ସୁର ବାବାଙ୍କର ୬ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତିକୁ ଆଟାଚ୍‌ କଲା ଇଡି

ଦୁଇ ପୁଅ ଓ ଟ୍ରଷ୍ଟ ନାଁରେ ୫ କୋଟି ୫୬ ଲକ୍ଷର ଜମି ଆଟାଚ୍‌

ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ମିଶ୍ର ଓରଫ ସୁର ବାବାଙ୍କ ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ଆଟାଚ୍‌ କରିଛି। ସୁର ବାବାଙ୍କର ପ୍ରାୟ ୬ କୋଟିର ସମ୍ପତ୍ତିକୁ ଇଡି ଦ୍ୱିତୀୟ ଥର ପାଇଁ ଆଟାଚ୍‌ କରିଛି। ଏଥି ସହିତ ସୁର ବାବାଙ୍କ ୨ ପୁଅ ଓ ଟ୍ରଷ୍ଟ ନାମରେ ଥିବା ୫ କୋଟି ୫୬ ଲକ୍ଷ ଟଙ୍କାର ଜମିକୁ ଇଡି ବାଜ୍ୟାପ୍ତି କରିଛି। ସୁର ବାବା ଓ ତାଙ୍କ ୨ ପୁଅଙ୍କ ନାମରେ ଥିବା ୯୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମାକୁ ମଧ୍ୟ ଇଡି ପକ୍ଷରୁ ଆଟାଚ୍‌ କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୋଥି ବିଦ୍ୟାକୁ ନେଇ ସୁର ବାବା ଝିଣ୍ଟି ଅଞ୍ଚଳରେ ପ୍ରସିଦ୍ଧି ଅର୍ଜନ କରିଥିଲେ। ପୋଥି ବିଦ୍ୟାର ଯାଦୁରେ ରାଜ୍ୟ ତଥା ରାଜ୍ୟ ବାହାରରୁ ବହୁ ଭକ୍ତ ତାଙ୍କ ଆଶ୍ରମକୁ ଆସୁଥିଲେ। ଅଭିଯୋଗ ଅନୁସାରେ ବାବା ରାହାସ ଲୀଳା ପାଇଁ ନାଇଟ୍‌ କଲେଜ ଖୋଲୁଥିଲେ। ସେ ଲାଲବାହିନୀ ଗଠନ କରି ସୁର ବାବା ବିରୋଧୀଙ୍କୁ ଦମନ କରୁଥିଲେ ବୋଲି ମଧ୍ୟ ଅନେକ ସମୟରେ ଅଭିଯୋଗ ହୋଇଥିଲା। ଆଶ୍ରମ ଭିତରେ ୫ କୋଟି ଟଙ୍କାରେ ଶିବ ମନ୍ଦିର ନିର୍ମାଣକୁ ନେଇ ଅଙ୍ଗୁଳି ଉଠିଥିଲା। ଶେଷରେ ଜମି ଜାଲିଆତି ମାମଲାରେ ସୁର ବାବା ୨୦୧୫ରେ କ୍ରାଇମବ୍ରାଞ୍ଚ ଦ୍ୱାରା ୨ ପୁଅଙ୍କ ସହିତ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର