ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌କୁ ନେଇ ଆଲୋଚନା ଜାରି

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପ୍ରସଙ୍ଗ : ଦଣ୍ଡିତ କରାଯାଇନି କି ପୁରସ୍କାର ଦିଆଯାଇନି

ଭୁବନେଶ୍ୱର : ଆଜି ବି ଗୃହରେ ପାରିତ ହୋଇପାରିଲାନି ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌-୨୦୨୦। ବିଲ୍‌ରେ ଥିବା ବିଭିନ୍ନ ଧାରା ଓ ଉପଧାରାର ଅସଂଗତି ଦର୍ଶାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଲ୍‌ର ଧାରା ୧୦ ଅନ୍ତର୍ଗତ ସିଣ୍ଡିକେଟ୍‌ର ଢାଞ୍ଚା ପରିବର୍ତ୍ତନ, ଧାରା ୨୧ରେ ଥିବା ଅଧ୍ୟାପକ ନିଯୁକ୍ତି ଓ ଧାରା ୨୨ରେ ଥିବା ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ନେଇ ସରକାରଙ୍କ ପ୍ରସ୍ତାବ ଉପରେ ଶ୍ରୀ ମିଶ୍ର ପ୍ରଶ୍ନ ଉଠାଇଥିଲେ। ଏହାସହିତ ସେ କହିଥିଲେ, ଏହି ବିଲ୍‌କୁ ନେଇ ବିଶିଷ୍ଟ ଶିକ୍ଷାବିତ୍‌ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ ସରକାର ବିଶ୍ବବିଦ୍ୟାଳୟ ଆଇନରେ ଯେଉଁ ନୂଆ ସଂଶୋଧନ ଆଣିବାକୁ ଯାଉଛନ୍ତି ତାଦ୍ବାରା ବିଶ୍ବବିଦ୍ୟାଳୟର ସ୍ବାୟତ୍ତତା ରହିବ ନାହିଁ। ଏହି ବିଲ୍‌ ଉପରେ ଆସନ୍ତାକାଲି ପୁଣି ଥରେ ଶ୍ରୀ ମିଶ୍ର ଗୃହରେ ଆଲୋଚନା କରିବେ।

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପ୍ରସଙ୍ଗ : ଦଣ୍ଡିତ କରାଯାଇନି କି ପୁରସ୍କାର ଦିଆଯାଇନି
ଭୁବନେଶ୍ୱର : ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରୁଥିବା କର୍ମଚାରୀ ତଥା ବିଭାଗକୁ ପୁରସ୍କୃତ କରାଯିବ। ଓଡ଼ିଆ ଭାଷାର ପର୍ଯ୍ୟାପ୍ତ ବ୍ୟବହାରରେ ବାରମ୍ବାର ଖିଲାପ କଲେ, ଖିଲାପକାରୀ କର୍ମଚାରୀଙ୍କ ବିରୋଧରେ ଓଡ଼ିଶା ବେସାମରିକ ସେବା ଅଧିନିୟମ,୧୯୬୨ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାଧାରଣ ପ୍ରଶାସନ ବିଭାଗ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ଓଡ଼ିଆ ସରକାରୀ ଭାଷା ଆଇନ୍‌ରେ ଏହି ନିୟମାବଳୀ ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ଉଲ୍ଲଂଘନ ସମ୍ପର୍କିତ କୌଣସି ଅଭିଯୋଗ କି ପୁରସ୍କାର କରାଯିବାର କୌଣସି ତଥ୍ୟ ସାଧାରଣ ପ୍ରଶାସନ ବିଭାଗ ପାଖରେ ନାହିଁ। ଏଣୁ କୌଣସି ସରକାରୀ କର୍ମଚାରୀଙ୍କୁ ଦଣ୍ଡିତ କରାଯାଇ ନାହିଁ କିମ୍ବା ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରୁଥିବା କର୍ମଚାରୀ ତଥା ବିଭାଗକୁ ପୁରସ୍କୃତ କରାଯାଇ ନାହିଁ। ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

ସମୁଦ୍ରକୁ ବହିଯାଉଥିବା ପାଣିର ହିସାବ ନାହିଁ
ଭୁବନେଶ୍ୱର : ରାଜ୍ୟରେ ଆବଶ୍ୟକ ଜଳଭଣ୍ଡାର ନ ଥିବାରୁ କେତେ ପ୍ରତିଶତ ଜଳ ସିଧା ସମୁଦ୍ରକୁ ବହିଯାଉଛି, ତାହାର ହିସାବ ସରକାର କରି ନାହାନ୍ତି। ବିଧାନସଭାରେ ବିଧାୟକ ମୋହନ ଚରଣ ମାଝୀ ଓ ଶଙ୍କର ଓରାମଙ୍କ ଏ ସମ୍ପର୍କିତ ଲିଖିତ ପ୍ରଶ୍ନରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ତଥ୍ୟ ଦେଇପାରି ନାହାନ୍ତି। ତଥ୍ୟ ସଂଗ୍ରହ କରାଯାଉଛି ଓ ତାହା ପରେ ତାହାକୁ ସଂକଳନ କରି ଜଣାଇ ଦଆଯିବ ବୋଲି ସେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର