ଭୁବନେଶ୍ୱର : ପୁରୀ ଏମାର ମଠର ନିବୁଜ କୋଠରିରୁ ୧୯ ଟନ୍ ଓଜନର ୫୨୨ଟି ରୁପା ଇଟା ମିଳିବା ଏକ ଚର୍ଚିତ ଘଟଣା ଥିଲା। ଏତେ ରୁପା ଇଟା କେଉଁଠୁ ଆସିଲା ତାହା ଏଯାଏ ରହସ୍ୟ ହୋଇ ରହିଥିଲା। ମାତ୍ର ଏଇ ରହସ୍ୟ ଉପରୁ ପରଦା ଉଠଛି। ଏମାର ମଠରୁ ସଂଗୃହୀତ ରୁପା ଇଟା ସହ ଓଡ଼ିଶାରେ ୧୮୬୬ରେ ହୋଇଥିବା ନଅଙ୍କ ଦୁର୍ଭିକ୍ଷର ସମ୍ପର୍କ ଥିଲା ବୋଲି ଗବେଷଣାରୁ ଜଣାପଡ଼ିଛି।
ନଅଙ୍କ ଦୁର୍ଭିକ୍ଷ ସମୟରେ ଇଂରେଜମାନେ ଦୁର୍ଭିକ୍ଷ ଅଞ୍ଚଳରେ ରିଲିଫ୍ ଦେବା ପାଇଁ ବଡ଼ବଡ଼ ମଠମାନଙ୍କରୁ ଚାଉଳ ସଂଗ୍ରହ କରୁଥିବା ବେଳେ ରୁପା ଟଙ୍କା ବଦଳରେ ଦେଇଥିବା ରୁପା ଧାତୁଖଣ୍ଡ ଏମାର ମଠର ସେଇ ରୁପା ଇଟା ବୋଲି ଜଣାପଡ଼ିଛି। ଖୋଦ ଏମାର ମଠର ମହନ୍ତ ସେତେବେଳେ ଏହି ଦେଣନେଣରେ ସାମିଲ୍ ଥିଲେ। ନିକଟରେ ପ୍ରକାଶ ପାଇଥିବା ପୁସ୍ତକ ‘ଗ୍ରେଟ୍ ଓଡ଼ିଶା ଫେମିନ୍ ଅଫ୍ ୧୮୬୬: ନଅଙ୍କ ଦୁର୍ଭିକ୍ଷ’ରେ ଏ ବିଷୟରେ ବିସ୍ତତ ଭାବେ ଉଲ୍ଲେଖ କରାଯାଇଛି।
ପୁସ୍ତକର ସମ୍ପାଦନା କରିଥିବା ଗବେଷକ ଅନିଲ୍ ଧୀର କହିଛନ୍ତି ଯେ, ସେ ସମୟରେ ମଠଗୁଡ଼ିକ ହାତରେ ବଡ଼ବଡ଼ ଜମିର ମାଲିକାନା ଥିଲା। ଉତ୍ପାଦିତ ପ୍ରଚୁର ଶସ୍ୟ ମଠରେ ମହଜୁଦ ରହୁଥିଲା। ୧୮୬୬ରେ ଯେବେ ନଅଙ୍କ ଦୁର୍ଭିକ୍ଷ ପଡ଼ିଲା, ସେହି ସମୟରେ ବ୍ରିଟିସ୍ ପ୍ରଶାସନ ଦୁର୍ଭିକ୍ଷ ଅଞ୍ଚଳରେ ରିଲିଫ୍ ବାଣ୍ଟିବା ପାଇଁ ମଠମାନଙ୍କରୁ ଚାଉଳ ସଂଗ୍ରହ ପାଇଁ କଥାବାର୍ତା କରିଥିଲା। ତେବେ ମଠର ମହନ୍ତ ଚାଉଳ ଦେଇ ମୁଦ୍ରା ନେବାକୁ ମନା କରିଦେଇଥିଲେ। ପ୍ରତି ବଦଳରେ ରୁପା ଧାତୁଖଣ୍ଡ ଦେବାକୁ କହିଥିଲେ। ଶ୍ରୀ ଧୀର ଏପରି ଦସ୍ତାବିଜ୍ ଓ ପ୍ରମାଣପତ୍ର ସଂଗ୍ରହ କରିଛନ୍ତି, ଯେଉଁଥିରେ ସେତେବେଳର ବି୍ରିଟିସ୍ କର୍ତୃପକ୍ଷ ରିଲିଫ୍ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରିବାକୁ ଏହି ମଠଗୁଡ଼ିକରୁ ରୁପା ଖଣ୍ଡ ଦେଇ ଚାଉଳ ସଂଗ୍ରହ କରିଥିଲେ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ଦି ବ୍ରିଟିସ୍ ପାର୍ଲିଆମେଣ୍ଟାରି ଡିବେଟ୍ସ, ପେପର୍ସ ଅଫ୍ ଦି ଇଣ୍ଡିଆ ଅଫିସ୍ ଲାଇବ୍ରେରି, ବ୍ରିଟିସ୍ ମ୍ୟୁଜିୟମ ଲାଇବ୍ରେରି, ଦି ଓ୍ଵିଲିୟମ୍ କ୍ୟାରି ଲାଇବ୍ରେରିରେ ଥିବା ଇଂରାଜୀ ଛାପା ସୂଚନା ପତ୍ରରୁ ଏହିଭଳି ବହୁ ଅନାଲୋଚିତ ତଥ୍ୟ ଉନ୍ମୋଚନ କରିବାରେ ସେ ସକ୍ଷମ ହୋଇଛନ୍ତି। ଏହି ରହସ୍ୟ ଉନ୍ମୋଚନ ପାଇଁ ତାଙ୍କୁ ୧ ବର୍ଷ ସମୟ ଲାଗିଥିଲା। ସେ କୋର୍ଟରେ ହେପାଜତରେ ରଖା ଯାଇଥିବା ସେଇ ଇଟାଗୁଡ଼ିକ କେଉଁ ବର୍ଷର ଏବଂ କେଉଁ ସ୍ଥାନର ତା’ର ପରୀକ୍ଷାନୀରିକ୍ଷା ପାଇଁ ସରକାରଙ୍କୁ ଅନେକ ବାର ଅନୁମତି ମାଗିଛନ୍ତି। କିନ୍ତୁ ଏଥିରେ ସରକାର ଆଗ୍ରହ ଦେଖାଇ ନାହାନ୍ତି।
ତାଙ୍କ କହିବା ମୁତାବକ, ଏବେ ବି ନଅଙ୍କ ଦୁର୍ଭିକ୍ଷ ସମୟର ପୂରା ଇତିହାସ ନାହିଁ। ଏହି ପୁସ୍ତକରେ ଛତରଖିଆଙ୍କ ସମ୍ପର୍କରେ ଉଲ୍ଲେଖ ରହିଥିବା ବେଳେ ସେସିଲ୍ ବିଡନ୍, ଟିଇ ରେଭେନ୍ସା, ଲେସିଜ୍ ଫେରେଙ୍କ ଭଳି ବ୍ରିଟିସ୍ ଅଫିସରଙ୍କ ଭୂମିକା ଏବଂ ତତ୍କାଳୀନ ସମୟରେ ସେମାନଙ୍କ ମନୋଭାବର କିଛି ତଥ୍ୟ ରହିଛି।ତେଣୁ ଏ ବିଷୟରେ ପୁନଃ ଗବେଷଣା କରାଗଲେ ଆହୁରି ଅନାଲୋଚିତ ତଥ୍ୟ ଉନ୍ମୋଚିତ ହୋଇପାରିବ।
ରମେଶ ମହାପାତ୍ର ଏହି ପୁସ୍ତକର ଅନ୍ୟତମ ସମ୍ପାଦନା ଦାୟିତ୍ୱ ତୁଲାଇଥିବା ବେଳେ ପୁସ୍ତକ ପ୍ରସ୍ତୁତିରେ ଡ.ବିଦ୍ୟୁତ ମହାନ୍ତି, ଡ.ମନୋରଂଜନ ମହାନ୍ତି, ଡ.ଜେକେ ରାୟ, ଡ.ବିସି ସାମଲ, ଅମିୟ ଭୂଷଣ ତ୍ରିପାଠୀ, ଡ.ଲଲାଟେନ୍ଦୁ ଦାସ ମହାପାତ୍ର, ଡ.ବିମଳେନ୍ଦୁ ମହାନ୍ତି, ମୁରଲୀ ମନୋହର ଶର୍ମା, ଜିସି ନନ୍ଦ, ଡ.ପ୍ରଭାକର ନନ୍ଦ, ଏସି ପଢ଼ିଆରୀ, ଡ.କର୍ଣ୍ଣେଲ୍ ଦାସ, ଡ.ପିଏସ୍ ବ୍ରହ୍ମାନନ୍ଦ ପ୍ରମୁଖଙ୍କ ସମ୍ପୃକ୍ତି ରହିଛି।