ଦୁର୍ନୀତିର ଲମ୍ବା ତାଲିକା ସତ୍ତ୍ବେ ନେତା ଚୁପ୍‌! ଅଧାବାଟରେ ସୁନ୍ଦରଗଡ଼ର ବିକାଶ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ବିକାଶ ପାଇଁ ଅର୍ଥ କି ଯୋଜନାର ଅଭାବ ନାହିଁ। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଓ ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ (ଓମବାଡସି)ର କୁବେର ପାଣ୍ଠି ଜିଲ୍ଲା ତହବିଲ୍‌ ସହ ରହିଛି। ଏହାସତ୍ତ୍ବେ ଜିଲ୍ଲାର ବିକାଶ ମୁହଁମାଡ଼ି ପଡ଼ିଛି। ଏହାପଛରେ ବଡ଼କାରଣ ହେଉଛି ଦୁର୍ନୀତି। କିନ୍ତୁ, ରାଜନେତାମ‌ାନେ ଯେଉଁଭଳି ଭାବେ ନିରବତା ଅବଲମ୍ବନ କରୁଛନ୍ତି, ତାହା ଆଶ୍ଚର୍ଯ୍ୟଜନକ ବିଷୟ ହୋଇପଡ଼ିଛି। ଗରୁତ୍ବପୂର୍ଣ୍ଣ ହେଉଛି, ପ୍ରାୟତଃ ସାଂସଦ, ବିଧାୟକ ପଦ ବିରୋଧୀଙ୍କ ହାତରେ ଥାଇ ମଧ୍ୟ ଏଥିପାଇଁ କେହି ମୁହଁ ଖୋଲୁନଥିବା ଦେଖିବାକୁ ମିଳିଛି।

୨୦୧୫ ମସିହାରୁ ଖଣିଜ ପ୍ରତିଷ୍ଠାନ ଅର୍ଥ ଖର୍ଚ୍ଚ ହୋଇଆସୁଛି। କିନ୍ତୁ, ଏହି ଅର୍ଥ ଖଣି ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ପାଇଁ କୌଣସି କାମରେ ଲାଗୁନଥିବା ଦେଖିବାକୁ ମିଳୁଛି। ବରଂ, ସଂଖ୍ୟାଧିକ ପ୍ରକଳ୍ପ, ଯୋଜନା ଓ ଉପକରଣ କ୍ରୟ ବାବଦରେ କୋଟିକୋଟି ଟଙ୍କା ବ୍ୟୟ କରାଯାଉଛି। ଯେମିତିକି, ପ୍ରଦକ୍ଷିଣ ଗୃହ ନବୀକରଣ ବାବଦରେ ୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ ୩୧୦ ଡିଜିସେଟ୍‌ କ୍ରୟ ବାବଦରେ ୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ବିଜୁଳି ବନ୍ଧ ସୌନ୍ଦର୍ଯ୍ୟୀକରଣରେ ୨୫ କୋଟି , ଏମ୍‌ସିଏଲର କୋଇଲା ପରିବହନ ପାଇଁ କଲେଜ-ଶଙ୍କରା ବାଏପାସ୍‌ ରାସ୍ତା ନିର୍ମାଣ ବାବଦରେ ୫୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେହିଭଳି, ୨୮ କୋଟି ଟଙ୍କାରେ ଭବାନୀଭବନ ବିବିଧ କ୍ରୀଡ଼ା କ୍ଷେତ୍ର ନିର୍ମାଣ, ରାଉରକେଲା ପୁଲିସ ଜିଲ୍ଲା ପାଇଁ ପିସିଆର୍ ଭ୍ୟାନ ନାମରେ ୫ କୋଟିର ଇନୋଭା କାର୍ କ୍ରୟ, ଜିଲ୍ଲାପାଳଙ୍କ ଅଫିସ ଓ ବାସଭବନ ନବୀକରଣ, ୨ କୋଟିର ଜିଲ୍ଲା ଖଣିଜ ପ୍ରତିଷ୍ଠାନ କାର୍ଯ୍ୟାଳୟର ଆରାମଦାୟକ ଦୁଇ ମହଲା କୋଠା ପରି ଅନେକ ନିର୍ମାଣ ଓ କ୍ରୟ କରାଯାଇଛି। ତେବେ, ଏସବୁଥିରେ ବ୍ୟାପକ ଦୁର୍ନୀତି କରାଯାଇଥିବା ଅଭିଯୋଗ ରହିଛି। ଅଭିଯୋଗ ଅନୁସାରେ, ନିକଟରେ ଓମବାଡସି ଅର୍ଥରେ ଅଙ୍ଗନବାଡ଼ି ଗୃହ ମରାମତି ବା ନବୀକରଣରେ ବାଟମାରଣା ଓ ଯୋଗାଣ ବିଭାଗ ପିଡିଏସ୍‌ ଦୁର୍ନୀତିକ୍ରମରେ ମାସିକ ପ୍ରାୟ ୩୦୦୦ କ୍ବିଣ୍ଟାଲ ଚାଉଳ ହଡ଼ପ କରାଯାଇଛି।

Wikimapia

ଏହି ଦୁର୍ନୀତିର ତାଲିକା ବି ବହୁତ ଲମ୍ବା ବୋଲି କୁହାଯାଉଛି। ଅଭିଯୋଗ ଅନୁସାରେ, ଲେଫ୍ରିପଡ଼ା ବ୍ଲକ ୫୦୦ ପାଇଖାନା ଦୁର୍ନୀତି ହୋଇଥିବାବେଳେ ସୁନ୍ଦରଗଡ଼ ବ୍ଲକ୍‌ର ସହକାରୀ ଯନ୍ତ୍ରୀଙ୍କ ବ୍ୟକ୍ତିଗତ ଫାର୍ମ ହାଉସକୁ ସରକାରୀ ଅର୍ଥରେ ରାସ୍ତା ସଂ‌ଯୋଗ, ସୁନ୍ଦରଗଡ଼ ଗ୍ରାମ୍ୟ ଜଳଯୋଗାଣ ବିଭାଜନ ଅଧୀନ‌ରେ ବିନା ଟେଣ୍ଡରରେ ୭୦୦ ଗାଁରେ ୩୧ ଲକ୍ଷର ‘ଖୋଲା ମଳମୁକ୍ତ ଗାଁ’ ସୂଚନାଫଳକ ଲଗାଯାଇଥିବା ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରେ ବିନା ଫିଜିବିଲଟି ଓ ଆର୍ଥିକ ମଞ୍ଜୁରିରେ ବିଭିନ୍ନ ବ୍ଲକ୍‌ ଅଞ୍ଚଳରେ ୫୦୦ରୁ ଅଧିକ ନଳକୂପ ଖନନ କରାଯାଇଛି।

ଆଶ୍ଚର୍ଯ୍ୟର ବିଷୟ, ଏତେସବୁ ଦୁର୍ନୀତି ପରେ ବି ରାଜନେତାମାନେ ଚୁପ୍‌ ରହିଛନ୍ତି। ଅବଶ୍ୟ ଆଇଟିଡିଏ ମହାଦୁର୍ନୀତି ବିରୋଧରେ ପୂର୍ବତନ ବିଧାୟକ ତଥା ଶାସକ ଦଳର ନେତା ଯୋଗେଶ ସିଂ ଓ ବିଜେପି ବିଧାୟିକା କୁସୁମ ଟେଟେ ଆଗକୁ ଆସି ସ୍ବର ଉଠାଇଥିଲେ। କିନ୍ତୁ ଦୁହେଁ ହଠାତ୍ ଅଧାବାଟରୁ ମୁହଁ ଫେରାଇ ନେଇଥିବା ମଧ୍ୟ ଦେଖିବାକୁ ମିଳିଛି। ବିସ୍ମୟକର କଥା ହେଲା, ଏସବୁ ପ୍ରସଙ୍ଗରେ ଶାସକ ଦଳର ନେତାଙ୍କ ପରି ଏଠାରେ ବିରୋଧୀ ଦଳର ନେତା ମଧ୍ୟ ମୁହଁ ଖୋଲୁନାହାନ୍ତି। ସୁନ୍ଦରଗଡ଼ ଜିଲ୍ଲା ବିରୋଧୀଙ୍କ ଗଡ଼ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ସୁନ୍ଦରଗଡ଼ ଜିଲ୍ଲାର କେବଳ ରାଉରକେଲା ଓ ରଘୁନାଥପାଲ୍ଲୀ ବିଧାନସଭାକୁ ଛାଡ଼ି ଅନ୍ୟ ୫ଟି ବିଧାନସଭା ବିରୋଧୀଙ୍କ ହାତରେ। ସୁନ୍ଦରଗଡ଼ ସାଂସଦ ମଧ୍ୟ ବିଜେପିର। କିନ୍ତୁ ବିଡ଼ମ୍ବନା ଯେ ଶାସକ ଦଳର ନେତାଙ୍କ ଭଳି ସେମାନେ ମଧ୍ୟ ଦୁର୍ନୀତିକୁ ଆଖି ବୁଜି ଦେଇଛନ୍ତି।

ସବୁଠାରୁ ବଡ଼ କଥା ହେଲା, ଅଭିଯୋଗର ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ପ୍ରଶାସନ ଆଦୌ ଆଗ୍ରହ ପ୍ରକାଶ କରୁନାହିଁ। ଏହା ଦୁର୍ନୀତିରେ ସଂଶ୍ଳିଷ୍ଟ ଅସାଧୁ ଅଧିକାରୀମାନଙ୍କୁ ବେଶ୍‌ ସୁହାଉଛି।

ସମ୍ବନ୍ଧିତ ଖବର