ମୟୂରଭଞ୍ଜରେ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ଭିତ୍ତିପ୍ରସ୍ଥର ଆଜି, ଭରଚୁଆଲ ମୋଡ଼ରେ ଶୁଭ ଦେବେ ମୁଖ୍ୟମନ୍ତ୍ରୀ

ବାରିପଦା : ମୟୂରଭଞ୍ଜରେ ରାଜ୍ୟ ସରକାର ପ୍ରତିଷ୍ଠା କରିବେ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ। ଜିଲ୍ଳା ସଦରମହକୁମା ବାରିପଦାରେ ଥିବା ପଣ୍ଡିତ ରଘୁନାଥ ମୂର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଏହି ଦୁଇଟି ପ୍ଲାଣ୍ଟ ପ୍ରତିଷ୍ଠା ହେବ। ୧୩ହଜାର ଲିଟର କ୍ଷମତା ବିଶିଷ୍ଟ ତରଳ ମେଡିକାଲ ଅକ୍ସିଜେନ(ଏଲଏମଓ) ପ୍ଲାଣ୍ଟ ପିଆରଏମରେ ପ୍ରତିଷ୍ଠା ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଲଏମଓ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ରାଜ୍ୟ ଅକ୍ସିଜେନ ପରିଚାଳନା ଟାସ୍କଫୋର୍ସ ଗତ ମାସ ୨୫ରେ କରିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଥିଲା।

ଉକ୍ତ ନିଷ୍ପତ୍ତି ଅନୁସାରେ ଶୁକ୍ରବାର ଜିଲ୍ଲାରେ ଦୁଇ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ଥର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭରଚୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ର ଶୁଭ ଦେବେ। ବାରିପଦାରେ ମୟୂରଭଞ୍ଜ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରତାପ ଜେନାଙ୍କ ସମେତ ବିଜେଡି ବିଧାୟକ ରାଜ କିଶୋର ଦାସ, ବାସନ୍ତୀ ହେମ୍ବ୍ରମ, ରାଜ୍ୟସଭା ସାଂସଦ ମମତା ମହାନ୍ତ, କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ରହିବେ। ଉଭୟ ଅକ୍ସୀଜେନ ପ୍ଲାଣ୍ଟ ସର୍ବାଧିକ ୧୨ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଗତ ମାସରେ ଘୋଷଣା କରିଥିଲେ। ।

ସମ୍ବନ୍ଧିତ ଖବର