ଗାଁ ଗାଁରେ ଫ୍ରି ଫାୟାର୍ ଗେମ୍, ପିଲାଙ୍କ ଫଟୋ ଥାଇ ଲାଗିଛି ‘ଆମେ ଖେଳୁଛୁ ପୋଷ୍ଟର୍‌’

ପ୍ରତାପୁର : ମୋବାଇଲ୍‌ରେ ଫ୍ରି ଫାୟାର୍ ଗେମ୍ ଖେଳିବା ଲାଗି ମାଆ ଆକଟ କରିବାରୁ କେନ୍ଦୁଝର ଜିଲ୍ଲାରେ ଜଣେ ନବମ ଶ୍ରେଣୀର ଛାତ୍ର ଛାତରୁ ତଳକୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ସାରାରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ତେବେ ଏହି ଅନଲାଇନ୍ ଗେମ୍‌ କବଳରେ ବର୍ତ୍ତମାନ ସାରା ଛାତ୍ରସମାଜ କବଳିତ ହୋଇସାରିଛି। ଆଉ କରୋନା ମହାମାରୀର ପ୍ରାଦୁର୍ଭାବ ପରେ ମୋବାଇଲ୍‌ର ବହୁଳ ଯୋଗୁଁ କୋମଳମତି ବୟସର ପିଲା ମାନେ ଏଭଳି ମାରାତ୍ମକ ଗେମ୍ ପଛରେ ପାଗଳ ଭଳି ପଡ଼ିଯାଇଛନ୍ତି। ଦିନରାତି ସେମାନଙ୍କ ହାତରେ ମୋବାଇଲ୍ ଦେଖିବାକୁ ମିଳୁଛି। ଏଥିରୁ ଗ୍ରାମାଞ୍ଚଳ ବି ବାଦ୍ ପଡ଼ିନି।

ନିଜ ଗାଁରେ ଖେଳାଳିମାନଙ୍କ ଫଟୋ ରଖି ପୋଷ୍ଟରର୍ କରି ଗାଁ କାନ୍ଥରେ ମରାଯାଇଛି। ପ୍ରତି ଖେଳାଳିଙ୍କ ନାମ ଦିଆଯାଇଛି। ‘ଆଉ ଆମେ ବି ଖେଳୁଛୁ’ ବୋଲି ଏଥିରେ ଲେଖାଯାଇଛି। ଫଳରେ ଏହି ଅନଲାଇନ୍ ଗ‌େମ୍ ପ୍ରତି ପିଲାମାନେ କେତେ ଆକର୍ଷିତ ହୋଇଛନ୍ତି, ତାହା ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି। ଆଉ ଏହା ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ବର୍ତ୍ତମାନ ଜଗନ୍ନାଥପ୍ରସାଦ ବ୍ଲକ୍ ପ୍ରତାପୁର ନିକଟ ପାଟରାପଲ୍ଲୀ, ଗୋଠଲୁଣ୍ଡା, ପ୍ରତାପୁର, ଆମ୍ବବାଲିସାହି ଓ କଲ୍ୟାଣପୁର ସମେତ ବିଭିନ୍ନ ସ୍ଥାନରେ ଫ୍ରିଫାୟାର୍ ଗେମ୍‌କୁ ନେଇ ବଡ଼ ବ୍ୟାନର୍ ଲଗାଯାଇଛି। ଅନଲାଇନ୍ କ୍ଲାସ୍ ବାହାନାରେ ମୋବାଇଲ୍ ଧରିବା ପରେ ଛାତ୍ରମାନେ ଏହି ଗେମ୍‌ ଖେଳିବାରେ ନିମଗ୍ନ ରହୁଛନ୍ତି। ତୁରନ୍ତ ଏହା ଉପରେ ବ୍ୟାନ୍ ଲଗାଇବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର