ରାଜ୍ୟରେ ପ୍ରଥମ: ସ୍ମାର୍ଟ ଫୋନ୍‌ରେ ହେବ ମାନସିକ ଚିକିତ୍ସା

କଟକ: ଆପଣ କଳାହାଣ୍ଡି କି ମାଲକାନଗିରି, ଯେଉଁଠି ବି ରୁହନ୍ତୁ, ସ୍ମାର୍ଟ ଫୋନରେ ପାଇ ପାରିବେ ମାନସିକ ରୋଗର ଚିକିତ୍ସା। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରିବାକୁ ଯାଉଛନ୍ତି ରାଜ୍ୟସରକାର। ଯାହାକି ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି। ଏ ସଂପର୍କରେ ୧୦ତାରିଖ ଦିନ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ବେଙ୍ଗାଲୁରର ନିମାନ୍ସ ସହ ଚୁକ୍ତି ହେବ। ଯେଉଁଥିରେ ଏସ୍‌ସିବି ଉତ୍କଷ୍ଟ ମାନସିକ ଚିକିତ୍ସା କେନ୍ଦ୍ର ମାଧ୍ୟମରେ ଯୋଡି ହେବେ ସାରା ରାଜ୍ୟର ଡାକ୍ତର। ଏକକାଳୀନ ୨୦ଜଣ ପଏଣ୍ଟରେ ଯୋଡି ହୋଇ ପାଇ ପାଇବେ ମାନସିକ ରୋଗୀଙ୍କ ଚିକିତ୍ସା ସଂପର୍କୀତ ତଥ୍ୟ। ଭରଚୁଆଲ ନଲେଜ୍‌ ନେଟ୍‌ଓ୍ଵାର୍କ (ଭିକେଏନ୍‌) ମାଧ୍ୟମରେ ମିଳିବ ଏଭଳି ଚିକିତ୍ସା ସୁବିଧା ବୋଲି ଏସ୍‌ସିବି ମାନସିକ ଚିକିତ୍ସା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସ୍ୱାଇଁ ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ସଚିବାଳୟରେ ଅନୁଷ୍ଠିତ ହେବାକୁଥିବା ଏମ୍‌ଓୟୁ ଚୁକ୍ତି ସ୍ୱାକ୍ଷର ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ଏମ୍ସର ନିର୍ଦ୍ଦେଶକ ପ୍ରଫେସର ଚଢାଙ୍କ ସମେତ ନିମାନ୍ସର ପ୍ରତିନିଧିମଣ୍ଡଳୀ ଉପସ୍ଥିିତ ରହିବେ। ଉକ୍ତ ଦିନ ମଧ୍ୟ ରାଜ୍ୟସରକାର ନିଶାଗ୍ରସ୍ତମାନଙ୍କ ମାନସିକ ଚିକିତ୍ସା ପାଇଁ ଏମ୍ସ ସହ ଚୁକ୍ତିନାମା କରିବେ।

ବର୍ତ୍ତମାନ ସ୍ଥିତିରେ ମାନସିକ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଏଭଳି ଯୋଜନା କରାଯାଇଛି। ୭୦/୮୦ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ଚିକିତ୍ସା ସୁବିଧା ପାଇଁ ରାଜ୍ୟସରକାର ୧ବର୍ଷ ପାଇଁ ଚୁକ୍ତି କରିଛନ୍ତି। ୧ବର୍ଷ ପରେ ନିମାନ୍ସ ଏଥିରୁ ବାହାରିଯିବ ଓ ହବ୍‌ ଏଣ୍ଡ ସ୍ପୋକ୍‌ ମାଧ୍ୟମରେ ଯୋଗାଇଦିଆଯିବ ଚିକିତ୍ସା। ଏଥିରେ ଏସ୍‌ସିବି ମାନସିକ ଚିକିତ୍ସା କେନ୍ଦ୍ର ହେବ ହବ୍‌ ଓ ପ୍ରତି ଜିଲ୍ଲା ହେବେ ସ୍ପୋକ୍‌। ପ୍ରତିଦିନ ଓ ପ୍ରତି ସମୟରେ ମିଳି ପାରିବ ମାନସିକ ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା। ଏଥିରେ ପ୍ରତି ଜିଲ୍ଲାରେ ଥିବା ମାନସିକ ରୋଗୀଙ୍କ ଚିକିତ୍ସା ସଂପର୍କରେ ଓ କଣ ଚିକିତ୍ସା ପଦ୍ଧତି ଦରକାର ସେ ସଂପର୍କରେ ତଥ୍ୟ ମିଳି ପାରିବ। ସମସ୍ତଙ୍କୁ ଆଉ ଏସ୍‌ସିବି ମାନସିକ କେନ୍ଦ୍ରକୁ ଆସିବାକୁ ପଡିବ ନାହିଁ। ସେହି ଜିଲ୍ଲାରେ ଥାଇ ଜଣେ ରୋଗୀ ଉନ୍ନତମାନର ମାନସିକ ଚିକିତ୍ସା ପାଇପାରିବ। ଏଭଳି ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଏସ୍‌ସିବି ମାନସିକ ଚିକିତ୍ସା କେନ୍ଦ୍ରର ଡାଇରେକ୍ଟର ପ୍ରଫେସର ସ୍ୱାଇଁଙ୍କ ସହ ନିମାନ୍ସର ଓଡିଆ ପ୍ରଫେସର ଡାକ୍ତର ପ୍ରଭାତ ଚାନ୍ଦ ସହଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର