ଚନ୍ଦକାରେ ୪ କଲରାପତରିଆ

୧୫ ବର୍ଷ ପରେ ଚିହ୍ନଟ କଲା ବନ ବିଭାଗ, ରାଜଧାନୀରୁ ଧରାଯାଇ ଚନ୍ଦକାରେ ଛଡ଼ାଗଲା, 8ବାଘ ଗଣନା ପାଇଁ ଲାଗିବ ୨୦ କ୍ୟାମେରା

ଭୁବନେଶ୍ବର : ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଅଛନ୍ତି କଲରାପତରିଆ ବାଘ। ଗୋଟିଏ କି ଦୁଇଟି ନୁହେଁ, ୪ରୁ ଅଧିକ ବାଘ ରହିଥିବା ପ୍ରାରମ୍ଭିକ ସୂଚନା ମିଳିଛି। ଯେଉଁ ବାଘଗୁଡ଼ିକ ରହିଛନ୍ତି ତାହା ମହାବଳ କି ପାନ୍ଥର ପ୍ରଜାତିର ନୁହେଁ। ବରଂ କଲରାପତରିଆ ପ୍ରଜାତିର। ଓଡ଼ିଶା ସମେତ ସାରା ଦେଶରେ ଏବେ ବାଘ ଗଣନା ଚାଲିଥିବା ବେଳେ ଏଭଳି ତଥ୍ୟ ପଦାକୁ ଆସିଛି।

ରାଜଧାନୀରେ କଲରାପତରିଆ ବାଘ ଦେଖାଯିବା ପରେ ସତ୍ୟତା ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ଅଧିକ ତତ୍ପରତା ପ୍ରକାଶ କରାଯାଇଛି। ଚନ୍ଦକାରେ ବାଘ ଅଛନ୍ତି କି ନାହିଁ? କେତେ ସଂଖ୍ୟକ ବାଘ ରହିଛନ୍ତି? କେଉଁ ଅଞ୍ଚଳରେ ସେମାନେ ଚଳପ୍ରଚଳ କରୁଛନ୍ତି ତାହା ଜାଣିବା ପାଇଁ ଜଙ୍ଗଲର କୋର ଏରିଆରେ କ୍ୟାମେରା ଲଗାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଜଙ୍ଗଲର ବିଭିନ୍ନ ସ୍ଥାନରେ ୧୦ଟି କ୍ୟାମେରା ଲଗାଯାଇ ବାଘ ସମେତ ଅନ୍ୟ ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ଏବେ ଭୁବ‌ନେଶ୍ବର ବିମାନବନ୍ଦର ନିକଟରେ କଲରାପତରିଆ ବାଘ ଧରାଯିବା ପରେ ସନ୍ଦେହ ଅଧିକ ଘନୀଭୂତ ହୋଇଛି। ତେଣୁ ବାଘ ଚିହ୍ନଟ ପାଇଁ ଜଙ୍ଗଲର ବାକି ସ୍ଥାନଗୁଡ଼ିକରେ ଖୁବ୍‌ଶୀଘ୍ର ଆଉ ୧୦ଟି କ୍ୟାମେରା ଟ୍ରାପ୍‌ ଲଗାଯିବ ବୋଲି ଚନ୍ଦକା-ଡମପଡ଼ା ଡିଏଫ୍‌ଓ କେଦାର କୁମାର ସ୍ବାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବନ ବିଭାଗ ତଥ୍ୟ କହୁଛି ଯେ ୧୫ ବର୍ଷ ତଳେ ଅର୍ଥାତ୍‌ ୨୦୦୪ରେ ଚନ୍ଦକା ଜଙ୍ଗଲରେ ୮ଟି କଲରାପତରିଆ ବାଘ ରହିଥିଲେ। ସେଥିରେ ୪ଟି ଲେଖାଏଁ ଅଣ୍ଡିରା ଓ ମାଈ ବାଘ ଚିହ୍ନଟ ହୋଇଥିଲେ। କୌଣସି ଛୁଆ ନଥିଲେ। ହେଲେ ୨୦୧୬ ଗଣନା ବେଳେ ଏଠାରେ ଗୋଟିଏ ବି କଲରାପତରିଆ ବାଘ ଦେଖିବାକୁ ମିଳି ନଥିଲା। ଏଥର ବାଘ ଗଣନା ଚାଲିଥିବା ବେଳେ ଭୁବନେଶ୍ବରରେ କଲରାପତରିଆ ବାଘ ଦେଖାଦେବା ଘଟଣା ଚନ୍ଦକାରେ ପୁଣିଥରେ ବାଘଙ୍କ ଉପସ୍ଥିତି ଜାହିର କରିଛି।

ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା ହେଲା ଚନ୍ଦକା ଜଙ୍ଗଲରେ କଲରାପତରିଆ ବାଘ ରହିବା କିଛି ଅସମ୍ଭବ ନୁହେଁ। ଏମାନେ ବୁଦା ମୂଳେ ଲୁଚି ରହିଥା’ନ୍ତି। ମନୁଷ୍ୟ ବସବାସ ସ୍ଥଳୀକୁ ସେମିତି ଆସନ୍ତି ନାହିଁ। ଏହି ଜଙ୍ଗଲରେ ବହୁ ପରିମାଣରେ ହରିଣ, ସମ୍ବର, କୁଟୁରା, ବାର୍‌ହା, ମୟୂର, ଠେକୁଆ ଆଦି ଜନ୍ତୁ ରହିଛନ୍ତି। ତେଣୁ ସହଜରେ ଶିକାର ମିଳିଯାଇଥା’ନ୍ତି। ଯେତେବେଳେ ଖାଦ୍ୟ ପାଇବାର ଅସୁବିଧା ହୁଏ ସେତେବେଳେ ଜନବସତି ଆଡ଼କୁ ଆସିଥାନ୍ତି। ଅଧିକାଂଶ ସମୟରେ ଉଚ୍ଚ ଗଛରେ ରହି ଶିକାର କରନ୍ତି। ୬୦ରୁ ୭୦ ଫୁଟ୍‌ ଉଚ୍ଚର ଗଛ ଉପରକୁ ଚଢ଼ିପାରିବାର କ୍ଷମତା ଏମାନଙ୍କର ରହିଛି। କ୍ଷୀପ୍ରଗତିରେ ବି ଦୌଡ଼ି ପାରନ୍ତି। ଚନ୍ଦକାକୁ ଲାଗି ଆଠଗଡ଼ ଅଭୟାରଣ୍ୟ ରହିଥିବାରୁ ଚନ୍ଦକାରେ କଲରାପତରିଆ ବାଘ ଦେଖାଦେବା କିଛି ନୂଆ କଥା ନୁହେଁ।

ଅନ୍ୟପକ୍ଷରେ ଦୁଇ ଦିନ ଧରି ରାଜଧାନୀରେ ଆତଙ୍କ ଖେଳାଇଥିବା କଲରାପତରିଆ ବାଘକୁ ମଙ୍ଗଳବାର ବିଳମ୍ବିତ ରାତିରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଧରାଯିବା ପରେ ଚନ୍ଦକା ଜଙ୍ଗଲରେ ଛାଡ଼ି ଦିଆଯାଇଛି। ବାଘ ଯେମିତି ପୁଣିଥରେ ରାଜଧାନୀ ମୁହାଁ ନ ହୁଏ ସେଥିପ୍ରତି ମଧ୍ୟ ଦୃଷ୍ଟି ରଖାଯାଇଥିବା ସିଟି ଡିଏଫ୍‌ଓ ଅଶୋକ ମିଶ୍ର ସୂଚନା ଦେଇଛନ୍ତି।

ଚନ୍ଦକାରେ ବାଘ ଥିବା ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ପ୍ରଦୀପ ତରାଇ ଆଶଙ୍କା କରିଛନ୍ତି। ତାଙ୍କ କହିବାନୁଯାୟୀ ବହୁ ବର୍ଷ ହେଲା ଚନ୍ଦକାରେ ବାଘ ଦେଖିବାକୁ ମିଳିନି। ହଠାତ୍‌ ମିଳିବା ସନ୍ଦେହ ସୃଷ୍ଟି କରୁଛି। ସହରକୁ ବାଘ ଆସିବା ଘଟଣାର ବିଧିବଦ୍ଧ ତଦନ୍ତ ହେବା ଆବଶ୍ୟକ। କେଉଁ ପରିସ୍ଥିତିରେ ଓ କାହିଁକି ଗୋଟିଏ କଲରାପତରିଆ ବାଘ ସହର ଭିତରକୁ ଆସିଲା ତାହାର ତଦନ୍ତ ହେଉ। ବାଘ ଗଣନା ସର୍ଭେକୁ ସଠିକ୍‌ ଭାବେ କରାଯାଉ।

ସମ୍ବନ୍ଧିତ ଖବର