ସବୁ କ୍ଷେତ୍ରରେ ଅବହେଳିତ ଓଡ଼ଗାଁ ବ୍ଲକ୍‌ର ଆଦିବାସୀ ଗାଁ ନେପାଳ

ଓଡ଼ଗାଁ : ମା’କୁ ସମ୍ମାନ ଗାଁକୁ କାମ- ଏହି ସ୍ଲୋଗାନ ଦେଇ ସରକାର ବିକାଶର ଡିଣ୍ତିମ ପିଟୁଛନ୍ତି। ନିର୍ବାଚନ ସମୟ ଆସିଲେ ନେତା, କୁଜି ନେତାମାନଙ୍କ ସୁଅ ଗାଁକୁ ଛୁଟିଥାଏ। ବଡ଼ ବଡ଼ ପ୍ରତିଶ୍ରୁତି ଦେଇଯାଆନ୍ତି। ମାତ୍ର ଭୋଟ୍‌ ହାତେଇବା ପରେ ଆଉ କାହାର ଦେଖାମିଳେନି। ଏମିତି ଏକ ଆଦିବାସୀ ଗାଁ ହେଉଛି ଓଡ଼ଗାଁ ବ୍ଲକ୍‌ ବାଣ୍ଠପୁର ପଞ୍ଚାୟତ ଅନ୍ତର୍ଗତ ନେପାଳ। ୩୨ଗୋଟି ଆଦିବାସୀ ପରିବାରକୁ ନେଇ ଏହି ଗାଁ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପରିମଳ ଆଦି ସବୁ କ୍ଷେତ୍ରରେ ଏହି ଗାଁ ଅବହେଳିତ। ଏଥିପାଇଁ ମୁଖ୍ୟ ପ୍ରତିବନ୍ଧକ ସାଜିଛି ରାସ୍ତା।

ଗାଁକୁ ଆଜି ଯାଏଁ ନିତିଦିନିଆ ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ। ପଞ୍ଚାୟତ କାର୍ଯ୍ୟାଳୟଠାରୁ ୭ କିମି ଦୂରରେ ଅବସ୍ଥିତ ଏହି ଗାଁକୁ ଯିବାକୁ ହେଲେ ଆବଡା ଖାବଡା ଜଙ୍ଗଲିଆ ରାସ୍ତା ମଧ୍ୟଦେଇ ଯିବାକୁ ହୁଏ। ଦୁଇଚକିଆ ଯାନରେ ଯିବା ତ ଦୂରର କଥା ଚାଲିକି ଯିବା ମଧ୍ୟ କାଠିକର ପାଠ। ଏହି ପାହାଡ଼ିଆ ଅଣଓସାରିଆ ରାସ୍ତାରେ ବର୍ଷାଦିନେ ଯିବା ଅସମ୍ଭବ ହୋଇପଡ଼େ। ରାସ୍ତା ସମସ୍ୟା କାରଣରୁ ଏଠି କେହି ଇନ୍ଦିରା ଆବାସ ଗୃହ ପାଇଁ କାର୍ଯ୍ୟାଦେଶ ପାଉଥିଲେ ମଧ୍ୟ ତାକୁ ସଂପୂର୍ଣ୍ଣ କରିପାରୁ ନାହାନ୍ତି। ଗାଁରେ ୨ଟି ନଳକୂପ ଅଛି। ନଦୀ ଓ ପୋଖରୀ ନଥିବା ଏହି ଗାଁରେ ନଳକୂପ ହିଁ ଏକମାତ୍ର ଭରସା। ମାତ୍ର ୨ଟି ନଳକୂପ ମଧ୍ୟରୁ ଗୋଟିଏ ନଳକୂପ ବର୍ଷର ଅଧିକାଂଶ ସମୟ ଅଚଳ ହୋଇପଡ଼େ। ଫଳରେ ପାନୀୟ ଜଳ ତଥା ଦୈନନ୍ଦିନ ଜୀବନଚର୍ଯ୍ୟା ପାଇଁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପରିମଳ ଯୋଜନା ଏଠି ସଂପୂର୍ଣ୍ଣ ଠପ୍। ଏହି ଗାଁର କୌଣସି ପରିବାରର ପାଇଖାନା ନାହିଁ। ଖୋଲାପଡ଼ିଆ ହିଁ ଏମାନଙ୍କର ଶୌଚାଳୟ ପାଲଟିଛି। ଗାଁରେ ମିନି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ମାତ୍ର ନିଜସ୍ବ ଗୃହ ନଥିବାରୁ ବାର ଦୁଆର ହେବା ଭଳି ବିଭିନ୍ନ ଲୋକଙ୍କ ବାରଣ୍ତାରେ ଚାଲୁଛି କେନ୍ଦ୍ର। ପ୍ରାଥମିକ ଶିକ୍ଷା ପାଇଁ ବାଣ୍ଠପୁର ବିଦ୍ୟାଳୟରେ ନାମ ଲେଖାଇଥିବା ପିଲାମାନେ ୭ କି.ମି ଜଙ୍ଗଲିଆ ରାସ୍ତା ଯୋଗୁ ନିୟମିତ ବିଦ୍ୟାଳୟ ଯାଇପାରୁନାହାନ୍ତି। ଫଳରେ ଉପଯୁକ୍ତ ଶିକ୍ଷାରୁ ବଞ୍ଚିତ ହେଉଥିବା ଏହି ପିଲାଙ୍କ ମଧ୍ୟାହ୍ନ ଭୋଜନ ମଦ୍ୟ ହଡ଼ପ ହେଉଥିବାର ଅଭିଯୋଗ ହେଉଛି। କେବଳ ବିଦ୍ୟାଳୟ ଉପସ୍ଥାନ ଖାତାରେ କାଗଜ କଲମରେ ସେମାନଙ୍କ ନାମ ଗଡୁଛି।

ଗାଁରେ ଥିବା ୩୨ଟି ପରିବାରର ସମ୍ବଳ କହିଲେ ଖଜୁରୀ ଛପର ଝାଟିମାଟି କୁଡ଼ିଆ ଘର। ଜଙ୍ଗଲରୁ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଆଣି, ଖଲିବୁଣି ବିକ୍ରି କରି ଏମାନେ ଜୀବିକା ନିର୍ବାହ କରନ୍ତି। ଏଠି ଧାନ କିଆରି ନଥିବାରୁ ‘ନେପାଳ ନାହିଁ ପାଳ’ ବୋଲି କୁହାଯାଇଥାଏ । ଖଲି ବୁଣିଲେ ସେମାନଙ୍କ ଚୁଲି ଜଳେ। ସ୍ବାଧୀନତାର ଏତେ ବର୍ଷ ପରେ ବି ଏହି ଗ୍ରାମବାସୀ ବିଜୁଳି ଆଲୁଅରୁ ବଞ୍ଚିତ। ଆଜି ଯାଏଁ ଗାଁକୁ ସରକାରଙ୍କ ତରଫରୁ ବିଦ୍ୟୁତ୍‌ ସଂଯୋଗ କରାଯାଇପାରିନାହିଁ। ଏହି ସରଳ ନିରୀହ ଆଦିବାସୀଙ୍କୁ ପ୍ରଲୋଭିତ କରି କିଛି ମାସ ହେଲା କିଛି ଅସାଧୁ ଲୋକ ଏହି ଅଞ୍ଚଳରେ ବେଆଇନ ଭାବେ ଅବାଧରେ ଦେଶୀମଦ କାରବାର କରୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ୍‌ କିମ୍ବା ଅବକାରୀ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏ ସଂପର୍କରେ ସ୍ଥାନୀୟ ସରପଞ୍ଚ ଜଗଦୀଶ ପ୍ରଧାନଙ୍କୁ ପଚାରିବାରୁ, ନେପାଳ ଗ୍ରାମବାସୀଙ୍କ ପାଇଁ ରାସ୍ତା ହିଁ ମୁଖ୍ୟ ବାଧକ ସାଜିଛି। ଲୋକଙ୍କୁ ଇନ୍ଦିରା ଆବାସ ଗୃହ କାର୍ଯ୍ୟାଦେଶ ପ୍ରଦାନ କରାଯାଉଥିଲେ ମଧ୍ୟ, ରାସ୍ତା ସମସ୍ୟା କାରଣରୁ ସେମାନେ ଗୃହ ନିର୍ମାଣ ପାଇଁ ଆବଶ୍ୟକ ସରଞ୍ଜାମ ଆଣି ପାରୁନଥିବାରୁ ତାକୁ ସଂପୂର୍ଣ୍ଣ କରିପାରୁ ନାହାନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର