ଏପ୍ରିଲ ୧୪ ପର୍ଯ୍ୟନ୍ତ ବନ୍ଦ ରହିବ ଖାଉଟି କମିସନ୍, ସବୁ ଜିଲ୍ଲା ଫୋରମ ବି ବନ୍ଦ ରହିବ

କଟକ: କରୋନା ଭୂତାଣୁର ବିପଦକୁ ଦୃଷ୍ଟିରେ ରଖି କଟକସ୍ଥିତ ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଜିଲ୍ଲା ଫୋରମ (ଖାଉଟି ଅଦାଲତ) ଗୁଡିକ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ପୂର୍ବରୁ କମିସନ୍ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ଜାରି କରି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଖାଉଟି କମିସନ୍ ଓ ସମସ୍ତ ଜିଲ୍ଲା ଫୋରମ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସ୍ପଷ୍ଟ କରିଥିବାବେଳେ ଏଥିରେ ସଂଶୋଧନ କରାଯାଇଛି। ମାର୍ଚ୍ଚ ୨୫ରୁ ୨୧ ଦିନ ସାରା ଦେଶରେ ଲକ୍‌ଡାଉନ୍ ପାଇଁ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଖାଉଟି କମିସନ୍ ଓ ଜିଲ୍ଲା ଫୋରମଗୁଡିକରେ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସ୍ବାଭାବିକ କାର୍ଯ୍ୟ ହେବ ନାହିଁ ବୋଲି ଖାଉଟି କମିସନ୍ ସଭାପତି ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀଙ୍କ ନିର୍ଦ୍ଦେଶରେ ପ୍ରକାଶିତ ସାନି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏଥିସହିତ ମାର୍ଚ୍ଚ ୨୩ର ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ଅନ୍ୟ ନିର୍ଦ୍ଦେଶନାମା ଗୁଡିକ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ମିଳିଛି।

ନିର୍ଦ୍ଦେଶନାମା ଅନୁସାରେ, ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ କମିସନଙ୍କ କାର୍ଯ୍ୟାଳୟ ଯଥାସମ୍ଭବ କମ୍ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। କେବଳ ଅତି ଜରୁରୀ ମାମଲାଗୁଡିକ କମିସନ ସଭାପତିଙ୍କ ନିକଟରେ ଉପସ୍ଥାପନ (ପ୍ଲେସ୍) କରାଯିବ। ଆଇନଜୀବୀ ଓ ପକ୍ଷମାନେ ମୁଖ୍ୟ ମାମଲା ନମ୍ବର, ଅନ୍ତରୀଣ ପିଟିସନ୍, ମେମୋ, ମିସ୍ କେସ୍ ପିଟିସନ୍, ଜରୁରୀ ମାମଲାର କାରଣ ଓ ମୋକଦ୍ଦମାର ସଂକ୍ଷିପ୍ତ ସୂଚନା ଓ କମିସନଙ୍କ ମାଧ୍ୟମରେ ମାମଲାରେ ଦାବି କରାଯାଉଥିବା ପ୍ରତିକାର (ପ୍ରାର୍ଥନା) ସଂପର୍କରେ ଇ-ମେଲ୍ ମାଧ୍ୟମରେ କମିସନଙ୍କୁ ଅବଗତ କରିବେ। କମିସନଙ୍କ ଇ-ମେଲ୍ ଆଇଡି ([email protected])ରେ ଏହି ସବୁ ତଥ୍ୟ କାର୍ଯ୍ୟ ଦିବସର ସକାଳ ୧୦ ସୁଦ୍ଧା ପହଞ୍ଚିବା ଆବଶ୍ୟକ। ଏହି ଲକ୍‌ଡାଉନ୍ ସମୟରେ କମିସନଙ୍କ ଅଧିକାରୀ, ସଦସ୍ୟ ଓ କର୍ମଚାରୀ ନିଜ ଘରେ ରହିବେ ଓ ମୁଖ୍ୟାଳୟ ଛାଡିବେ ନାହିଁ। ଆବଶ୍ୟକ ସ୍ଥଳେ କାର୍ଯ୍ୟରେ ଯୋଗ ଦେବା ପାଇଁ ସବୁ କର୍ମଚାରୀ ପ୍ରସ୍ତୁତ ହୋଇ ରହିବେ। ଯଦି ମାମଲାର ଶୁଣାଣି ସମୟରେ କୌଣସି ଆଇନଜୀବୀ ବା ପକ୍ଷ ଅନୁପସ୍ଥିତ ରୁହନ୍ତି ତେବେ କୌଣସି ପ୍ରତିକୂଳ ନିର୍ଦ୍ଦେଶ ପ୍ରଦାନ କରାଯିବ ନାହିଁ। ଜନସାଧାରଣଙ୍କୁ କମିସନଙ୍କ ନିକଟକୁ ଆସିବାକୁ ଅନୁମତି ଦିଆଯିବନାହିଁ। ଏଥିସହିତ ଖାଉଟି କମିସନ୍ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଫୋରମଗୁଡିକ ପାଇଁ ମଧ୍ୟ ଆଜି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲା ଫୋରମ ଗୁଡିକରେ ସ୍ବାଭାବିକ କାର୍ଯ୍ୟ ବନ୍ଦ ରହିବ। ଖାଉଟି କମିସନ୍ ଭଳି ଯଥା ସମ୍ଭବ କମ୍ କର୍ମଚାରୀଙ୍କୁ ନେଇ ଜିଲ୍ଲା ଫୋରମ୍‌ଗୁଡିକର କାର୍ଯ୍ୟାଳୟ କାର୍ଯ୍ୟ କରିବ। ଅତି ଜରୁରୀ ମାମଲାଗୁଡିକ ଜିଲ୍ଲା ଫୋରମ ସଭାପତିଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିବା କଂଜ୍ୟୁମର ବାର୍ ଆସୋସିଏସନ୍ ସଭାପତି ଆଇନଜୀବୀ କରୁଣାକର ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର