ସୁଧୁରୁନି ଯୋଗାଣ ବିଭାଗ: ନକଲି ଓଟିପିରେ ଚାଉଳ, ଗହମ ଚଳୁ !

ସନ୍ଦେହ ଘେରରେ ଏମ୍‌ଆଇ, ଡାଟା ଏଣ୍ଟ୍ରି ଅପରେଟର

ରାଉରକେଲା: ରାଉରକେଲା ଯୋଗାଣ ବିଭାଗର ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ପଦାକୁ ଆସୁଛି। କେତେବେଳେ ପରିବହନକୁ ନେଇ ତ ଅନ୍ୟ କେତେବେଳେ ଜାଲ୍‌ କାର୍ଡକୁ ବ୍ୟବହାରକୁ ନେଇ ଚର୍ଚ୍ଚାରେ ରହିଛି ବିଭାଗ। ଏବେ ଆଉ ଏକ ଦୁର୍ନୀତି ସାମ୍ନାକୁ ଆସିଛି। ନକଲି ଓଟିପି (ୱାନ୍‌ ଟାଇମ୍‌ ପାସ୍‌ୱାର୍ଡ) ବ୍ୟବହାର କରି ହଡପ୍‌ ହେଉଛି ହିତାଧିକାରୀଙ୍କ ଚାଉଳ, ଗହମ। ଏହି କାରବାରରେ ସାମିଲ ଅଛନ୍ତି ସହରର କିଛି କରିତକର୍ମା କଣ୍ଟ୍ରୋଲ ଦୋକାନୀ। ସେମାନେ ଯୋଗାଣ ଅଫିସର ଡାଟା ଏଣ୍ଟ୍ରି କର୍ମଚାରୀଙ୍କ ସହ ଭିତରି ସଲାସୁତୁରା କରି ବର୍ଷ ବର୍ଷ ଧରି ଏଭଳି ବେଆଇନ କାମ କରି ଚାଲିଛନ୍ତି। ମାର୍କେଟିଂ ଇନ୍ସପେକ୍ଟର (ଏମ୍‌ଆଇ) ଏମାନଙ୍କୁ ରୋକିବା ପରିବର୍ତ୍ତେ ପରୋକ୍ଷରେ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି। ଏପରି ଭାବେ ବେଆଇନ କାମରେ ସମ୍ପୃକ୍ତ କଣ୍ଟ୍ରୋଲ ଦୋକାନୀ ମାସକୁ ପାଖାପାଖି ୧୦୦ କ୍ବିଣ୍ଟାଲ ଚାଉଳ ଓ ଗହମ ଚଳୁ କରି ଦେଉଛନ୍ତି।

ବାରମ୍ବାର ହିତାଧିକାରୀମାନେ ଏମ୍‌ଆଇଙ୍କ ଦୃ୍ଷ୍ଟି ଆକର୍ଷଣ କରୁଛନ୍ତି। ଏମ୍‌ଆଇମାନେ ଏମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଚୁପ୍‌ ବସୁଛନ୍ତି। ଫଳରେ ଏହାର ଭରଫୁର ଫାଇଦା ଉଠାଉଛନ୍ତି ଏହି କଣ୍ଟ୍ରୋଲ ଦୋକାନୀମାନେ। ଚାଉଳ ଓ ଗହମ ହଡ଼ପ କରିବାକୁ ଏହି କରିତକର୍ମା କଣ୍ଟ୍ରୋଲ ଦୋକାନୀମାନେ ନିଜ ପାଖରେ କିଛି ଜାଲ୍‌ କାର୍ଡ ରଖିଛନ୍ତି। ସେହି କାର୍ଡ ଜରିଆରେ ଯୋଗାଣ ବିଭାଗରୁ ଚାଉଳ ଓ ଗହମ ଉଠାଉଛନ୍ତି। ପରବର୍ତ୍ତୀ ସମୟରେ ନିଜ ପାଖରେ ରଖିଥିବା ସିମ୍‌ କାର୍ଡକୁ ବ୍ୟବହାର କରି ନକଲି ଓଟିପି କ୍ରିଏଟ୍‌ କରୁଛନ୍ତି। ସେହି ଓଟିପିକୁ ବ୍ୟବହାରକରି ଜାଲ୍‌ କାର୍ଡରେ ଉଠୁଥିବା ଚାଉଳ ଓ ଗହମ ସିଧାସଳଖ ଚଳୁ କରି ଦେଉଛନ୍ତି। ସହରରେ ପ୍ରାୟ ୧୫ରୁ୨୦ କଣ୍ଟ୍ରୋଲ ଦୋକାନୀ ଏଭଳି ଦୁର୍ନୀତି କରିବାରେ ମାହିର ଅଛନ୍ତି। ତେବେ ବର୍ଷ ବର୍ଷ ଧରି ଯୋଗାଣ ବିଭାଗର କିଛି କର୍ମଚାରୀ ଓ ଅଧିକାରୀଙ୍କ ସହ ଭିତିରି ସଲାସୁତୁରା କରି ହଡପ କରୁଥିବା ଏଭଳି କଣ୍ଟ୍ରୋଲ ଦୋକାନୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ? କାର୍ଯ୍ୟରତ ଏମ୍‌ଆଇମାନେ କ’ଣ ପାଇଁ ଚୁପ୍‌ ରହୁଛନ୍ତି ? ଜିଲ୍ଲାପାଳଙ୍କ ବାରମ୍ବାର ଦାଗିଦ୍‌ ସତ୍ବେ ଯୋଗାଣ ବିଭାଗ ପକ୍ଷରୁ କାହିଁକି ତତ୍ପରତା ପ୍ରକାଶ ପାଉ ନାହିଁ ? ଏମିତି ଅନେକ ପ୍ରଶ୍ନକୁ ନେଇ ନାନା ଆଲୋଚନା ପର୍ଯ୍ୟାଲୋଚନା ହେଉଛି।

ଉଲ୍ଲେଖଯୋଗ୍ୟ, ନିକଟରେ ଅନ୍ୟ କିଛି କଣ୍ଟ୍ରୋଲ ଦୋକାନୀ ଓ ଏସଏଚ୍‌ଜି ଜାଲ୍‌ ଆଧାର ନମ୍ବର ସହୟତାରେ କ୍ବିଣ୍ଟାଲ କ୍ବିଣ୍ଟାଲ ଚାଉଳ ଓ ଗହମ ହଡପ କରୁଥିଲେ। ବସ୍ତିରେ ରହୁଥିବା ହିତାଧିକାରୀ କାର୍ଡରେ ଏଭଳି ଗୋଲକଧନ୍ଦା ଚଳାଇଥିଲେ। ଯେଉଁ ହିତାଧିକାରୀ କାର୍ଡରେ ୨ ଜଣ ସଦସ୍ୟ ଅଛନ୍ତି, ସେମାନଙ୍କ କାର୍ଡରେ ଆଉ ୪ ଜଣ ଜାଲ୍‌ ଲୋକଙ୍କ ନାମ ଯୋଡି ଦେଉଥିଲେ। ଯୋଡା ଯାଉଥିବା ଏସବୁ ଜାଲି ଲୋକଙ୍କ ନାମ କିନ୍ତୁ ଅସିଲ କାର୍ଡରେ ରହୁନି। ଧରା ନ ପଡିବାକୁ ଦାୟିତ୍ବରେ ଥିବା ଯୋଗାଣ ବିଭାଗର କିଛି କରିତକର୍ମା ଅଧିକାରୀ କମ୍ପୁଟର ଏସବୁ ଜାଲ୍‌ ଲୋକଙ୍କ ନାମ ଯୋଡି ଦେଉଛନ୍ତି। ସେହି ଅନୁଯାୟୀ କଣ୍ଟ୍ରୋଲ ଦୋକାନୀ ମାସକୁ ମାସକ ଚାଉଳ, ଗହମ, କିରାସିନ ଉଠାଉଛନ୍ତି। ଜାଲ୍‌ ଲୋକଙ୍କ ନାଁରେ ମାସକୁ ମାସ ଉଠୁଥିବା ଟନ୍‌ ଟନ୍‌ ଚାଉଳ, ଗହମ ଚଳୁ ଉଭୟ କଣ୍ଟ୍ରୋଲ ଦୋକାନୀ ଓ ଦାୟିତ୍ବରେ ଥିବା ଯୋଗାଣ ବିଭାଗର ଅଧିକାରୀ ମିଳି ମିଶି ଚଳୁ କରୁଛନ୍ତି। ଏପରି ବେଆଇନ କାମରେ ମାହିର ଅଛନ୍ତି କିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ କିଛି କଣ୍ଟ୍ରୋଲ ଦୋକାନୀ। ଯେଉଁ ଏସ୍‌ଏସ୍‌ଜି ଓ କଣ୍ଟ୍ରୋଲ ଦୋକାନୀଙ୍କ ପାଖରେ ୫୦୦ରୁ ୧୦୦୦ ପର୍ଯ୍ୟନ୍ତ କାର୍ଡ ଅଛି, ସେମାନେ ଏଭଳି କାମ କରୁଛନ୍ତି। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଧୀନରେ ମୋଟ ୧୬୮ଟି ଏସ୍‌ଏସ୍‌ଜି ଓ କଣ୍ଟ୍ରୋଲ ଦୋକାନୀଙ୍କ ମଧ୍ୟରୁ ପ୍ରାୟ ୨୦% ଏମିତି କାମ କରୁଥିବା ମଧ୍ୟ ଅଭିଯୋଗ ହେଉଛି।

ପାଖାପାଖି ୫ ହଜାର ଜାଲ୍‌ ଲୋକଙ୍କ ନାଁରେ ମାସକୁ ପ୍ରାୟ ୨୫୦ କ୍ବିଣ୍ଟାଲ ଚାଉଳ, ଗହମ ଉଠୁଥିବା ଜଣାପଡିଛି। ଏ ବାବଦ ଅର୍ଥ ପ୍ରାୟ ୫ ଲକ୍ଷ ଟଙ୍କା ସମ୍ପୃ୍କ୍ତ ଏସ୍‌ଏସ୍‌ଜି, କଣ୍ଟ୍ରୋଲ ଦୋକାନୀ ଓ ଯୋଗାଣ ବିଭାଗ ଅଧିକାରୀଙ୍କ ପକେଟକୁ ଯାଉଛି। ପୂର୍ବରୁ ଯୋଗାଣ ବିଭାଗର ଭୂତ କାର୍ଡ ଦୁର୍ନୀତି ବିବାଦରେ ଛନ୍ଦି ହୋଇ ପଡିଥିବା ସହକାରୀ ‌ଯୋଗାଣ ଅଧିକାରୀ, ଦୁଇଜଣ ମାର୍କେଟିଂ ଇନ୍ସେପକ୍ଟରଙ୍କୁ ରାଉରକେଲାରୁ ଅନ୍ୟତ୍ର ବଦଳି ହୋବକୁ ପଡିଥିଲା। ବାସ୍ତବରେ ଯେଉଁମାନେ ଏଭଳି କାମ କରୁଛନ୍ତି ସେମାନଙ୍କର ଅନ୍ୟତ୍ର ବଦଳି ହେଉ ନାହିଁ। ନ ହେବା ପଛରେ ନିଶ୍ଚିତ ଭାବେ ମନ୍ଦ ଉଦ୍ଦେଶ୍ୟ ରହିଛି। ତେବେ ନକଲି ଓଟିପି ପରି କେଉଁ କାର୍ଡର କେତେ ଜାଲ୍‌ ଆଧାର ନମ୍ବର, ଜାଲ୍‌ ଲୋକ ଅଛନ୍ତି ସଠିକ୍‌ ତଦନ୍ତ କରାଗଲେ ଯୋଗାଣ ବିଭାଗରେ ବର୍ଷ ବର୍ଷ ଧରି ଚାଲିଥିବା ଆଉ ଏକ ଦୁର୍ନୀତିର ପର୍ଦ୍ଦାଫାସ ‌ହୋଇପାରନ୍ତା ବୋଲି ଦାବି ହେଉଛି।

ସମ୍ବନ୍ଧିତ ଖବର