ସରିଲା ଛଟ୍‌, ଆର ବର୍ଷକୁ ଅପେକ୍ଷା, ବିଭିନ୍ନ ଜଳାଶୟରେ ବ୍ରତଧାରୀଙ୍କ ଭିଡ଼

ରାଉରକେଲା: ଯଥା ରୀତିନୀତି ଅନୁଯାୟୀ ଆଜି ଛଟ୍‌ ପର୍ବ ସମ୍ପନ୍ନ ହୋଇଯାଇଛି। ଆଜି ବିଭିନ୍ନ ଜଳାଶୟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଦୁଇବର୍ଷ ପରେ ଛଟ୍ ପୂଜା କରିବାର ସୁଯୋଗକୁ ହାତଛଡ଼ା କରିନଥିଲେ ଶ୍ରଦ୍ଧାଳୁ। ବ୍ରତଧାରୀଙ୍କ ମନରେ ଉତ୍ସାହ ସ୍ପଷ୍ଟ ପରିଲକ୍ଷିତ ହୋଇଥିଲା।

ସୂର୍ଯ୍ୟୋଦୟ ପୂର୍ବରୁ ବ୍ରତଧାରୀମାନେ ପ୍ରାୟ ୨୫ରୁ ଅଧିକ ନଦୀ ଘାଟ ଓ ପୋଖରୀରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ। ବିଶେଷକରି ବ୍ରାହ୍ମଣୀନଦୀ ଘାଟ, ରୁପଟୋଲା, ଝିରପାଣିର ଆଦିତ୍ୟ ଘାଟ, ସେକ୍ଟର-୧୬ ଧୋବିଘାଟ, ଗୋପବନ୍ଧୁପାଲୀ ରେଲୱେ ପୋଖରୀ, ପାନପୋଷ ହନୁମାନ ଘାଟ, ରୁପୁଟୋଲା ଘାଟ, ବାଲୁଘାଟ, ତିଲକାନଗର ପୋଖରୀ, ଡୁମେର୍ତ୍ତା, ତେତରକେଲା ଘାଟ, ପାନପୋଷ ଘାଟ, ବେଦବ୍ୟାସ ତ୍ରିବେଶୀ ସଙ୍ଗମ୍‌, କୋଏଲନଦୀ ଘାଟରେ ବ୍ରତଧାରୀଙ୍କ ନାହିଁନଥିବା ଭିଡ଼ ଜମିଥିଲା। ପୂର୍ବରୁ ରାଉରକେଲା ମହାନଗର ନିଗମ, ରାଉରକେଲା ଇସ୍ପାତ କାରଖାନା, ସୋନକର ଯୁବ ମଞ୍ଚ, ହିନ୍ଦୁ ଜାଗରଣ ମଞ୍ଚ, ଭାରତୀୟ ଛଟ ପୂଜା କମିଟି, ବିହାରୀ ସାଂସ୍କୃତିକ ଅନୁଷ୍ଠାନ, ‘ଦୂତ’ ଓ ଅନ୍ୟାନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ନଦୀ ଘାଟକୁ ସଫେଇ କରି ବ୍ରତଧାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ସେହିଭଳି ବନ୍ଧମୁଣ୍ଡା ଅଞ୍ଚଳରେ ଅନୁଷ୍ଠିତ ଛଟ୍‌ ପର୍ବରେ ବହୁମାତ୍ରାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ରବିବାର ସନ୍ଧ୍ୟାରେ ବନ୍ଧମୁଣ୍ଡାର ବି-ସେକ୍ଟର ପୋଖରୀ, ତିଲକାନଗର ପୋଖରୀ, ତେତେରକେଲାସ୍ଥ କୋଏଲ ନଦୀ କୂଳରେ ମହିଳାମାନେ ସୂର୍ଯ୍ୟ ଅସ୍ତ ସମୟରେ ଛଟ୍‌ ପୂଜା ଆରମ୍ଭ କରି ଭଗବାନ ସୂର୍ଯ୍ୟଙ୍କ ନିକଟରେ ସୁଖ ଶାନ୍ତି ପାଇଁ କାମନା କରିଥିଲେ। ଏହି ଅବସରରେ ଛଟ୍‌ ଘାଟରେ ବିଭିନ୍ନ ଛଟ୍‌ ଗୀତ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୋମବାର ସକାଳ ୫ଟାରୁ ମହିଳାମାନେ ସମ୍ପୃକ୍ତ ନଦୀ ଓ ପୋଖରୀ କୂଳରେ ପହଞ୍ଚିଥିଲେ। ଯାହା ପରେ ମହିଳାମାନେ ପାଣି ଭିତରକୁ ଯାଇ ଉଦୟ ସୂର୍ଯ୍ୟଙ୍କୁ ପୂଜା କରି ନିଜ ନିଜ ଉପବାସ ଭାଙ୍ଗିଥିଲେ। ଏହିଅବସରରେ ବିଶେଷକରି ମହିଳା ଏବଂ ଛୋଟ ଛୁଆମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା। ଲୋକଙ୍କ ସୁରକ୍ଷା ପାଇଁ ଘାଟରେ ପୁଲିସ ମୁତୟନ ହୋଇଥିଲେ।

ସମ୍ବନ୍ଧିତ ଖବର