କେନ୍ଦୁଝର: ଖାଲପାଳରେ ନିର୍ବାଚନୀ ହିଂସା, ଦୁଇ ଗୁରୁତର; ମଣତାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍‌ଗ୍ରହଣ ହେବାକୁ ଯାଉଛି। ରାତିପାହିଲେ ନିର୍ବାଚନ ହେବାକୁ ଥିବାବେଳେ ରାଧିକାଦେଈପୁର ପଞ୍ଚାୟତ ଖାଲପାଳ ଗ୍ରାମର ବନ୍ଧସାହିରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌ ଯୋଗୁଁ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ଖାଲପାଳର ଅନିଲ ଜେନା (୩୦) ଏବଂ ଚମ୍ପାପାଳର ଆଶିଷ ଜେନା (୨୧)। ଉଭୟଙ୍କ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରାପ୍ତ ସୂଚନା‌ ଅନୁଯାୟୀ, ଆଜି ଖାଲପାଳ ବନ୍ଧସାହିରେ ପଞ୍ଚାୟତ ନିର୍ବାଚନକୁ କେନ୍ଦ୍ରକରି ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ଜଣଙ୍କୁ ଆକ୍ରମଣ କରିଥିଲେ। ଏହାକୁ ନେଇ ସନ୍ଧ୍ୟାରେ ପୁଣି ଦୁଇଗୋଷ୍ଠୀ ମୁହାଁମୁହିଁ। ଠେଙ୍ଗାବାଡ଼ିରେ ପରସ୍ପରକୁ ଆକ୍ରମଣ କରିବାରୁ ଅନିଲ ଏବଂ ଆଶିଷ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ସେମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାକୁ କେନ୍ଦ୍ରକରି ଗାଁରେ ଉତ୍ତେଜନା ଲାଗି ରହିଛି। ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ମଣତାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ
ଘଟଗାଁ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରିବା ପରେ ଗତକାଲି ରାତି ୮ଟାବେଳେ ଘଟଗାଁ ବ୍ଲକ୍‌ ତରା ପଞ୍ଚାୟତର ମଣତା ଗ୍ରାମରେ ଦୁଇ ଗୋଷ୍ଠୀ ମୁହାଁ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ମଣତା-ବେଢ଼ାପାଳ ମଧ୍ୟରେ ଥିବା ୭ ନମ୍ବର ୱାର୍ଡର ପେଚାସାହିରେ ଏକ କାର୍‌କୁ ୭/୮ଜଣ ଲୋକେ ମୋଟରସାଇକଲରେ ଆସି ଅଟକାଇଥିଲେ। ସମସ୍ତଙ୍କ ହାତରେ ଖଣ୍ତା, ଭୁଜାଲି ଆଦି ମାରଣାସ୍ତ୍ର ଥିଲା। କାର୍‌ ଓ ବାଇକ୍‌ରେ ଥିବା ଲୋକେ ମୁହିଁମୁହିଁ ହେଉଥିବା ବେଳେ ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଘଟଗାଁ ପୁଲିସକୁ ଖବର ଦେବାରୁ ପୁଲିସ ତୁରନ୍ତ ସେଠାରେ ପହଞ୍ଚିଥିଲା। ପୁଲିସକୁ ଦେଖି ସମ୍ପୃକ୍ତ ଲୋ‌କମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ନିର୍ବାଚନ ପାଇଁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ବିଭିନ୍ନ ମାରଣାସ୍ତ୍ର ଧରି ବସ୍ତି ଜଗିଥିବା ଜଣାପଡ଼ିଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନି। ଅନ୍ୟପକ୍ଷରେ ଗତକାଲି ତରା ଗ୍ରାମରେ ଜଣେ ଯୁବକଙ୍କ ମାଡ଼ରେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ତାଙ୍କ ମୁଣ୍ଡ ଫାଟି ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର