ବିସ୍ଫୋରକ ହେଲାଣି ଅସନ୍ତୋଷ : ବାଇ-ଲ’ ପ୍ରତ୍ୟାହାର ଦାବି; ଶ୍ରୀଲିଙ୍ଗରାଜଙ୍କ ନିକଟରେ ହଜାର ହଜାର ଲୋକଙ୍କ ଦୀପଦାନ

ଓମ୍ ନମଃ ଶିବାୟ, ହୁଳୁହୁଳିରେ କମ୍ପିଲା
‘ଏକାମ୍ର ବିକାଶରେ ବଇରି ସାଜିଛି କେନ୍ଦ୍ର’
ଟ୍ବିଟ୍ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରକୁ ସତର୍କ କଲେ
କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାକୁ ବିଜେଡି ସାଂସଦଙ୍କୁ ନିର୍ଦେଶ

ଭୁବନେଶ୍ବର : ଶ୍ରୀଅନନ୍ତ ବାସୁଦେବ ମନ୍ଦିର ଓ ଶ୍ରୀ ବ୍ରହ୍ମେଶ୍ବର ମନ୍ଦିର ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ମାରକୀ ପ୍ରାଧିକରଣ(ଏନ୍‌ଏମ୍ଏ)ଙ୍କ ପ୍ରସ୍ତାବିତ ଐତିହ୍ୟ ଅଧିନିୟମ (ବାଇ-ଲ’)କୁ ନେଇ ଭୁବନେଶ୍ବରରେ ଅସନ୍ତୋଷ କ୍ରମଶଃ ବିସ୍ଫୋରକ ହେବାକୁ ଲାଗିଲାଣି। ଆଜି ହଜାର ହଜାର ସଂଖ୍ୟାରେ ଭକ୍ତ ରାସ୍ତାକୁ ଓହ୍ଲାଇଛନ୍ତି। ଏକାଠି ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି ଓ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ସାମ୍ନାରେ ଅତ୍ୟନ୍ତ ଭାବବିହ୍ବଳର ସହିତ ଦୀପଦାନ କରିଛନ୍ତି। ତୁରନ୍ତ ବାଇ-ଲ’ ପ୍ରତ୍ୟାହାର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି। କହିଛନ୍ତି ଯେ ଶ୍ରୀଲିଙ୍ଗରାଜ ହେଉଛନ୍ତି ଜୀବନ୍ତ ଠାକୁର। ତାଙ୍କ ସହିତ ଅନ୍ୟ ଧର୍ମର ସମାଧିକୁ ତୁଳନା କରାଯାଇପାରିବ ନାହିଁ। କାହିଁକି କେନ୍ଦ୍ର ସରକାର ହିଂସା କରୁଛନ୍ତି? ବୋଲି ପ୍ରଶ୍ନ କରିଛନ୍ତି।

ସବୁଠାରୁ ବଡ଼ କଥା ହେଲା, ଜନ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଉଥିବା ଲକ୍ଷ୍ୟ କରି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ଥରେ ସାମ୍ନାକୁ ଆସିଛନ୍ତି। ଟ୍ବିଟ୍ କରି ଦାବି କରିଛନ୍ତି ଯେ ଏନ୍‌ଏମ୍‌ଏ ତୁରନ୍ତ ଉଭୟ ମନ୍ଦିର ଲାଗି ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର କରୁ। ସମ୍ବେଦନଶୀଳ ଧାର୍ମିକ ପ୍ରସଙ୍ଗରେ କେନ୍ଦ୍ରୀୟ ସଂସ୍ଥା ରାଜ୍ୟ ସରକାରଙ୍କୁ ବିଶ୍ବାସକୁ ନେବା ଉଚିତ୍ ବୋଲି ନବୀନ ସତର୍କ କରାଇ ଦେଇଛନ୍ତି।
ଏହି ଅବସରରେ ଶ୍ରୀ ପଟ୍ଟନାୟକ ନିଜ ଦଳର ସାଂସଦଙ୍କୁ ନିର୍ଦେଶ ଦେଇଛନ୍ତି ଯେ ସେମାନେ ତୁରନ୍ତ ଏହି ପ୍ରସଙ୍ଗକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ୍‌ଙ୍କ ନଜରକୁ ପୁଣି ଥରେ ଆଣନ୍ତୁ। ଏହା ଲକ୍ଷ ଲକ୍ଷ ଲୋକଙ୍କ ଭାବାବେଗ ସହିତ ଜଡ଼ିତ। କେବଳ ସେତିକି ନୁହେଁ, ସେମାନଙ୍କ ଜୀବନ-ଜୀବିକା ଏବଂ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସହିତ ମଧ୍ୟ ଜଡ଼ିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ବାଇ-ଲ’ ପ୍ରତ୍ୟାହାର ନ ହେଲେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଶ୍ରୀ ପଣ୍ଡା କହିଛନ୍ତି ଯେ ଏହା ସେବାୟତମାନଙ୍କ ସ୍ବାର୍ଥ ପରିପନ୍ଥୀ। ଯଦି ଏହା ଉପରେ ତୁରନ୍ତ କିଛି ପଦକ୍ଷେପ ନିଆନଯାଏ, ତେବେ ଆନ୍ଦୋଳନ ଜୋରଦାର କରାଯିବ। ଦାବି ପୂରଣ ପାଇଁ ମହାତ୍ମା ଗାନ୍ଧୀ ଯେଉଁସବୁ ପନ୍ଥା ଆପଣାଇଥିଲେ, ଯେମିତିକି ଅନଶନ, ସତ୍ୟାଗ୍ରହ, ଅସହଯୋଗ ଏସବୁ କରିବାକୁ ଭୁବନେଶ୍ବରବାସୀ ପଛାଇବେ ନାହିଁ। ମନ୍ତ୍ରୀ ଆହୁରି କହିଛନ୍ତି ଯେ ଯେବେ ଶ୍ରୀ ଅନନ୍ତ ବାସୁଦେବ ମନ୍ଦିରରୁ ପାଣି ଗଳୁଥିଲା, ସେବେ ଏଏସ୍‌ଆଇ ମରାମତି ନ କରି ବାହାନା କାଢ଼ୁଥିଲେ। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ୯୫ଲକ୍ଷ ଟଙ୍କା ବ୍ୟୟରେ ଇନ୍‌ଟାକ୍ ମାଧ୍ୟମରେ ଏହାର ମରାମତି କରିଛନ୍ତି। ଶ୍ରୀ କପିଳେଶ୍ବରଦେବଙ୍କ ମନ୍ଦିର କ୍ଷେତ୍ରରେ ମଧ୍ୟ ପ୍ରତିଶ୍ରୁତି ରକ୍ଷା କରାଯାଇନାହିଁ।

ସେହିଭଳି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଟ୍ବିଟ୍ କରି କହିଛନ୍ତି ଯେ ଜୀବନ୍ତ ଠାକୁରଙ୍କୁ ଆମେ ଅବହେଳା କରିବା ଉଚିତ୍ ନୁହେଁ। ଶ୍ରୀଲିଙ୍ଗରାଜ ମହାପ୍ରଭୁ ସବୁ ଦଳ ଓ ଗୋଷ୍ଠୀର ଊର୍ଧ୍ବରେ। ଠାକୁରଙ୍କୁ ନେଇ କାହିଁକି ରାଜନୀତି ହେଉଛି? ଆମେ ସମସ୍ତେ ଭଗବାନ ଶିବଙ୍କ କ୍ରୋଧ କଥା ଜାଣିଛେ। ଉତ୍କଳ ଓ କଳିଙ୍ଗ ମାଟିରୁ ସେ ବିଜେପିକୁ ବିନାଶ କରିଦେବେ।

ଶୁକ୍ରବାର ଅପରାହ୍ନରେ ଶ୍ରୀଲିଙ୍ଗରାଜ ମନ୍ଦିର ସାମ୍ନାରେ ସ୍ଥାନୀୟ ଲୋକମାନେ ଏକାଠି ହୋଇ ସମୂହ ଦୀପଦାନ କରିଥିଲେ। ପ୍ରତିକ୍ରିୟା ରଖି କହିଥିଲେ ଯେ କେନ୍ଦ୍ର ସରକାର ଏହି ବାଇ-ଲ’ ଆଣି ସରକାରଙ୍କ ଏକାମ୍ର ଯୋଜନାର ସୌନ୍ଦର୍ଯୀକରଣରେ ବାଧକ ସାଜୁଛନ୍ତି। କେନ୍ଦ୍ର ଏହି ବିକାଶକୁ ହିଂସା କରୁଛି। ଲୋକେ ସ୍ବତଃସ୍ପୂର୍ତ୍ତ ଭାବେ ଏହି ବିକାଶ ପାଇଁ ଜମି ଦାନ କରିଛନ୍ତି। ଏହି ତ୍ୟାଗର ବଇରି ସାଜିଛି କେନ୍ଦ୍ର ସରକାର। ଏବେ ବିକାଶ କାମ ଆରମ୍ଭ ହୋଇଛି। ସ୍ଥାନୀୟ ଅଞ୍ଚଳରେ ବଡ଼ ବଡ଼ ନିର୍ମାଣ ଭଙ୍ଗାଯାଇଛି।

ମନ୍ଦିର ସାମ୍ନାରେ ଆଜି ହଜାର ହଜାର ଲୋକ ଏକାଠି ଠିଆ ହୋଇପାରିଛନ୍ତି। ଠାକୁରଙ୍କ ମନ୍ଦିର ଦର୍ଶନ ହୋଇପାରୁଛି। ମନ୍ଦିରର ସୌନ୍ଦର୍ଯ୍ୟ ଅନେକ ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଛି। ଲୋକଙ୍କର ଏହି ସୁବିଧା, କେନ୍ଦ୍ର ପାଇଁ କ’ଣ ଅସୁବିଧା କଲା? ସେମାନେ କହିଛନ୍ତି, ଏକାମ୍ର କ୍ଷେତ୍ରକୁ ଯେବେ ଜବରଦଖଲ କରାଯାଇଥିଲା, ସେବେ ଏନ୍‌ଏମ୍ଏ ଓ କେନ୍ଦ୍ର ସରକାରଙ୍କ ଏଏସ୍‌ଆଇ କେଉଁଠି ଥିଲେ, ଆଗ ଜବାବ ଦିଅନ୍ତୁ। ସେତେବେଳେ ଏଏସ୍‌ଆଇ ଅଧିକାରୀମାନେ ସେମାନଙ୍କୁ କାହିଁକି ଅଟକାଇଲେ ନାହିଁ? ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କି? ଶ୍ରୀଲିଙ୍ଗରାଜ ମନ୍ଦିର ବିକାଶ ପାଇଁ ଏଏସ୍‌ଆଇ ଓ ଏନ୍‌ଏମ୍ଏର ଅବଦାନ କ’ଣ? ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଲିଙ୍ଗରାଜ ମନ୍ଦିର ସାମ୍ନାକୁ ଆସି ଏହି କ୍ଷେତ୍ରର ବିକାଶ କରାଯିବ ବୋଲି ପ୍ରତିଶ୍ରୁତି ଦେଇ କାମ ଆରମ୍ଭ କରିଛନ୍ତି, ସେବେଠାରୁ କାହିଁକି କେନ୍ଦ୍ର ସରକାର ଷଡ଼୍‌ଯନ୍ତ୍ର କରୁଛି ବୋଲି ସମସ୍ବରରେ ପ୍ରଶ୍ନ କରିଛନ୍ତି। ଏହି ଅବସରରେ ହୁଳୁହୁଳି, ଓମ୍ ନମଃ ଶିବାୟ ଧ୍ବନୀ ସହିତ ପ୍ରଧାନମନ୍ତ୍ରୀ ମୋଦୀ, ସ୍ଥାନୀୟ ସାଂସଦ, କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମୁର୍ଦ୍ଦାବାଦ୍ ନାରାବାଜି ହୋଇଛି। ଯଦି ପୁରୀ ଭଳି କେନ୍ଦ୍ର ସରକାର ତୁରନ୍ତ ତାଙ୍କ ନିଷ୍ପତ୍ତିରୁ ନ ଓହରନ୍ତି, ତେବେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ଧମକ ଦିଆଯାଇଛି।

 

ସମ୍ବନ୍ଧିତ ଖବର