ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଢେଙ୍କାନାଳ ଯୁବ ବିଜେଡି ସଭାପତି ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କ ଉପରକୁ ଆଜି ସକାଳ ୧୦ଟା ସମୟରେ ଗୁଳି ମାଡ଼ ହୋଇଛି। ଶ୍ରୀ ପରିଡ଼ାଙ୍କ ମୁଣ୍ଡରେ ଗୁଳି ବାଜି ଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଉଥିବା ବେଳେବାଟରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରଯାଇଛି।ଏହାକୁ ନେଇ କାମାକ୍ଷାନଗରରେ ଉତ୍ତେଜନା ପ୍ରକାଶ ପାଇବା ସହିତ ସମସ୍ତ ଦୋକାନବଜାର ବନ୍ଦ ହୋଇ ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଶ୍ରୀ ପରିଡ଼ା କାମାକ୍ଷାନଗର ଗାନ୍ଧୀ ମନ୍ଦିର ନିକଟରେ ନିଜ କାରରୁ ଓହ୍ଲାଉଥିବା ବେଳେ ସେଠାରେ ପୂର୍ବରୁ ଅପେକ୍ଷାରତ ଜଣେ ଯୁବକ ଦୌଡ଼ି ଯାଇ ଖୁବ୍‌ ପାଖରୁ ତାଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳି ଶ୍ରୀ ପରିଡ଼ାଙ୍କ ମୁଣ୍ଡରେ ବାଜିବାରୁ ସେ ପଡ଼ି ଯାଇଥିଲେ। ପରେ ପରେ ଦୁର୍ବୃତ୍ତ ଜଣକ ବ୍ଲାଙ୍କ ଫାୟାରିଂ କରି ସେଠାରେ ଆତଙ୍କ ସୃଷ୍ଟି କରିବା ସହିତ ଖସିଯିବାକୁ ଚେଷ୍ଟା କରିଥିଲା। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ଏହି ଖବର ପ୍ରଚାର ହୋଇଯିବା ପରେ ସମଗ୍ର କାମାକ୍ଷାନଗର ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


ଗୁରୁତର ଆହତ ଶ୍ରୀ ପରିଡ଼ାଙ୍କୁ ଜଣେ ଡାକ୍ତରଙ୍କ ସହିତ ଆମ୍ବୁଲାନ୍ସରେ କଟକ ବଡ଼ ଡାକ୍ତରଖାନାକୁ ପଠାଯାଉଥିବା ବେଳେ କାମାକ୍ଷାନଗର ଠାରୁ ମାତ୍ର ୫ କିଲୋମିଟର ଦୂରରେ ତାଙ୍କର ମୃତ୍ୟୁ ଘଟିଥିଲା। ସାଙ୍ଗରେ ଥିବା ଡାକ୍ତର ଶ୍ରୀ ପରିଡ଼ାଙ୍କ ମୃତ୍ୟୁ ଘଟିଥିବା କହିବା ପରେ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାକୁ ଫେରାଇ ଅଣାଯାଇଛି।
ସୂଚନାଯୋଗ୍ୟ ଯେ ୨୦୧୪ ମସିହାରେ ଶ୍ରୀ ପରିଡ଼ାଙ୍କ ଉପରକୁ ମଧ୍ୟ ଗୁଳିମାଡ଼ ହୋଇଥିଲା।

ସମ୍ବନ୍ଧିତ ଖବର