ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ବାପା, ମା’

ଭୁବନେଶ୍ୱର/ବାମରା/ଗଡ଼ପୋଷ: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ ଗଡ଼ପୋଷ ଗାଁର ଶ୍ରେୟସ କେଶରଓ୍ଵାନୀଙ୍କ ର‍୍ୟାଗିଂଜନିତ ମୃତ୍ୟୁ ମାମଲାରେ ପରିବାରବର୍ଗ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାରେ ନ୍ୟାୟ ପାଇଁ ଆଜି ଶ୍ରେୟସଙ୍କ ବାପା ମା’ ଏବଂ ଏକ ପ୍ରତିନିଧି ଦଳ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ସରକାରୀ ଦଳର ଉପ ମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀଙ୍କ ନେତୃତ୍ୱରେ ଶ୍ରେୟସଙ୍କ ବାପା ଶୈଳେଶ କେଶରଓ୍ଵାନୀ ଓ ସୁଭାଷ ଶର୍ମା, ରିମୁ କେଶରଓ୍ଵାନୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଶ୍ରେୟସ ମୃତ୍ୟୁ ଘଟଣାରେ ନ୍ୟାୟ ପ୍ରଦାନ ପାଇଁ ଦାବିପତ୍ର ଦେବା ସହ ସିଡି ମାଧ୍ୟମରେ ଶ୍ରେୟସଙ୍କ ମୃତ୍ୟୁକାଳୀନ ବୟାନ ଏବଂ ପିଏମ୍‌ ପାଲେସ୍‌ ପୁଲିସର ସ୍ୱୀକାରୋକ୍ତି ସଂପର୍କିତ ଏକ ଭିଡିଓ ପ୍ରଦାନ କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଘଟଣାରେ ଦୁଃଖପ୍ରକାଶ କରିବା ସହ ନ୍ୟାୟ ପ୍ରଦାନ ପାଇଁ ଆନ୍ଧ୍ର ସରକାରଙ୍କ ସହ କଥା ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ମୁଖ୍ୟମନ୍ତ୍ରୀ ଟେଲିଫୋନ୍‌ ଯୋଗେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଏକ ସ୍ୱତନ୍ତ୍ର ସଂସ୍ଥା ଦ୍ୱାରା ଶ୍ରେୟସ ମୃତ୍ୟୁ ଘଟଣାର ତଦନ୍ତ କରାଇ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ବିଶାଖାପାଟଣା ଶ୍ରୀଚୈତନ୍ୟ ଇନଷ୍ଟିଚ୍ୟୁଟରେ ପ୍ରଶାନ୍ତି ନିଳୟମ୍‌ ସିବିଏସ୍‌ଇ ଛାତ୍ର କ୍ୟାମ୍ପସ୍‌ର ପ୍ରଥମ ବର୍ଷ ବିଜ୍ଞାନ ଛାତ୍ର ଥିଲେ ଶ୍ରେୟସ କେଶରଓ୍ଵାନୀ। ନିଜ ସହପାଠୀଙ୍କ ଦ୍ୱାରା ର‍୍ୟାଗିଂର ଶିକାର ହୋଇଥିଲେ। ପରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର