ନିର୍ବାଚନ ଲଢ଼ିବେ ବାପା ଓ ଝିଅ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଜନୀତିରେ ପ୍ରଥମ ତଥା ବିରଳ ଘଟଣା। ନବରଙ୍ଗପୁର ଜିଲ୍ଲାର ସମସ୍ତ ୪ଟି ଯାକ ବିଧାନସଭା ଆସନରେ କଂଗ୍ରେସ ନୂଆମୁହଁଙ୍କୁ ପ୍ରାର୍ଥୀ କରିଛି। ସେହିପରି ବାପା ଏବଂ ଝିଅ ମଧ୍ୟ କଂଗ୍ରେସ ଟିକେଟ୍‌ ପାଇଛନ୍ତି। ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କୁ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀ କରିଥିଲା ବେଳେ ଝିଅ ଡାକ୍ତର ଲିପିକା ମାଝୀ ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସ ଛାଡ଼ିବାପରେ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା। ତେବେ ପଞ୍ଚାୟତ ନିର୍ବାଚନ ପରେପରେ ରାଜନୀତିରେ ଅଭିଜ୍ଞ ତଥା ଡାବୁଗାଁ ବିଧାନସଭା ଆସନରେ ୩ଥର ବିଜୟୀ ଭୁଜବଳ ମାଝୀଙ୍କୁ ପ୍ରସ୍ତୁତି ଆରମ୍ଭ କରିବାକୁ ଦଳ ପକ୍ଷରୁ ସବୁଜ ସଂକେତ ମିଳିଥିଲା। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ ସକ୍ରିୟ ହେବାପରେ ସ୍ଥିତି ସାମାନ୍ୟ ଗୋଳିଆ ହୋଇଥିଲା। ଶେଷରେ କିନ୍ତୁ ଦଳ ଭୁଜବଳଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ସେହିପରି ଜିଲ୍ଲା ପରିଷଦ ସଭ୍ୟା ଭାବେ ଲିପିକା ବିଜୟୀ ହେବାପରେ ନିର୍ବାଚନ ମଣ୍ଡଳୀରେ ସକ୍ରିୟ ହୋଇଥିଲେ। ତେଣୁ ଦଳ ତାଙ୍କୁ ଟିକେଟ୍‌ ଦେବ ବୋଲି ପୂର୍ବାନୁମାନ କରାଯାଉଥିଲା। ଯୁବ ତଥା ମହିଳା ପ୍ରାର୍ଥୀ ଭାବେ ତାଙ୍କ ନାମରେ ଦଳ ମୋହର ମାରିଛି।

ଅନ୍ୟପଟେ ନବରଙ୍ଗପୁର ଜିଲ୍ଲାରେ କଂଗ୍ରେସ ବଡ଼ ଧରଣର ପରୀକ୍ଷାନିରୀକ୍ଷା କରିଛି। ନବରଙ୍ଗପୁର ବିଧାନସଭା ଆସନରେ ଅଭିଜ୍ଞ ନେତାଙ୍କ ବଦଳରେ ଦିଲୀପ କୁମାର ପ୍ରଧାନୀଙ୍କୁ ପ୍ରାର୍ଥୀ କରିଛି। ସେହିପରି ଝରିଗାଁ ବିଧାନସଭା ଆସନରେ ନୂଆ ମୁହଁ ଭାବେ ହାରାବତୀ ଗଣ୍ଡ ନିର୍ବାଚନ ଲଢ଼ିବେ। ଉମରକୋଟ ବିଧାନସଭା ଆସନରେ ଯୁବ ଚେହେରା ଭାବେ ସନରାଜ ଗଣ୍ଡ ପ୍ରାର୍ଥୀ ହୋଇଛନ୍ତି। ଦୁଇ ଜଣ ମହିଳାଙ୍କୁ କଂଗ୍ରେସ ପ୍ରାର୍ଥୀ କରି ମହିଳା ସଶକ୍ତୀକରଣର ବାର୍ତ୍ତା ଦେବାକୁ ଚେଷ୍ଟା କରିଛି।

ସମ୍ବନ୍ଧିତ ଖବର