ମେଘାଚ୍ଛନ୍ନ ଆକାଶ ସାଜିଲା ପ୍ରତିବନ୍ଧକ, ବିମାନ ଅବତରଣରେ ୨୦ମିନିଟ୍‌ ବିଳମ୍ବ

ଜୟପୁର : ପାଗ ଖରାପ ଯୋଗୁ ଆଜି ଜୟପୁର ଏୟାରପୋର୍ଟରେ ପୁଣି ବିମାନ ଅବତରଣରେ ସମସ୍ୟା ହୋଇଛି। ପ୍ରାୟ ୨୦ମିନିଟ୍‌ ପର୍ଯ୍ୟନ୍ତ ଆକାଶରେ ଘୂରି ବୁଲିବା ପରେ ବିମାନକୁ ଏୟାରପୋର୍ଟରୁ ସୁରକ୍ଷା ସଂକେତ ଦିଆଯାଇଥିଲା। ନିର୍ଦ୍ଦେଶ ମିଳିବା ପରେ ବିମାନ ସୁରକ୍ଷିତ ଭାବେ ଅବତରଣ କରିଥିଲା।

ଭୁବନେଶ୍ବର ଏୟାରପୋର୍ଟରୁ ଗୁରୁବାର ଦିନ ନିର୍ଦ୍ଧାରିତ ସମୟରେ ୮ଜଣ ଯାତ୍ରୀଙ୍କୁ ନେଇ ଇଣ୍ଡିଆ ୱାନ୍‌ ଏୟାର ବିମାନ ଉଡ଼ାଣ ଭରିଥିଲା। ଅପରାହ୍ନ ଗୋଟାଏ ୨୦ମିନିଟ୍‌ରେ ଜୟପୁର ଏୟାରପୋର୍ଟରେ ଅବତରଣ କରିଥାନ୍ତା। କିନ୍ତୁ ମେଘାଚ୍ଛନ୍ନ ଆକାଶ ଯୋଗୁ ପାଇଲଟଙ୍କୁ ଉପଯୁକ୍ତ ସିଗ୍‌ନାଲ ମିଳିନଥିଲା। ବାଧ୍ୟ ହୋଇ ସହରର ଉପରେ ବିମାନ ପ୍ରାୟ ୬ଥର ଚକ୍କର କାଟିଥିଲା। ଅପରାହ୍ନ ଗୋଟାଏ ୪୦ମିନିଟ୍‌ରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବାରୁ ବିନା ପ୍ରତିବନ୍ଧକରେ ଅବତରଣ କରିଥିଲା। ଏହାପରେ ଅପରାହ୍ନ ୨ଟା ୫ମିନିଟ୍‌ରେ ବିମାନ ପୁଣି ଯାତ୍ରୀଙ୍କ ସହ ବିଶାଖାପାଟଣା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଅପରାହ୍ନ ୩ଟା ୧୫ମିନିଟ୍‌ରେ ଜୟପୁର ପ୍ରତ୍ୟାବର୍ତ୍ତନ କରି ଅପରାହ୍ନ ୪ଟା ୧୦ମିନିଟ୍‌ରେ ଭୁବନେଶ୍ବର ଅଭିମୁଖେ ବାହାରିଥିଲା। ପୂର୍ବରୁ ଗତ ୧୪ତାରିଖ ଦିନ ମଧ୍ୟ ସମାନ କାରଣରୁ ବିମାନ ଅବତରଣରେ ବିଳମ୍ବ ହୋଇଥିଲା। ଆଜିକୁ ମିଶାଇ ତୃତୀୟ ଥର ବିମାନ ଅବତରଣରେ ପାଗ ପ୍ରତିବନ୍ଧକ ହୋଇଛି।

ସମ୍ବନ୍ଧିତ ଖବର