ରାଉରକେଲା ପୂର୍ତ୍ତ ବିଭାଗରେ ଯନ୍ତ୍ରୀ ଅଭାବରୁ ହୋଇପାରୁନି ପ୍ରକଳ୍ପ ସୁପରିଚାଳନା

ବର୍ଷକୁ ଆସୁଛି ପ୍ରାୟ ୫୦୦ କୋଟିର ପ୍ରକଳ୍ପ

ରାଉରକେଲା: କନିଷ୍ଠ ଯନ୍ତ୍ରୀ (ଜେଇ) ଅଭାବରୁ ପୂର୍ତ୍ତ ବିଭାଗର ଅନେକ ଡିଭିଜନ୍‌ରେ କାମ ପରିଚାଳନାରେ ଅନେକ ବାଧା ସୃଷ୍ଟି ହେଉଛି। ମାସେ କି ଦୁଇ ମାସ ନୁହେଁ ପ୍ରାୟ ବର୍ଷରୁ ଅଧିକ ଦିନ ଧରି ଏଭିଳି ସମସ୍ୟା ଲାଗି ରହିଛି। ପ୍ରତ୍ୟେକ ସବ୍‌ଡିଭିଜନ୍‌ ରେ ଆବଶ୍ୟକ ଅନୁଯାୟୀ କନିଷ୍ଠ ଯନ୍ତ୍ରୀ ନାହାନ୍ତି।  ଜେଇମାନେ ନଥିବାରୁ ବିଭାଗୀୟ ଅଧିକାରୀଙ୍କ ଉପରେ କାମର ଚାପ ପଡୁଛି। କିଛି ସ୍ଥାନରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ଠିକ୍‌ ସମୟରେ ତଦାରଖ କିମ୍ବା ସୁପରିଚାଳନା ହୋଇପାରୁନି। ଅନେକ କିଛି ସ୍ଥାନରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟ ଠାରୁ ଢ଼େର ବିଳମ୍ବରେ ସରୁଛି।

ଏଭଳି ସମସ୍ୟା ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀ ବାରମ୍ବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ଏଦିଗରେ କ‌ୌଣସି ପଦକ୍ଷେପ ନିଆଯାଇ ନାହିଁ। ଯାହାର ସିଧାସଳକ ପ୍ରଭାବ ପଡୁଛି ସବ୍‌ଡିଭିଜନ୍‌ରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀଙ୍କ ଉପରେ। ସେମାନେ ସଠିକ୍‌ ସମୟରେ ପ୍ରକଳ୍ପ ସାରିବାକୁ ଚାହୁଁଥିଲେ ମଧ୍ୟ ହୋଇପାରୁନି। ରାଉରକେଲା ପୂର୍ତ୍ତ ବିଭାଗ ଅଧୀନରେ ପାନପୋଷ ସବ୍‌ଡିଭିଜନ୍‌, ବଣାଇ ସବ୍‌ଡିଭିନ୍‌, ରାଉରକେଲା ବିଲ୍‌ଡିଂ ସବ୍‌ଡିଭିଜନ୍,  ସିଟି  ଆର୍‌ ଆଣ୍ଡ ବି ଡିଭିଜନ ରହିଛି।

ପାନପୋଷ ସବ୍‌ ଡିଭିଜନ୍‌ ଅଧୀନରେ ଚାରିଟି ସେକ୍ସନ ଯଥା ପାନପୋଷ, କଲୁଙ୍ଗା, କୁଆରମୁଣ୍ଡା ଓ ବୀରମିତ୍ରପୁର ରହିଛି। ପ୍ରତ୍ୟେକ ସେକ୍ସନରେ ଜଣେ ଲେଖାଏଁ କରି ୪  ଜେଇ ରହିବା  ଆବଶ୍ୟକ। ମାତ୍ର ଆଜି ପ୍ରାୟ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ହେଲେ ସେକ୍ସନରେ ଜେଇ ନାହାନ୍ତି। ଅର୍ଥାତ୍‌ ୪ ଜେଇ ପଦବୀ ଖାଲି ପଡିଛି। ଫଳରେ ପାନପୋଷ ସବ୍‌ ଡିଭିଜନ୍‌ ଅଧୀନସ୍ଥ ବିଭିନ୍ନ ସେକ୍ସନରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ତଦାରଖ ଓ ସୁପରିଚାଳନାରେ ଅନେକ ସମସ୍ୟା ସୃଷ୍ଟି ହେଉଛି। ଏସବୁ କାମର ତଦାରଖ ପାଇଁ ରାଉରକେଲା ଡିଭିଜନ୍‌ ଅଧୀନରେ କାର୍ଯ୍ୟରତ ଜେଇମାନଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେମାନେ ଏକ କାଳୀନ ଦୁଇଟି ସବ୍‌ଡିଭିଜନ୍‌ ଅଧୀନରେ କାମ କରୁଥିବାରୁ ଅଧିକ ଚାପରେ ରହୁଛନ୍ତି।

ସଠିକ୍‌ ସମୟରେ  ଚାଲିଥିବା ପ୍ରକଳ୍ପଗୁଡ଼ିକୁ ତଦାରଖ କରିବାକୁ ସମୟ ପାଉନାହାନ୍ତି। ପାନପୋଷ ସବ୍‌ଡିଭିଜନ ପରି ରାଉରକେଲା ବିଲ୍‌ଡିଂ ସବ୍‌ଡିଭିଜନ୍‌‌ରେ ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି। ଏହି ସବ୍‌ଡିଭିଜନ୍‌ ଅଧୀନରେ ୪ଟି ସେକ୍ସନରେ ୪ ଜେଇ ରହିବା ପରିବର୍ତ୍ତେ ଅଛନ୍ତି ମାତ୍ର ୨ ଜଣ ଜେଇ। ଅନ୍ୟ ଦୁଇ ଜେଇ ପଦବୀ ଖାଲି ପଡିଛି। ପାନପୋ‌ଷ ସବ୍‌ ଡିଭିଜନ୍‌ ପରି ଏଠି ମଧ୍ୟ ଜେଇ ଓ ବିଭାଗୀୟ ଅଧିକାରୀଙ୍କୁ କାମ ସୁପରିଚାଳନା ଓ ତଦାରଖରେ ସମସ୍ୟା ଉପୁଜିଛି। ସିଟି ଡିଭିଜନ୍‌ରେ ଗୋଟିଏ ଜେଇ ପଦବୀ ଖାଲି ପଡିଥିବାବେଳେ ବଣାଇ ସବ୍‌ଡିଭିଜନ୍‌ରେ ୪ରୁ  ଦୁଇଟି ଜେଇ ପଦବୀ ଖାଲି ପଡିଛି।

ଚାରିଟି ସବ୍‌ଡିଭିଜନ୍‌ ମଧ୍ୟରୁ ସର୍ବାଧିକ ପାଣ୍ଠି ବଣାଇ ସବ୍‌ଡିଭିଜନ୍‌ ଆସୁଛି। ଏଥିସହ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରୁ ମଧ୍ୟ କୋଟି କୋଟି ଟଙ୍କାର ପ୍ରକଳ୍ପ ଚାଲିଛି। ବିଭିନ୍ନ ବ୍ଲକର ଉପାନ୍ତ ଅଞ୍ଚଳରେ  ଡିଏମ୍‌ଏଫ୍‌  ହେଉ ଅବା ଅନ୍ୟନ୍ୟା ପାଣ୍ଠିରେ ଚାଲିଥିବା କାମକୁ ସଠିକ୍‌ ଭାବେ ପରିଚାଳନାରେ ଅନେକ ସମସ୍ୟା ସୃଷ୍ଟି ହୋଇଛି। ଉଲ୍ଳେଖନୀୟ ରାଉରକେଲା ପୂର୍ତ୍ତ ବିଭାଗକୁ ପ୍ରତିବର୍ଷ ପ୍ରାୟ ୫୦୦ କୋଟିରୁ ଅଧିକ ଟଙ୍କାର କାମ ଆସୁଛି। ଯେଉଁ ସେକ୍ସନରେ ଜେଇ ଅଛନ୍ତି, ସେଠି କାମର ସଠିକ୍‌ ପରିଚାଳନା ହେଉଛି। ଯେଉଁସ୍ଥାନରେ ଜେଇ ପଦବୀ ଖାଲି ପଡିଛି, ସେଠି ବାଧା ଉପୁଜିଛି। ତେଣୁ କାମର ସଠିକ୍‌ ସୁପରିଚାଳନା ପାଇଁ ପ୍ରାଥମିକତା ଭିତ୍ତିରେ ଖାଲି ପଡିଥିବା ଜେଇ ପଦବୀ ପୂରଣର କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର