ଡା. ନାରାୟଣ ରାଉତ ଓମ୍‌ସା ସଭାପତି

ଭୁବନେଶ୍ବର : ରାଜ୍ୟ ମେଡିକାଲ୍ ସେବା ସଂଘ(ଓମ୍‌ସା)ର କର୍ମକର୍ତ୍ତା ନିର୍ବାଚନ ଗୁରୁବାର ବିଳମ୍ବିତ ରାତିରେ ଘୋଷଣା କରାଯାଇଛି। ଡା. ନାରାୟଣ ରାଉତ ନିଜର ପ୍ରତିଦ୍ବନ୍ଦ୍ବୀ ଡା. ପୁଣ୍ୟଶ୍ଳୋକ ଦାସଙ୍କୁ ହରାଇ ଲଗାତର ଦ୍ବିତୀୟଥର ଲାଗି ସଭାପତି ନିର୍ବାଚିତ ହୋଇଛନ୍ତି। ଏହା ସହ ଡା. ବିଶ୍ବଜିତ ସାମଲ ରାଜ୍ୟ ସାଧାରଣ ସଂପାଦକ ଓ ଡା. କ୍ଷୀରୋଦ ଚନ୍ଦ୍ର ପଲ୍ ରାଜ୍ୟ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଓମ୍‌ସାର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି।

ଗତ ମାସ ୨୯ ତାରିଖରେ ଓମ୍‌ସା କର୍ମକର୍ତ୍ତା ପାଇଁ ଭୋଟିଂ ଆରମ୍ଭ ହୋଇଥିଲା। ଚଳିତ ମାସ ୨ ତାରିଖ ପର୍ଯ୍ୟନ୍ତ ଭୋଟିଂ ହୋଇଥିଲା। ସେହିଦିନ ଫଳାଫଳ ଘୋଷଣା ହୋଇଥିଲେ ବି କିଛି କର୍ମକର୍ତ୍ତା ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଫଳରେ ଏହି ତିନିଟି ପଦ ପାଇଁ ପୁନର୍ବାର ଭୋଟ୍ ଗଣତି ହୋଇଥିଲା। ଓମ୍‌ସା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଘଟଗାଁ ସିଏସ୍‌ସିରେ କିଛି ଅଣଡାକ୍ତର ଜନୈକ ପ୍ରତିଦ୍ବନ୍ଦ୍ବୀଙ୍କ ପ୍ରରୋଚନାରେ ଆସି ଭୋଟ୍ ଦେଇଥିଲେ। ପୁନର୍ବାର ଭୋଟ୍ ଗଣତି ସମୟରେ ଏସବୁ ଅନିୟମିତତା ଧରାପଡ଼ିଥିଲା। ଓମ୍‌ସା କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ସେମାନଙ୍କର ମତ ରେକର୍ଡ କରାଯିବା ସହିତ ପୁନର୍ବାର ଏଭଳି କାର୍ଯ୍ୟରେ ଲିପ୍ତ ନ ହେବା ଲାଗି ତାଗିଦ୍ କରାଯାଇଛି।

ସମ୍ବନ୍ଧିତ ଖବର