୍କ କାର୍ଯ୍ୟକାଳ ଦୁଇ ବର୍ଷ। ତେଣୁ ସଭ୍ୟମାନଙ୍କ ଦୁଇ ବର୍ଷର କାର୍ଯ୍ୟକାଳ ଇତିମଧ୍ୟରେ ଶେଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ। ଗତ ଦୁଇ ବର୍ଷ ୧୧ ମାସ ମଧ୍ୟରେ ସଂଘର ଗୋଟିଏ ମାତ୍ର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଛି। ସେଠାରେ ଆଲୋଚନା ହୋଇଥିବା ବିଷୟଗୁଡ଼ିକ ସମସ୍ତ ମହାବିଦ୍ୟାଳୟକୁ ପଠାଯାଇ ନାହିଁ ବୋଲି ଅଭିଯୋଗ କରିଛନ୍ତି ସଂଘର ପୂର୍ବତନ ଉପସଭାପତି ସଞ୍ଜୟ ହାତୀ।

ଏକ ପ୍ରେସ୍‌ ବିଜ୍ଞପ୍ତିରେ ଶ୍ରୀ ହାତୀ କହିଛନ୍ତି ଯେ, ସଂଘର ପ୍ରମୁଖ ପଦବିରେ ଥିବା ଦୁଇ କର୍ମକର୍ତ୍ତା ବିଭିନ୍ନ ସମୟରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ କରୁଥିଲେ ମଧ୍ୟ ଅନ୍ୟ କର୍ମକର୍ତ୍ତାଙ୍କୁ ଡାକୁନାହାନ୍ତି। ସବୁ କଥା ଅନ୍ଧାରରେ ରଖାଯାଉଛି। ପ୍ରତି ବର୍ଷ ଅତି କମ୍‌ରେ ଥରେ ସାଧାରଣ ବୈଠକ ଡକାଯିବାର ନିର୍ଦେଶ ରହିଛି। ତାହା ବି ହେଉନି। ଏ ନେଇ ସେ ଗୃହ ବିଭାଗ ସଚିବଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଉଚ୍ଚଶିକ୍ଷା ବିଭାଗକୁ ରିପୋର୍ଟ ମଗାଯାଇଥିଲା। ଇତିମଧ୍ୟରେ ଚାରିି ମାସ ବିତିଯାଇଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସିନାହିଁ ବୋଲି ଶ୍ରୀ ହାତୀ କହିଛନ୍ତି।

ସମ୍ବନ୍ଧିତ ଖବର