ପୋଡ଼ି ହୋଇ ମହିଳା ଓ ତାଙ୍କ ସାନପୁଅର ମୃତ୍ୟୁ ଘଟଣା ନେଲା ନୂଆ ମୋଡ଼, ଯୌତୁକଜନିତ ହତ୍ୟା ବୋଲି ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ବାପା

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଅଞ୍ଚଳରେ ଗତକାଲି ପୋଡ଼ି ହୋଇ ଜଣେ ମହିଳା ଓ ତାଙ୍କ ସାନପୁଅର ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି। ମୃତକ ଲୋଭାବତୀ ସ୍ବାଇଁଙ୍କ ବାପା ବ୍ରହ୍ମାନନ୍ଦ ସାମଲ ଏହାକୁ ଏକ ଯୌତୁକଜନିତ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି। ଏଥିନେଇ ସେ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଏତଲା ଦେଇଛନ୍ତି।

ବ୍ରହ୍ମାନନ୍ଦ ସାମଲଙ୍କ ଅଭିଯୋଗ ଅନୁଯାୟୀ ବାହାଘର ପରଠାରୁ ନିୟମିତଭାବେ ତାଙ୍କ ଝିଅ ଲୋଭାବତୀ ସ୍ବାଇଁଙ୍କୁ ସ୍ବାମୀ ସଚିତ୍ର ସ୍ବାଇଁଙ୍କ ପରିବାର ପକ୍ଷରୁ ନିର୍ଯାତନା ଦିଆଯାଉଥିଲା। ଗତକାଲି ସକାଳେ ଲୋଭାବତୀ ଓ ତାଙ୍କ ଦୁଇ ପୁଅଙ୍କୁ ସଚିତ୍ର ସ୍ବାଇଁଙ୍କ ପରିବାର ଲୋକେ କିରାସିନି ଢାଳି ଜାଳି ଦେଇଥିବାର ବ୍ରହ୍ମାନନ୍ଦ ସାମଲ ଅଭିଯୋଗ କରିଛନ୍ତି।

image source-scbmch.nic.in

ସୂଚନାଯୋଗ୍ୟ, ଗତକାଲି ମହାକାଳପଡ଼ା ବ୍ଲକର ଲାଂଜୁଡ଼ା ପଞ୍ଚାୟତ ଅନ୍ତର୍ଗତ ଭୋପାଳ ଗାଁରେ ପାରିବାରିକ କଳହରୁ ଜଣେ ବିବାହିତା ମହିଳା ନିଜର ୨ ପୁଅଙ୍କ ସମେତ ନିଜ ଦେହରେ ନିଆଁ ଲଗାଇ ଦେଇଥିବାର ଖବର ପ୍ରସାରିତ ହୋଇଥିଲା।
ଭୋପାଳ ଗାଁର ସଚିତ୍ର ସ୍ବାଇଁଙ୍କ ସ୍ତ୍ରୀ ଲୋଭାବତୀ ସ୍ବାଇଁ ଗତକାଲି ସକାଳ ପ୍ରାୟ ସାତଟା ସମୟରେ ଭିତର ପଟୁ କବାଟ କିଳି ନିଜ ଦେହରେ କିରାସିନି ଢାଳି ନିଜ ଦେହରେ ଓ ୨ ପୁଅଙ୍କ ଦେହରେ ନିଆଁ ଲଗାଇ ଆତ୍ମଦାହ ଉଦ୍ୟମ କରିଥିଲେ। ସେମାନଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସି ଉଦ୍ଧାର କରିଥିଲେ।
ଏଥିରେ ଲୋଭାବତୀ ଓ ତାଙ୍କ ସାନପୁଅଙ୍କର ୮୦ ଭାଗ ଶରୀର ପୋଡ଼ିଯାଇଛି। ଅପରପକ୍ଷରେ ବଡ଼ପୁଅର ୨୦ ଭାଗ ଶରୀର ପୋଡ଼ିଯାଇଛି। ବଡ଼ ପୁଅର ବୟସ ୮ ବର୍ଷ ଓ ସାନ ପୁଅର ବୟସ ୬ ବର୍ଷ ବୋଲି ଜଣାଯାଇଛି। ସେମାନଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ସାନପୁଅ ଓ ମାଆଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଥିବାର ସୂଚନା ମିଳିଥିଲା। ସେଠାରେ ଉଭୟ ମାଆ ଲୋଭାବତୀ ଓ ତାଙ୍କ ସାନପୁଅ ଅଶ୍ବିନୀଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର