ପରୀ ହତ୍ୟା ଓ ଦୁଷ୍କର୍ମ ଉପରୁ ହଟିଲା ପରଦା: ଜାମୁକୋଳି ଖାଇବାକୁ ଯାଇଥିଲା ପରୀ, ଏକୁଟିଆ ଦେଖି ଯୌନପିପାସୁ ଟେକିନେଲା; ହତ୍ୟା ପରେ ବି ଛାଡ଼ିଲାନି…

ବୋଥ୍ରା କହିଲେ, ୨୨ ବର୍ଷର ଚାକିରି କାଳରେ ଏମିତି ବୀଭତ୍ସ ହତ୍ୟାକାଣ୍ଡ ଦେଖି ନ ଥିଲେ

କଟକ: ପରୀ ହତ୍ୟା ଉପରୁ ଉଠିଲା ପରଦା । ଆଜି କଟକ ପୁଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ହତ୍ୟା ଘଟଣାର ଗୁମର ଖୋଲିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଅଭିଯୁକ୍ତକୁ ଧରିବା ଏସଆଇଟି ମୁଖ୍ୟଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଥିଲା । ପରୀକୁ ଦୁଷ୍କର୍ମ ହୋଇଥିବା କଥା କେହି କେବେ ଭାବି ନ ଥିଲେ । ଅଭିଯୁକ୍ତ ସରୋଜ ସେଠୀ ସନ୍ଦେହ ଘରକୁ ଆସିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା । ନିଜର ଦୀର୍ଘ ୨୨ ବର୍ଷର ଚାକିରି କାଳରେ ଏମିତି ବୀଭତ୍ସ ହତ୍ୟାକାଣ୍ଡ ଦେଖି ନଥିଲେ ବୋଲି ଅରୁଣ ବୋଥ୍ରା କହିଛନ୍ତି ।

ଜାମୁକୋଳି ଖାଇବାକୁ ଆସି ହତ୍ୟାକାରୀ କବଳରେ ପଡ଼ିଲା ପରୀ

କେମିତି ଓ କେଉଁ ପରିସ୍ଥିତିରେ ଦୁଷ୍କର୍ମ ପରେ ହତ୍ୟା କରିଥିଲା ମୁଖ୍ୟ ଅଭିଯୁକ୍ତ ତାହା ସ୍ପଷ୍ଟ କରିଛନ୍ତି ଅରୁଣ ବୋଥ୍ରା । ହତ୍ୟା କରିଥିବା ନେଇ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀ ସ୍ୱୀକାର କରିଛି । ଏପରିକି ମୃତଦେହ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ବୋଲି ମାନିଛି । ପୁଲିସ ତାକୁ ଜେରା କରିବା ବେଳେ ଅଭିଯୁୁକ୍ତ ପ୍ରଥମେ ହତ୍ୟା ଓ ପରେ ଦୁଷ୍କର୍ମ କରିଥିବା କଥା ସ୍ବୀକାର କରିଛି । ଅଭିଯୁକ୍ତ ଘର ପାଖରେ ଥିବା ଏକ ଜାମୁକୋଳି ଗଛ ପାଖକୁ ଗାଁର ଛୋଟ ଛୋଟ ପିଲାମାନେ କୋଳି ଖାଇବାକୁ ଆସି ଥାଆନ୍ତି। ପରୀ ବି ଆସିଥାଏ। ଘଟଣା ଦିନ ପରୀ ଏକୁଟିଆ ଆସିଥିଲା। ତାକୁ ଏକାଟିଆ ଦେଖି ଏବଂ ତା’ ଘରେ କେହି ନଥିବାରୁ ଅଭିଯୁକ୍ତ ମନରେ ପାପ ଚିନ୍ତା ଆସିଥିଲା। ସେ ପରୀକୁ ତାଙ୍କ ଘରର ବାରିପଟେ ଥିବା ଘରକୁ ଡାକି ନେଇଥିଲା। ସେଠାରେ ତାର ଯୌନ ଲାଳସା ଚରିତାର୍ଥ କରିବାକୁ ପରୀ ପିନ୍ଧିଥିବା ଲେଗିନ୍ସ ଖୋଲିବାକୁ ଉଦ୍ୟମ କରିଥିଲା। ବିପଦ ବାରି ପାରି ପରୀ ପାଟିକରି କାନ୍ଦଥିଲା। ତାକୁ ଚୁପ କରିଦେବା ଲାଗି ଜୋରରେ ତା’ ତଣ୍ଟି ଚିପି ଦେଇଥିଲା ଅଭିଯୁକ୍ତ। ଅଣନିଃଶ୍ବାସୀ ହୋଇ ପରୀର ମୃତ୍ୟୁ ଘଟିଥିଲା। ଏହାପରେ ‌ଯୌନପାଗଳ ଅଭିଯୁକ୍ତ ପରୀର ଶବ ସହ ଦୁଷ୍କର୍ମ କରିଥିଲା।   ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖି ଏପରି କାଣ୍ଡ ଘଟାଇଛି ଅଭିଯୁକ୍ତ । ଏପରି ଅମାନୁଷିକ କାଣ୍ଡ ଘଟାଇବା ପରେ ଧରାପଡ଼ିବା ଭୟରେ ପରୀକୁ ଅଖା ଭିତରେ ବାନ୍ଧି ଦେଇଥିଲା ।

କେମିତି ହତ୍ୟାକାରୀକୁ ଚିହ୍ନଟ କଲା ଏସଆଇଟି ?

ଆଜି ସାମ୍ବାଦିକ ସମ୍ମିଳନୀରେ ଏସଆଇଟି ମୁଖ୍ୟ ବୋଥ୍ରା କହିଛନ୍ତି, ଆପାତତଃ ଘଟଣାର କୌଣସି ପ୍ରମାଣ ନ ଥିଲେ ହେଁ ଅଭିଯୁକ୍ତର ଆଚରଣ ଏବଂ ତା’ର ମୋବାଇଲ୍ ଫୋନରୁ ଅପରାଧ ସଂପର୍କରେ ସଂକେତ ମିଳିଥିଲା। ଯେତେବେଳେ ଏସଆଇଟି ଟିମ୍ ତାର ମୋବାଇଲ୍ ଯାଞ୍ଚ କଲା ବାରମ୍ବାର ରେପ୍ ଆଣ୍ଡ ମର୍ଡର ଅଫ୍ ଚାଇଲ୍ଡ ସଂପର୍କିତ ଖବରର ପପ୍ଅପ୍ ଆସିଥିଲା। ସେଥିରୁ ଜଣାପଡ଼ିଲା ଯେ ସେ ଗୁଗଲରେ ଏଭଳି ବିଷୟ ବାରମ୍ବାର ସର୍ଚ୍ଚ କରିଛି। ପୁଣି ତାର ମୋବାଇଲର ପାସୱାର୍ଡ ଦେବାକୁ ସେ ମନାକଲା। ସେହିପରି ତାକୁ ଯେତେବେଳେ ଏପରି କାଣ୍ଡ ତୁମେ କରିଛ ବୋଲି ପ୍ରଶ୍ନ କରାଗଲା, ସେ ସିଧାସିଧା ଉତ୍ତର ଦେଇଥିଲା-ଆପଣଙ୍କ ପାଖରେ କି ଏଭିଡେନ୍ସ ଅଛି?  ସାଧାରଣ ଭାବେ ଜଣେ ନାବାଳକଠାରୁ ଏପରି ପ୍ରତିକ୍ରିୟା ଆଶା କରାଯାଏନା। ଏସବୁ କଥା ତଦନ୍ତକାରୀଙ୍କ ସନ୍ଦେହକୁ ଦୃଢ଼ କରିଥିଲା। ଅନ୍ୟ ପକ୍ଷରେ ଗାଁର ୧୨୦ ପରିବାରରର ସଂପୂର୍ଣ୍ଣ ତଥ୍ୟ ନିଆଯାଇଥିଲା ଓ ଅଧିକାଂଶ ତଦନ୍ତରେ ସହଯୋଗ କରିଥିବା ବେଳେ ଅଭିଯୁକ୍ତ ସରୋଜ ମୂଳରୁ ଅସହଯୋଗ ମନୋଭାବ ପ୍ରଦର୍ଶନ କରିଥିଲା।

ପରୀ ପିନ୍ଧିଥିବା ଲେଗିନ୍ସ ଲାଗି ପୋଖରି ଶୁଖାଯାଉଛି

ପରୀ ହତ୍ୟାର ଅଧିକ ପ୍ରମାଣ ପାଇଁ ଯେଉଁ ପୋଖରୀ ପାଖରୁ ପରୀର ମୃତଦେହ ମିଳିଥିଲା ସେହି ପୋଖରୀକୁ ଶୁଖାଉଛି ଏସଆଇଟି । ଫୋଖରୀରୁ ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି । ମଟର ପମ୍ପ ଲଗାଇ ପୋଖରୀ ମଧ୍ୟରୁ ପାଣି କଢ଼ା ଯାଉଛି । ପ୍ରଥମେ ପରୀର ଶବକୁ ଅଖାରେ ବାନ୍ଧି ପୋଖରୀରେ ଫୋପାଡ଼ି ସାରିବା ପରେ ଅଭିଯୁକ୍ତ ଦେଖିଲା ପରୀର ଲେଗିନ୍ସ ତା’ଘରେ ରହିଯାଇଛି। କିଛି ସମୟ‌ ପରେ ସେ ତାହାକୁ ନେଇ ପୋଖରୀରେ ଫୋପାଡ଼ି ଦେଇଥିଲା ବୋଲି କହିଛି ଅଭିଯୁକ୍ତ ସରୋଜ ସେଠୀ। ଆଜି ନୟାଗଡ଼ ମୁନିସପାଲଟିର ଅଧିକାରୀ, କର୍ମଚାରୀ, ଅଗ୍ନିଶମ ବାହିନୀ ଓ ଓଡ଼୍ରାଫ ଟିମ୍ ପୋଖରୀରୁ ଜଳ ନିଷ୍କାସନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପୋଖରୀରେ ପରୀ ପିନ୍ଧିଥିବା ଲେଗିନ୍ସ ପକାଯାଇଛି । ପରୀ ମୃତ୍ୟୁ ମାମଲାରେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରିଯାଇଛି । ଆଜିଠୁ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଇଛି ଏସଆଇଟି ।

ସମ୍ବନ୍ଧିତ ଖବର