ଏମ୍ସରେ ହେବ ଫଙ୍ଗସ୍ ଗବେଷଣା, ଆଇସିଏମ୍‌ଆର୍‌ ଦେବ ଅଢ଼େଇ କୋଟି

ଭୁବନେଶ୍ବର : କରୋନା ପରବର୍ତ୍ତୀ ସମୟରେ ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍‌ରେ ପୀଡ଼ିତ ହୋଇ ସାରାଦେଶରେ ବହୁ ରୋଗୀଙ୍କ ଜୀବନ ଯାଇଛି। ଏହାପରଠୁ ବିଭିନ୍ନ ପ୍ରଜାତିର ଫଙ୍ଗସ୍ ସଂକ୍ରମଣ କେମିତି ଘାତକ ପାଲଟୁଛି ତାହା ସାମ୍ନାକୁ ଆସିଲାଣି। ଏହି ପରିପ୍ରେକ୍ଷୀ ପୂର୍ବ ଭାରତର ରେଫେରାଲ ସେଣ୍ଟର ଭାବେ ପରିଚିତ ଏମ୍ସ ଭୁବନେଶ୍ବରରେ ଫଙ୍ଗସ୍‌ ଉପରେ ଅଧିକ ଗବେଷଣା ଲାଗି ଆରମ୍ଭ ହୋଇଛି ଆଡଭାନ୍ସଡ ମଲିକୁଲାର୍ ଡାଏଗ୍ନୋଷ୍ଟିକ୍ ସେଣ୍ଟର। ଇଣ୍ଡିଆନ୍ କ‌ାଉନସିଲ୍ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ପକ୍ଷରୁ ଏହି ଗବେଷଣା କେନ୍ଦ୍ର ଆରମ୍ଭ କରାଯାଇଛି। ଏହି କେନ୍ଦ୍ରରେ ସଂପ୍ରତି ଦେଖା ଦେଉଥିବା ବିଭିନ୍ନ ପ୍ରକାର ଫଙ୍ଗସ୍ ସଂକ୍ରମଣ ଉପ‌ରେ ଗବେଷଣା କରାଯିବ। ଏଥିପାଇଁ ଆଇସିଏମ୍‌ଆର୍‌ ୩ ବର୍ଷରେ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ଏମ୍ସରେ ମ୍ୟୁକରମାଇକୋସିସ୍‌ରେ ପୀଡ଼ିତ ରୋଗୀଙ୍କ ସଫଳ ଚିକିତ୍ସା କରାଯାଇ ଆସୁଥିବାବେଳେ ବିଭାଗୀୟ ଡାକ୍ତରମାନେ ବିଭିନ୍ନ ପ୍ରକାର ଫଙ୍ଗସ୍ ଉପରେ ଗବେଷଣା କରୁଛନ୍ତି। ନିକଟରେ ଫଙ୍ଗାଲ୍‌ ସଂକ୍ରମଣକୁ ନେଇ ଗବେଷଣା କରୁଥିବା ଏକ ଡାକ୍ତରୀ ଟିମ୍‌ ବ୍ଲାକ୍‌ ଫଙ୍ଗସ୍‌ ଭଳି ଲକ୍ଷଣ ଥିବା ‘କନିଙ୍ଗମେଲା ଅରୁଣୋଲୋକି’ ନାମକ ଏକ ନୂତନ ଫଙ୍ଗସ୍‌ ମଧ୍ୟ ଚିହ୍ନଟ କରିଛନ୍ତି। ଏହି ଟିମ୍‌ର ନେତୃତ୍ବ ନେଉଥିବା ଡାକ୍ତର ବିନୟ ହାଲୁର ଏହି ଫଙ୍ଗସ୍‌ର ନାମ ନିଜ ଶିକ୍ଷକ ତଥା ଫଙ୍ଗାଲ ଇନ୍‌ଫେକସନ୍‌ ବିଶେଷଜ୍ଞ ଡ.ଅରୁଣଲୋକ ଚକ୍ରବର୍ତ୍ତୀଙ୍କ ନାମରେ ନାମିତ କରିଛନ୍ତି।

ସମ୍ବନ୍ଧିତ ଖବର