ଝାରସୁଗୁଡ଼ାରେ ଗୋଟିଏ ପରିବାରର ୪ ଜଣ କରୋନା ଆକ୍ରାନ୍ତ

ଝାରସୁଗୁଡା: ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। ଏ ନେଇ ଆଜି ଝାରସୁଗୁଡ଼ା ଜିଲ୍ଲାପାଳ ଦାୟିତ୍ୱରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ ସ୍ପଷ୍ଟ କରିଛନ୍ତି।

ଜିଲ୍ଲାରେ ପ୍ରଥମ ଥର ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କଠାରେ କରୋନା ଚିହ୍ନଟ ହୋଇଛି। ଆକ୍ରାନ୍ତ ହୋଇଥିବା ସଦସ୍ୟଙ୍କ ବୟସ ଯଥାକ୍ରମେ ୩୫ ବର୍ଷ (ପୁରୁଷ),୨୮ ବର୍ଷ (ମହିଳା), ୩ ବର୍ଷ  ଓ ୯ ବର୍ଷ ରହିଛି । ଗୋଟିଏ ପରିବାରର ସ୍ବାମୀ-ସ୍ତ୍ରୀ ଓ ସେମାନଙ୍କ ଦୁଇ ଶିଶୁ ସଂକ୍ରମିତ ଥିବା ସୂଚନା ମିଳିଛି। ଏମାନେ ସମସ୍ତେ ପଶ୍ଚିମବଙ୍ଗର ରାମପୁର ଅଂଚଳରେ ରହୁଥିଲେ। ଗତ ୨ ତାରିଖରେ  ଟ୍ରେନରେ ଝାରସୁଗୁଡା ସପରିବାର ଆସିଥିଲେ।

୬ ତାରିଖ ଦିନ ସେମାନଙ୍କ ସ୍ୱାବ୍‌ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସମସ୍ତେ ବେଇମୁଣ୍ଡାସ୍ଥିତ ସରକାରୀ ଆଇ.ଟି.ଆଇରେ ଥିବା ସଂଗରୋଧ କେନ୍ଦ୍ରରେ ଥିବାରୁ ବିବ୍ରତ ହେବାର କୌଣସି କାରଣ ନାହିଁ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମାଝୀ କହିଛନ୍ତି। ଏହି ପରିବାରର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ବେଳେ ଏମାନଙ୍କୁ କେଉଁଠାରେ ଚିକିତ୍ସିତ କରାଯିବ ସେ ନେଇ ଆଲୋଚନା ଚାଲିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଝାରସୁଗୁଡ଼ା ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ ବ୍ରଜରାଜନଗର ଅଂଚଳରେ ଚିହ୍ନଟ ହୋଇଥିଲା। ଏହା ଥିଲା ଗତ ଏପ୍ରିଲ ୨୯ ତାରିଖର ଘଟଣା। ଏହା ପରେ ମେ’ ମାସ ୨ ତାରିଖରେ ଜଣେ, ୨୨ ତାରିଖରେ ୨ ଜଣ, ୨୫ ଓ ୨୮ ତାରିଖରେ ଜଣେ ଲେଖାଏଁ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ସେହିଭଳି ଜୁନ ୫ ତାରିଖରେ ଜଣେ ଓ ୯ ତାରିଖରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜିଲ୍ଲାରେ ଏ ପର୍ଯ୍ୟନ୍ତ ମୋଟ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣ ସୁସ୍ଥ ହୋଇଛନ୍ତି। ୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ସମ୍ବନ୍ଧିତ ଖବର