ଧାନ ବିକ୍ରୟ କରିବା ନେଇ ଚିନ୍ତାରେ ଚାଷୀ; ବାଧକ ସାଜିଛି ପ୍ରଶାସନ

ଲଇକେରା: ଚଳିତ ରବି ଋତୁରେ ଧାନ ଚାଷ କରି ଦୁଇ ପଇସା ପାଇବାକୁ ଆଶା ରଖିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଗଭୀର ନଳକୂପ କିମ୍ବା ପୋଖରୀରୁ ପାଣି ନେଇ ମାଲ କିସମ ଜମିରେ ଧାନ ଚାଷ କରିଥିବା ଚାଷୀ ଧାନ ବିକ୍ରୟ ପାଇଁ ନାମ ପଞ୍ଜୀକରଣ କରିପାରୁ ନାହିଁ। ଯାହାକୁ ନେଇ ଏକର ଏକର ଧାନ ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏପରି ଅଭିଯୋଗ କରିଛନ୍ତି ଲଇକେରା ବ୍ଲକ ମୁଦ୍ରାଜୋର ଗ୍ରାମର ଚାଷୀ ପଦ୍ମ ଲୋଚନ ନାଏକ। ପଦ୍ମ ଲୋଚନ ନିଜ ବାଡ଼ିରେ ଥିବା ଏକ ଗଭୀର ନଳକୂପ ଓ ନିକଟରେ ଥିବା ପୋଖରୀ ସହିତ ବହିଯାଇଥିବା ଛୋଟ ନାଳରୁ ପାଣି ସଂଗ୍ରହ କରି ପ୍ରାୟ ୬ ଏକର ଜମିରେ ରବି ଧାନ ଚାଷ କରିଛନ୍ତି। ବର୍ତ୍ତମାନ ୬ ଏକର ଜମିରେ ଧାନ ପାଚି ଯାଇଥିବା ବେଳେ ଅମଳ କରିବାକୁ ଅପେକ୍ଷା କରିଛିନ୍ତି।

ଏପଟେ ଜିଲ୍ଲା ପ୍ରଶାସନର ଏପରି ନିୟମ ତାଙ୍କ ପାଇଁ କଣ୍ଟା ସାଜିଛି। ହାତ ଉଧାରୀ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ୪୪ ଡିଗ୍ରି ଖରାରେ ଚାଷ କରିଛନ୍ତି। ଫସଲ ମଧ୍ୟ ଭଲ ହୋଇଛି। ଭାବିଥିଲେ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରି ସରକାରୀ ଦରରେ ଅମଳ ଧାନ ବିକ୍ରୟ କରି ଋଣ ସୁଝିବେ। ବର୍ତ୍ତମାନ ପ୍ରଶାସନର ନିୟମ ତାଙ୍କ ପାଇଁ କାଳ ହୋଇଛି।  ଏହାକୁ ନେଇ ଚାଷୀ ପଦ୍ମ ଲୋଚନ କହିଛନ୍ତି, ସେ ୬ ଏକର ଜମିରେ ଡାଳୁଅ ଧାନ ଚାଷ କରିଛନ୍ତି। ତାଙ୍କ ଗଭୀର ନଳକୂପ ସହିତ ପୋଖରୀ ଓ ନାଳରୁ ପାଣିକୁ ଏଥିରେ ବ୍ୟବହାର କରିଛନ୍ତି।

ବର୍ତ୍ତମାନ ଜିଲ୍ଲା ପ୍ରଶାସନ ମାଲ କିସମ ଜମି ଉପରେ ଓ ଗଭୀର ନଳକୂପ ନାଳ ପୋଖରୀ ପାଣିରେ ହୋଇଥିବା ଧାନକୁ ସରକାରୀ ମଣ୍ଡିରେ ବିକ୍ରୟ କରିପାରିବ ନାହିଁ ବୋଲି କହିଛନ୍ତି। ଫଳରେ ସେ ଅମଳ କରିବାକୁ ଥିବା ଧାନକୁ କେଉଁଠି ବିକିବେ ଓ ଋଣ କିପରି ଶୁଝିବେ ବୋଲି ପ୍ରଶ୍ନ କରିଛନ୍ତି। ଏଭଳି ସ୍ଥିତିରେ ଆତ୍ମହତ୍ୟା ଛାଡ଼ା ଆଉ କିଛି ରାସ୍ତା ନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏହାକୁ ନେଇ ଜିଲ୍ଲା କୃଷକ ସଂଘ ମହାସଚିବ ସାଗର କୁମୁରା ସିଧା ସଳଖ ଜିଲ୍ଲା ପ୍ରଶାସନର ଏପରି ଚାଷୀ ମାରଣ ନୀତିକୁ ବିରୋଧ କରିଛନ୍ତି।

ପଞ୍ଜୀକରଣ ପାଇଁ ଚାଷୀ ଫର୍ମ ଆବେଦନ କରି ସମବାୟ ବିଭାଗ, କୃଷି ବିଭାଗ, ରାଜସ୍ୱ ବିଭାଗ ମିଳିତ ଭାବରେ ଚାଷ ହୋଇଛି କି ନାହିଁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଶାସନକୁ ପ୍ରଦାନ କରିଥିଲେ ମଧ୍ୟ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ ହୋଇ ପାରୁ ନ ଥିବାରୁ ଚାଷୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏହା ଛଡ଼ା ଗତ ଖରିଫ ଋତୁରେ ଧାନ ଚାଷର ମରୁଡି ସହାୟତା ରାଶି ଏ ପର୍ଯ୍ୟନ୍ତ ମିଳି ନ ଥିବାରୁ ଚାଷୀଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି। ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ଭଲ ଭାବରେ ତଦନ୍ତ କରି ରବି ଋତୁରେ ଚାଷ କରିଥିବା ଚାଷୀ କିପରି ସୁରୁଖୁରୁରେ ତାଙ୍କ କଷ୍ଟ ଉପାର୍ଜିତ ଫସଲ ମଣ୍ଡିରେ ବିକ୍ରି କରିପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି। ଏ ନେଇ ଲଇକେରା କୃଷିବିଭାଗ ଅଧିକାରୀ ନୀଳମାଧବ ନାଏକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ତାଙ୍କ ନଜରରେ ଏ ଖବର ଅଛି। ଉପରିସ୍ଥ ଅଧିକାରୀଙ୍କ ସହିତ ଯୋଗାଯୋଗ କରି କିପରି ଚାଷୀ ଧାନ ବିକ୍ରି କରି ପାରିବେ ସେ ନେଇ ଚେଷ୍ଟା କରୁଛୁ।

ସମ୍ବନ୍ଧିତ ଖବର