ମାଳତୀପାଟପୁର, ସାକ୍ଷୀଗୋପାଳ, ଡେଲାଙ୍ଗ ଷ୍ଟେସନ୍‌ରେ ବି ମାଗଣା ଓ୍ଵାଇ-ଫାଇ ସେବା

ପୂର୍ବତଟ ରେଳପଥର ପ୍ରୟାସ

ଚନ୍ଦ୍ରଶେଖରପୁର : ଭାରତୀୟ ରେଳପଥର ଡିଜିଟାଲ ଭାରତ ପ୍ରକଳ୍ପ ଜରିଆରେ ଗ୍ରାମାଞ୍ଚଳ, ଅଗମ୍ୟ ଅଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ବି ଡିଜିଟାଲ ସଂଯୋଗୀକରଣ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି କ୍ରମରେ ଛୋଟ ଛୋଟ ରେଳ ଷ୍ଟେସନ ଗୁଡ଼ିକୁ ମାଗଣା ଓ୍ଵାଇ-ଫାଇ ସେବା ଯୋଗାଇ ଦେବାକୁ ରେଳ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝରଗଡ଼, ପାରାଦୀପ, ଟିକିରୀ ଓ ବିଷମକଟକ ରେଳ ଷ୍ଟେସନରେ ଏହି ସେବା ଯୋଗାଇ ଦିଆଯାଇଛି। ଦୁଇ ଶହ ଗ୍ରାମାଞ୍ଚଳ ଓ ଅଗମ୍ୟ ଅଞ୍ଚଳର ରେଳ ଷ୍ଟେସନ ଗୁଡ଼ିକୁ ୟୁନିଭର୍ସାଲ ସର୍ଭିସେସ୍‌ ଓବ୍ଲିଗେସନ ଫଣ୍ଡ (ୟୁଏସ୍‌ଓଏଫ୍‌) ମାଧ୍ୟମରେ ରେଲଟେଲ ସଂଗଠନ ଏହି ଓ୍ଵାଇ-ଫାଇ ସେବା ଯୋଗାଇ ଦେବ। ଏହି ଯୋଜନାକୁ ରେଳ ମନ୍ତ୍ରଣାଳୟ ଅନୁମୋଦନ କରିଛି।

ଏହି କ୍ରମରେ ପୁରୀ ଜିଲ୍ଲା ମାଳତୀପାଟପୁର, ସାକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଡେଲାଙ୍ଗ, ମୋଟରୀ, ଖୋର୍ଧା ଜିଲ୍ଲା ରେତଙ୍ଗ, ମଞ୍ଚେଶ୍ୱର, କଟକ ଜିଲ୍ଲା ବାରଙ୍ଗ, ଗୋପାଳପୁର ବାଲିକୁଦା ଷ୍ଟେସନ ସହିତ କିଛି ଅଗମ୍ୟ ଅଞ୍ଚଳରେ ଅବସ୍ଥିତ ଅନେକ ଷ୍ଟେସନଗୁଡ଼ିକୁ ଏହି ସେବା ଯୋଗାଇଦେବାକୁ ନିଷ୍ପତି ନିଆଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମେଶ ସିଂହ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଉଲ୍ଲେଖଯୋଗ୍ୟଯେ ଭୁବନେଶ୍ୱର, କଟକ, ପୁରୀ, ଖୋର୍ଧାରୋଡ଼୍‍, ବ୍ରହ୍ମପୁର ଆଦି ଷ୍ଟେସନ ଗୁଡ଼ିକରେ ପୂର୍ବରୁ ଓ୍ଵାଇ-ଫାଇ ସେବା ଯୋଗାଇ ଦିଆଯାଇଛି।

ସମ୍ବନ୍ଧିତ ଖବର