ଗୋଟିଏ ମଂଚରେ ପୂର୍ବ ବିଧାୟକ ରଘୁନାଥ ସାହୁ ଓ ପ୍ରଶାନ୍ତ ଜଗଦ୍ଦେବ, ଯୋଗଦେଲେନି ବିଧାୟକ ରାଜେନ୍ଦ୍ର ସାହୁ

ରାବଣ ପୋଡ଼ି ଖୋଲିଲା ନୂଆ ରାଜନୈତିକ ସମୀକରଣର ପେଢ଼ି

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ମଣ୍ଡପରେ ପୂଜା ପାଉଥିବା ମା’ ଦୁର୍ଗାଙ୍କୁ ଭକ୍ତ ବିଦାୟ ଦେଇଛି । ଦୁଷ୍ଟଶକ୍ତିର ପ୍ରତୀକ ରାବଣକୁ ପୋଡ଼ିବା ସହ ଭଲଗୁଣର ବିଜୟ ହେଉବୋଲି ଦର୍ଶକ କାମନା କରିଛନ୍ତି । କିନ୍ତୁ ରାବଣପୋଡ଼ି ଉତ୍ସବରେ ହୋଇଥିବା ରାଜନୈତିକ ସମାବେଶକୁ ନେଇ ସହରରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ।
ଗତ ୧୭ ବର୍ଷ ଧରି ବୋଡ଼ିଜୋନ୍ ପକ୍ଷରୁ ଖୋର୍ଦ୍ଧା ସହରରେ ଅନୁଷ୍ଠିତ ଏକମାତ୍ର ରାବଣ ପୋଡ଼ି ଉତ୍ସବ ଗତକାଲି ବିଜୟା ଦଶମୀରେ ହାବେଳୀ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା । ଦହନ ପାଇଁ ୫୦ ଫୁଟ ଉଚ୍ଚତାର ରାବଣ ପ୍ରସ୍ତୁତ କରାଯାଇଥିଲା । ରାବଣ ପୋଡ଼ି ଦେଖିବାକୁ ଖୋର୍ଦ୍ଧା ସହର ଓ ଆଖପାଖ ଅଂଚଳରୁ ପ୍ରାୟ ୩୦-୪୦ ହଜାର ଲୋକ ଜମା ହୋଇଥିଲେ । ଅତିଥି ଭାବେ ବିଜେଡିର ମୋ’ ଓଡ଼ିଶା ପରିବାରର ଆବାହକ ଅରୂପ ପଟ୍ଟନାୟକ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଦବ, ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ, ଖୋର୍ଦ୍ଧା ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି ମଂଚାସୀନ ଥିଲେ । ବାଣପୁର ବିଜେପି କର୍ମୀଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାରେ ଜେଲ୍ରୁ ଜାମିନରେ ମୁକୁଳିବା ପରେ ପ୍ରଥମ ଥର ପାଇଁ ପ୍ରଶାନ୍ତ ଜଗଦେ୍ଦବ କୌଣସି ବଡ଼ଧରଣର ସାଧାରଣ ଉତ୍ସବରେ ଯୋଗଦେଇଥିଲେ । କେବଳ ଏହା ନୁହେଁ ଚିଲିକାରେ ପ୍ରଶାନ୍ତଙ୍କ ପ୍ରମୁଖ ରାଜନୈତିକ ବିରୋଧୀ ଥିବା ପୂର୍ବତନ ବିଧାୟକ ରଘୁନାଥ ସାହୁ ଗୋଟିଏ ମଂଚରେ ବସିବାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା ।
ବର୍ତମାନ ଖୋର୍ଦ୍ଧା ରାଜନୀତିର ପ୍ରମୁଖ ତିନିଜଣ ବ୍ୟକ୍ତି- ଖୋର୍ଦ୍ଧା ବିଧାୟକ ଜ୍ୟୋତି ମିତ୍ର, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଦବ ଓ ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରାଜନେ୍ଦ୍ର ସାହୁ ଅଟନ୍ତି । ରାବଣ ପୋଡ଼ି ଆୟୋଜନ କରୁଥିବା ସଂସ୍ଥା ବୋଡ଼ିଜୋନ୍ର ଜିତେନ୍ଦ୍ର ପ୍ରଧାନ ୨୦୧୯ ବିଧାନସଭା ନିର୍ବାଚନରେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ । ରାବଣ ପୋଡ଼ି ଉତ୍ସବରେ, ବିଧାୟକ ଜ୍ୟୋତି ମିତ୍ର ଓ ପ୍ରଶାନ୍ତ ଜଗଦେ୍ଦବ ଯୋଗ ଦେଇଥିବା ବେଳେ ରାଜେନ୍ଦ୍ର ସାହୁଙ୍କ ଅନୁପସ୍ଥିତିକୁ ନେଇ ଆଲୋଚନା ଜୋରଧରିଛି । ଆୟୋଜକଙ୍କ ପକ୍ଷରୁ ଏନେଇ କୁହାଯାଇଛି ଯେ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ନିମନ୍ତ୍ରଣ କରାଯାଇଥିଲା କିନ୍ତୁ ତାଙ୍କ ନିଜ କ୍ଲବର ଉତ୍ସବ ଯୋଗୁଁ ସେ ଆସିନଥିଲେ । ଅପରପକ୍ଷରେ, ବିଧାୟକ ଶ୍ରୀ ସାହୁଙ୍କ ନିକଟ ଲୋକଙ୍କ କହିବା କଥା ହେଲା, ନିମନ୍ତ୍ରଣପତ୍ରରେ ବିଧାୟକଙ୍କ ନାମ ନଥିଲା, ତେବେ ରାବଣ ପୋଡ଼ି ଆୟୋଜନ ହେବା ଦିନ ଠାରୁ ସେ କ୍ୱଚିତ ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥାନ୍ତି ।


ଖୋର୍ଦ୍ଧା ଗ୍ରାମାଂଚଳ ଜିଲ୍ଲାର ରାଜନୀତିରେ ପ୍ରଶାନ୍ତ ଜଗଦେ୍ଦବ ଓ ରାଜେନ୍ଦ୍ର ସାହୁଙ୍କ ବିରୋଧ ସମସ୍ତେ ଜାଣନ୍ତି । ପ୍ରଶାନ୍ତଙ୍କ ରାଜନୈତିକ କ୍ଷେତ୍ର ବେଗୁନିଆରୁ ଚିଲିକା ପରିବର୍ତିତ ହେବା ପରେ ମଧ୍ୟ ପ୍ରଶାନ୍ତ ବେଗୁନିଆ ନିର୍ବାଚନମଣ୍ଡଳୀକୁ ନିୟମିତ ଗସ୍ତ କରି ନିଜର ସମର୍ଥକଙ୍କ ସହ ଯୋଗାଯୋଗ ରଖିଛନ୍ତି । କେବଳ ଏହାନୁହେଁ, ପ୍ରଶାନ୍ତ ମଧ୍ୟ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ନିଜର ପତିଆରା ବଢ଼ାଇଛନ୍ତି । ତାଙ୍କ ଗିରଫ ପରେ ସେ ଆସନ୍ତା ନିର୍ବାଚନ ଖୋର୍ଦ୍ଧାରୁ ଲଢ଼ିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଅପରପକ୍ଷରେ, ନିକଟରେ ବିଜେଡିର ପଦଯାତ୍ରାରେ ବେଗୁନିଆ ନିର୍ବାଚନମଣ୍ଡଳୀରେ ବିଧାୟକ ରାଜେନ୍ଦ୍ର ସାହୁ ଓ ପ୍ରଦୀପ କୁମାର ସାହୁଙ୍କ ଭିନ୍ନ ଭିନ୍ନ ପଦଯାତ୍ରାର ଆୟୋଜନ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥିବୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ବେଗୁନିଆରେ ନିଜର ଅଧିକ ସମୟ ଓ ଶକ୍ତି ବିନିଯୋଗ କରୁଛନ୍ତି । ଏହି କାରଣରୁ ବେଗୁନିଆରେ କଂଗ୍ରେସର ସ୍ଥିତିରେ କିଛି ପରିମାଣରେ ଉନ୍ନତି ଘଟିଛି । ଏପରିସ୍ଥଳେ, ୨୦୨୪ ନିର୍ବାଚନରେ ରାଜେନ୍ଦ୍ର ସାହୁ ବେଗୁନିଆ ଛାଡ଼ି ଖୋର୍ଦ୍ଧାରେ ପୁଣି ନିଜର ଭାଗ୍ୟ ପରୀକ୍ଷା କରିବାକୁ ଇଚ୍ଛୁକ ଥିବା ଆଲୋଚନା ହେଉଛି । କେବଳ ଏହାନୁହେଁ, ବିଧାୟକ ଜ୍ୟୋତି ମିତ୍ର ମଧ୍ୟ ନିଜର ପରବର୍ତୀ ଦୟାଦକୁ ଏଠାରୁ ରାଜନୈତିକ ସୁଯୋଗ ଦେବାକୁ ଚେଷ୍ଟିତ ଅଛନ୍ତି । ଏଭଳି ସ୍ଥିତିରେ ଗତକାଲିର ରାବଣ ପୋଡ଼ି ଉତ୍ସବରେ ମଂଚାସୀନ ଅତିଥିଙ୍କୁ ନେଇ ଖୋର୍ଦ୍ଧା ରାଜନୀତିରେ ଏକ ନୂଆ ଅଙ୍କକଷା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର