ଚାଉଳ ଚୋରା ଚାଲାଣ ବେଳେ ଉତ୍ତେଜନା, ମାରପିଟରୁ ଜଣେ ଆହତ

ଯାଜପୁର/ଚଣ୍ଡିଖୋଲ: ବଡ଼ଚଣା ବ୍ଲକ୍‌ ଚାରିନଙ୍ଗଳ ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ରାସନ ଚାଉଳ ଓ ଗହମ ଚୋରା ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ବାରା ଧରାପଡ଼ିଛି। ସୋମବାର ରାତିରେ ଗାଡ଼ିକୁ ଗ୍ରାମବାସୀ ଅଟକାଇବା ବେଳେ ରିଟେଲରଙ୍କ ଭାଇ ମାଡ଼ରେ ଅମୂଲ୍ୟ ସାମଲଙ୍କ ମୁହଁ ଫାଟିଛି। ଗ୍ରାମବାସୀଙ୍କ ଠାରୁ ଖବର ପାଇଁ ବାଲିଚନ୍ଦ୍ରପୁର ଥାନା ପୁଲିସ ‌ଚୋରା ଚାଲାଣ ହେଉଥିବା ରାସନ ଚାଉଳ ଓ ଗହମ ସହିତ ଗାଡ଼ି ୪୦୭ ଟ୍ରକ (ଓଆର୦୪ଏ-୯୩୪୯)କୁ ଜବତ କରିଛି । ଏପରିକି ବଡ଼ଚଣା ଯୋଗାଣ ଅଧିକାରୀ ବିଶ୍ବଜିତ ମିଶ୍ର ଘଟଣାସ୍ଥଳ ପରିଦର୍ଶନ କରି ରିଟେଲରଙ୍କ ଷ୍ଟକ୍ ଯାଞ୍ଚ କରିଛନ୍ତି। ଏହା ମଧ୍ୟରେ ୨ଦିନ ବିତିଯାଇଥିବା ବେଳେ କାହାରିକୁ ଗିରଫ କରାଯାଇ ନାହିଁ। କାହା ବାହୁ ଛାୟା ତଳେ ରିଟେଲର ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

ପ୍ରକାଶ ଥାଉକି ଗତ ସୋମବାର ରାତିରେ ୪୦୭ଟ୍ରକରେ ୧୯ ବସ୍ତା ଚାଉଳ ଓ ୧୭ ବସ୍ତା ଗହମ ଚୋରା ଚାଲାଣ ହେଉଥିବା ଖବରପାଇ ଚାରିନଙ୍ଗଳ ପଞ୍ଚାୟତର ବାହାଦୂର ନଗର ଗ୍ରାମବାସୀ ପଟ୍ଟାମୁଣ୍ଡାଇ କେନାଲବନ୍ଧ ରାସ୍ତାରେ ଅଟକ ରଖିଥିଲେ। ଏହାପରେ ରିଟେଲରଙ୍କ ଭାଇ ଆସି ଯୁକ୍ତିତର୍କ କରିବା ସହିତ ଟର୍ଚ୍ଚରେ ମାଡ଼ ମାରି ଅମୂଲ୍ୟ ସାମଲଙ୍କ ମୁହଁ ଫଟାଇ ଦେଇଥିଲେ। ଫଳରେ ‌ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଚୋରା ରାସନ ସାମଗ୍ରୀ ସହିତ ଗାଡ଼ିକୁ ଅଟକାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଗାଡିର ଚାଳକ ଓ ହେଲପର ସେଠାରୁ ଫେରାର ହୋଇଯାଇଥିଲେ । ପୁଲିସ ଗାଡ଼ି ଜବତ କରିଛି। ଏହି ଘଟଣାରେ ଯୋଗାଣ ନିରୀକ୍ଷକ ବିଶ୍ୱଜିତ ମିଶ୍ର ତଦନ୍ତ କରିଛନ୍ତି।

ଜବତ ହୋଇଥିବା ଚାଉଳ ଓ ଗହମ ରାସନ ସାମଗ୍ରୀ ବୋଲି ଶ୍ରୀ ମିଶ୍ର ସ୍ବୀକାର କରିଛନ୍ତି। ଥାନାଧିକାରୀ ରମାକାନ୍ତ ମୁଦୁଲି କହିଛନ୍ତି କେସ ନମ୍ବର ୧୭୩ରେ ମାମଲା ରୁଜୁ ହୋଇ ୩୭୯ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍‌ ବଳରେ ତଦନ୍ତ ଜାରି ରହିଛି। ଜଣେ ପୁଲିସ ଏଏସ୍‌ଆଇଙ୍କ ଏତଲାକୁ ଭିତ୍ତି କରି କେସ ହୋଇଛି। ତେବେ ଯୋଗାଣ ବିଭାଗ କାହିଁକି କେସ କରି ନାହିଁ ? ରିଟେଲରଙ୍କୁ କିଏ ସୁରକ୍ଷା ଦେଉଛି? ଗାଡ଼ି ଡ୍ରାଇଭର ମଧ୍ୟ ଗ୍ରାମବାସୀଙ୍କ ନିକଟରେ ଚୋରା କାରବାରର ବହୁ ଗୁମର କଥା ଖୋଲିଛି। ନିୟମିତ ଏହି ରିଟେଲରଙ୍କ ନିକଟରୁ ବାଲିଚନ୍ଦ୍ରପୁରର ଏକ କଳକୁ ରାସନ ସାମଗ୍ରୀ ଚ‌ୋରା ଚାଲାଣ ହେଉଥିବା ସ୍ବୀକାର କରିଛି। ରାସନ ସାମଗ୍ରୀ ରିସାଇକ୍ଲିଂ ମାମଲା ଏବେ ଧରାପଡିଯାଇଛି। ଯୋଗାଣ ବିଭାଗ ଏବେ ହରଡ଼ଘଣାରେ ପଡିଥିବାରୁ ରିଟେଲରକୁ ସୁରକ୍ଷା ଦେବାକୁ ଲାଗି ପଡ଼ିଛି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର