ଡାକ୍ତରଖାନାରେ ଭୂତ ବୁଲିବା ଗୁଜବ ଭିଡିଓ ଭାଇରାଲ, କଂଗ୍ରେସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି

ଜୟପୁର: କୋରାପୁଟ ଜିଲ୍ଲା ଡାକ୍ତରଖାନା ପରିସରରେ ଭୂତ ବାହାରୁଥିବା ଗୁଜବ ସୃଷ୍ଟି କରି ଭିଡିଓ ଓ  ଅଡିଓ ଟେପକୁ ଫେସବୁକ, ହ୍ବାଟସ୍‌ଆପ୍‌ ସହ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯାଇଛି। ଏହାକୁ​  ନେଇ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏବେ ଚର୍ଚ୍ଚା ଜୋର ଧରିଛି। ତେବେ ଏଭଳି ଗୁଜବର ତୁରନ୍ତ ତଦନ୍ତ କରିବା ସହ ଗୁଜବକାରୀ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟାଉନ କଂଗ୍ରେସ ପକ୍ଷରୁ ଦାବି କରି ଟାଉନ ଥାନାରେ ଏତଲା ଦିଆଯାଇଛି।

ନଗର କଂଗ୍ରେସ ସଭାପତି ତଥା ପୌରଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ନିହାର ବିଷୋୟୀ, ଗଂଙ୍ଗାଧର ସାହୁ, ବିଶ୍ବରଂଜନ ଦଣ୍ଡସେନା, ରାଜୀବ ଟାକ୍ରୀ, ମମତା ବିଶ୍ବାଳ, ସନ୍ତୋଷ ମିଶ୍ର ପ୍ରମୁଖ ଏତଲା ଦେଇଛନ୍ତି। ଏହି ଏତଲାକୁ ଟାଉନଥାନା ଆଇଆଇସି ସମ୍ବିତ ବେହେରା ଗ୍ରହଣ କରିଛନ୍ତି।

ଅପରପକ୍ଷରେ ପ୍ରକୃତରେ ଡିଏଚଏଚ୍ ପରିସରରେ ଏଭଳି ଆତ୍ମା ବା ଭୁତ ବୁଲୁଛି କି ବୋଲି ସାଧାରଣରେ ସଂଦେହ ପ୍ରକାଶ ପାଇଛି। ତେବେ ଏଭଳି ଅପପ୍ରଚାର କରି ଲୋକଙ୍କୁ ଭୟଭୀତ କରି ବିଭ୍ରାନ୍ତି କରିବା ଠିକ୍ ନୁହେଁ ବୋଲି ଟାଉନକଂଗ୍ରେସ ପକ୍ଷରୁ କୁହାଯାଇଛି। ଯେଉଁ ବ୍ୟକ୍ତିବିଶେଷ ଜଣକ ଏଭଳି ଭିଡିଓ ତିଆରି କରି ଭାଇରାଲ କରି ଗୁଜବ ସୃଷ୍ଟି କରି ଲୋକଙ୍କ ମନରେ କୋକୁଆ ଭୟ ଦେଖାଇବାକୁ ପ୍ରୟାସ କରିଛନ୍ତି ତାଙ୍କ ବିରୋଧରେ ଆଇନଗତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଟାଉନ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। କିଛି ଘରୋଇ ମେଡିକାଲର ଦଲାଲମାନେ ଏଭଳି ଭିଡିଓ ପ୍ରସ୍ତୁତ କରି ଲୋକଙ୍କୁ ଭୟଭୀତ କରି ବିଭ୍ରାନ୍ତି ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ତୁରନ୍ତ ଏଭଳି ହୀନ ଉଦ୍ୟମ କରି ଏଭଳି ଭିଡିଓ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଧାୟକ ବି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର