କରୋନା କଟକଣାକୁ ମାନିଲେନି ସରକାରୀ ବାବୁ, ବିବାହ ଭୋଜିରେ ଚଢ଼ାଉ କଲେ ତହସିଲଦାର

ରାୟଗଡା: କରୋନା କଟକଣାକୁ ଅଣଦେଖା। ୧୪୪ଧାରା ଜାରି ସତ୍ତ୍ବେ ପ୍ରଶାସନର ନିର୍ଦ୍ଦେଶକୁ ଫୁ କରି ଉଡ଼ାଇ ଦେଇ ନିଜେ ସରକାରୀ ବାବୁ ଆୟୋଜନ କରିଥିଲେ ବିବାହ ଭୋଜି | ରାୟଗଡା ସହରର ଗୌତମନଗର ପ୍ରଥମ ଲେନରେ ଏହି ଭୋଜି ଆୟୋଜନ ହୋଇଥିବାବେଳେ ଖବର ପାଇ ରାୟଗଡା ତହସିଲଦାର, ଅତିରିକ୍ତ ତହସିଲଦାର ଓ ଟାଉନ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା | ରାୟଗଡା ଉପଜିଲ୍ଲାପାଳଙ୍କ ଅଫିସରେ କାମ କରୁଥିବା ସବଡ଼ିଭିଜନାଲ ସୋସିଆଲ ସିକ୍ୟୁରିଟି ଅଫିସର ବିଏସଏନ ମୂର୍ତ୍ତି ନିଜ ପୁଅ ରଂଜିତଙ୍କର ବିବାହ ଭୋଜି ଆୟୋଜନ କରିଥିବାର ଜଣାପଡିଥିଲା |

ପ୍ରାୟ ୧୨୦୦ ଲୋକଙ୍କ ପାଇଁ ଭୋଜି ଆୟୋଜନ ହୋଇଥିବାବେଳେ ସରକାରୀ ବାବୁଙ୍କୁ ନୋଟିସ ଦିଆଯାଇଛି | ବର୍ତ୍ତମାନ ବି ଭୋଜି ଚାଲିଥିବାବେଳେ ପ୍ରତି ପର୍ଯ୍ୟାୟରେ ୫୦ ଜଣ ଲୋକଙ୍କୁ ଭୋଜି ଖାଇବାକୁ ଛଡାଯାଉଥିବା ଶ୍ରୀ ମୂର୍ତ୍ତି ସଫେଇଦେଇଛନ୍ତି | ତେବେ ଏଠାରେ ପ୍ରଶ୍ନ ଉଠୁଛି ଗତକାଲି ମଧ୍ୟ ରାୟଗଡାରେ ଏକ କଲ୍ୟାଣ ମଣ୍ଡପରେ ଭୋଜି ଚାଲିଥିବାବେଳେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା |

ସହରର ରିଂ ରୋଡରେ ଥିବା ବଂଶୀକ୍ରିଷ୍ଣା କଲ୍ୟାଣ ମଣ୍ଡପରେ ଏହି ଭୋଜି ଆୟୋଜନ ହୋଇଥିବାବେଳେ ପ୍ରଶାସନ ଚଢ଼ାଉ କରି ଭୋଜି ସରିବା ପରେ ପୌର ପରିଷଦ ପକ୍ଷରୁ କଲ୍ୟାଣ ମଣ୍ଡପ ସିଲ୍ କରାଯାଇଥିଲା | ଏହି କଲ୍ୟାଣ ମଣ୍ଡପରେ ୪ ଶହ ଲୋକଙ୍କ ପାଇଁ ଆୟୋଜନ ହୋଇଥିବାବେଳେ ଆଜିର ଭୋଜିରେ ତିନିଗୁଣ ଅର୍ଥାତ ପ୍ରାୟ ୧୨୦୦ ଲୋକଙ୍କ ପାଇଁ ଆୟୋଜନ ହୋଇଛି | ଏ ଦିଗରେ କଣ କାର୍ଯ୍ୟନୁଷ୍ଠାନ ନିଆଯିବ ତାହା ହିଁ ସମୟ କହିବ |

ସମ୍ବନ୍ଧିତ ଖବର